ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଲେ ଅଲପନ, ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା

0

କୋଲକାତା, ୩୧।୫: ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କ ବଦଳି ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଟଣାଓଟରା ଚାଲିଥିବା ବେଳେ ଅବସର ନେଇଛନ୍ତି ମୁଖ୍ୟ ଶାସନ ସଚିବ ଅଲପନ ବନ୍ଦୋପାଦ୍ଧ୍ୟାୟ। ଚାକିରିରୁ ଅବସର ନେବା ପରେ ତାଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭାବରେ ନିଯୁକ୍ତି ମିଳିଛି। କେନ୍ଦ୍ର-ରାଜ୍ୟ ଟଣାଓଟରା ଭିତରେ ମୋଦି ସରକାରଙ୍କୁ ଚେକ୍ ଦେଇଛନ୍ତି ଦିଦି। ନୂଆ ନିର୍ଦ୍ଦେଶ ଅନୁସାରେ ଅଲପନ ବର୍ତ୍ତମାନ ୩ ବର୍ଷ ପାଇଁ ପଶ୍ଚିମବଙ୍ଗ ସରକାରଙ୍କ ପରାମର୍ଶଦାତା ହୋଇ ରହିବେ। ଅଲପନ ମୁଖ୍ୟ ଶାସନ ସଚିବ ପଦରୁ ଇସ୍ତଫା ଦେବା ପରେ ତାଙ୍କ ସ୍ଥାନରେ ଏଚ୍‌ କେ ଦ୍ୱିବେଦି ରାଜ୍ୟ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି। ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

ଏହା ପୂର୍ବରୁ ଅଲପନ ଦିଲ୍ଲୀ ଯାଇ କେନ୍ଦ୍ର ସରକାରଙ୍କୁ ରିପୋର୍ଟ କରିବେ ନାବିଁ ବରଂ ସେ ରାଜ୍ୟର ନବାନ୍ନରେ ନିର୍ଦ୍ଧାରିତ କାର୍ଯ୍ୟସୂଚୀରେ ସେ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଥିଲା।। ଅର୍ଥାତ୍‌ ଅଲପନ ଦିଲ୍ଲୀ ନ ଯାଇ ରାଜ୍ୟରେ ତାଙ୍କର ଯେଉଁସବୁ ଦାୟିତ୍ୱ ରହିଛି, ତାହା ପାଳନ କରିବେ ବୋଲି ଖବର ମିଳିଥିଲା। ହେଲେ ଏବେ ସେ ହଠାତ୍ ଅବସର ନେବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତାଙ୍କୁ ତାଙ୍କର ପରାମର୍ଶ ଦାତା ଭାବେ ନିଯୁକ୍ତ କରିଛନ୍ତି।

ମୁଖ୍ୟ ସଚିବ ଶ୍ରୀ ବାନାର୍ଜୀଙ୍କୁ ନେଇ କେନ୍ଦ୍ର ରାଜ୍ୟ ମଧ୍ୟରେ ଟଣାଓଟରା ଚାଲିଥିଲା । ସେ କେନ୍ଦ୍ରର ନିର୍ଦ୍ଦେଶ ମୁତାବକ ଦିଲ୍ଲୀ ଯିବେ ନା ରାଜ୍ୟର ନିର୍ଦ୍ଦେଶମତେ କାମ କରିବେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ହେଲେ ଦିଦିଙ୍କ ମାଷ୍ଟର ଷ୍ଟ୍ରୋକ୍‌ରେ ଅଲପନଙ୍କ ନିଷ୍ପତ୍ତି ବଦଳି ଯାଇଛି। କେନ୍ଦ୍ରର ନିର୍ଦ୍ଦେଶକୁ ଅଗ୍ରହ୍ୟ କରି ଅବସର ନେଇଛନ୍ତି ଅଲପନ।

ତେବେ କେନ୍ଦ୍ର ଚାହିଁଲେ ଅଲପନଙ୍କ ମାମଲାକୁ ଅଦାଲତ ପର୍ଯ୍ୟନ୍ତ ଗଡ଼ାଇ ପାରିବେ ନାହିଁ। କେବଳ ତାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିପାରିବେ। କାରଣ ସମ୍ବିଧାନ ଓ ଭାରତୀୟ ସିଭିଲ୍‌ ସର୍ଭିସ୍‌ ରୁଲବୁକ୍‌ରେ ସ୍ପଷ୍ଟ କୁହଯାଇଛି, ଆଇଏଏସ ବା ଆଇପିଏସ ଅଧିକାରୀମାନଙ୍କ ଏମ୍ପ୍ଲୟମେଣ୍ଟ ଅଥରିଟି । ଅର୍ଥାତ ସେ ରାଜ୍ୟ ଅଧୀନରେ କର୍ମରତ ଥିଲେ, ତାଙ୍କ ବିରୋଧରେ କେନ୍ଦ୍ର କୌଣସି ବି କାର୍ଯ୍ୟାନୁଷ୍ଠାନ ନେଇ ପାରିବ ନାହିଁ । କେନ୍ଦ୍ର ଅଧିକାରୀମାନଙ୍କୁ ଡେପୁଟେସନରେ ଡାକିପାରେ ।

ମମତା ବାନାର୍ଜୀ ଶନିବାର କେନ୍ଦ୍ରକୁ ଏହି ବଦଳି ଆଦେଶ ବାତିଲ ପାଇଁ ଅନୁରୋଧ କରିଥିଲେ। ମମତାଙ୍କ ସହିତ ବିଜେପିର ସାମ୍ପ୍ରତିକ ବିବାଦକୁ ନୂଆମୋଡ଼ ଦେବା ଲକ୍ଷ୍ୟରେ କେନ୍ଦ୍ରର ଏହି ବଦଳି ଆଦେଶ ବୋଲି ସାଧାରଣରେ ଚର୍ଚ୍ଚା ହେଉଥିଲା।

Leave A Reply

Your email address will not be published.