‌ପ୍ରତ୍ୟେକ ଭାରତୀୟଙ୍କୁ ମାଗଣାରେ ମିଳିବ ଟିକା: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ, ୨।୧:  ସାରା ଦେଶରେ କରୋନା ଟିକାର ଡ୍ରାଏ ରନ୍ ଆଜି ଆରମ୍ଭ ହୋଇଯାଇଛି। ଦେଶର ୧୧୬ ଜିଲ୍ଲାରେ ୨୫୯ଟି କେନ୍ଦ୍ରରେ ଟିକାର ଡ୍ରାଏ ରନ୍ ଚାଲିଛି । ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ବଡ ଘୋଷଣା କରିଛନ୍ତି । ପ୍ରତ୍ୟେକ ଭାରତୀୟଙ୍କୁ ମାଗଣାରେ ଟିକା ଦିଆଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଆଜି କହିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ନିଜେ ଦିଲ୍ଲୀର ଜିଟିବି ହସ୍ପିଟାଲ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। ଦେଶବାସୀ ଅଯଥା ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ ବୋଲି ହସ୍ପିଟାଲରୁ ବାହାରି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଭ୍ୟାକସିନର ସୁରକ୍ଷା ସୁନିଶ୍ଚିତ କରିବା ସରକାରଙ୍କର ପ୍ରାଥମିକତା। ପୋଲିଓ ଭ୍ୟାକସିନ ଦେବା ବେଳେ ମଧ୍ୟ ଅନେକ ଗୁଜବ ସୃଷ୍ଟି କରାଯାଉଥିଲା। କିନ୍ତୁ ଲୋକମାନେ ପୋଲିଓ ଟିକା ଲଗାଉଥିଲେ। ଏଥିପାଇଁ ଆଜି ଭାରତ ପୋଲିଓ ମୁକ୍ତ ହୋଇପାରିଛି ବୋଲି ସେ କହିଛନ୍ତି।

ଭାତର ସରକାର ଦେଶର ଲୋକଙ୍କୁ କରୋନା ମୁକ୍ତ ରଖିବା ପାଇଁ ଚାହୁଁଛନ୍ତି। ଭ୍ୟାକସିନର ବିକାଶ ଓ ଟିକାକରଣ ଏହି ପ୍ରକ୍ରିୟାର ଏକ ଅଂଶ । ଏଥିପାଇଁ ଟିକାକୁ ନେଇ ପ୍ରଚାର କରାଯାଉଥିବା ଅଯଥା ଗୁଜବ ଉପରେ ବିଶ୍ୱାସ କରନ୍ତୁ ନାହିଁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି । ଏହି ଅଭିଯାନରେ ସମସ୍ତେ ସହଯୋଗ କରିବାକୁ ହର୍ଷବର୍ଦ୍ଧନ କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ, ଗତ ଥର ୪ଟି ରାଜ୍ୟରେ ଡ୍ରାଏ ରନ୍ ହୋଇଥିଲା । ଏହାପରେ ଏସ୍‌ଓପିରେ କିଛିଟା ପରିବର୍ତ୍ତନ କରାଯାଇଛି । ଶନିବାର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଡ୍ରାଏ ରନ୍ କରୁଛନ୍ତି। ଟିକାକରଣ ବେଳେ ଯେମିତି ହେବାକଥା ସବୁକିଛି ଠିକ୍ ସେହିପରି ହେବ । ସୁରକ୍ଷିତ ବ୍ୟବସ୍ଥା ଗ୍ରହଣ କରାଯିବା ସହ ଡାଟା ଅପଲୋଡ୍ ବାବଦରେ ମଧ୍ୟ ସମୀକ୍ଷା କରାଯାଉଛି ବୋଲି ସେ କହିଛନ୍ତି। ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କରୋନା ଭ୍ୟାକସିନର ଡ୍ରାଏ ରନ୍ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଡ୍ରାଏ ରନ୍ ବେଳେ ଟିକାକରଣ ଅଭିଯାନ ସହ ଜଡିତ ସମସ୍ତ ପ୍ରକ୍ରିୟାକୁ ପାଳନ କରାଯିବ। ୧୧୬ ଜିଲ୍ଲାର ୨୫୯ଟି ସ୍ଥାନରେ ଡ୍ରାଏ ରନ୍ ଚାଲିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଶନିବାର କହିଛି।

Comments are closed.