ସିଲ୍ ହେଲା ଆଲେନ ଇନ୍‌ଷ୍ଟିଚ୍ୟୁଟ୍‌: ୨୦ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ

0

ଭୁବନେଶ୍ବର, ୨୮।୩: ସିଲ୍‌ ହେଲା ଭୁବନେଶ୍ୱରର ମୈତ୍ରୀବିହାର ସ୍ଥିତ ଶିକ୍ଷାନୁଷ୍ଠାନ ଆଲେନ୍ ଇନ୍‌ଷ୍ଟିଚ୍ୟୁଟ୍। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଏହି ଇନ୍‌ଷ୍ଟିଚ୍ୟୁଟ୍‌କୁ ସିଲ୍ କରିଛି। ଏଠାରୁ ୨୦ରୁ ଅଧିକ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବିଏମ୍‌ସି ଏହାକୁ ସିଲ୍ କରିଥିବା ଜଣାପଡ଼ିଛି।

ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଆଲେନ୍ ଇନ୍‌ଷ୍ଟିଚ୍ୟୁଟ୍‌କୁ ସିଲ୍ କରାଯାଇଥିବା ବେଳେ କିଛି କଟକଣା ମଧ୍ୟ ଜାରି କରିଛି ବିଏମ୍‌ସି। ଏହି କୋଚିଂ ସେଣ୍ଟର ଏବଂ ଏହାର ହଷ୍ଟେଲ/ମେସ୍‌ ଭିତରକୁ କେହି ଯାଇପାରିବେ ନାହିଁ। ସେହିପରି ଏହା ଭିତରୁ କେହି ବାହାରି ପାରିବେ ନାହିଁ। କେବଳ ବିଏମ୍‌ସିର ସ୍ୱୀକୃତିପ୍ରାପ୍ତ କର୍ମଚାରୀ ଏହା ଭିତରକୁ ଯା’ଆସ କରିପାରିବେ।

ଆଲେନ୍ ଇନ୍‌ଷ୍ଟିଚ୍ୟୁଟ୍‌ର ହଷ୍ଟେଲ୍‌/ମେସ୍‌ରେ ଥିବା ବିଦ୍ୟାର୍ଥୀମାନେ ତା’ଭିତରେ ହିଁ ରହିବେ। ଔଷଧ ସହିତ ଯଦି ଅନ୍ୟ କୌଣସି ଜିନିଷ ସେମାନଙ୍କର ଆବଶ୍ୟକ ହେବ, ତା’ହେଲେ ଇନ୍‌ଷ୍ଟିଚ୍ୟୁଟ୍ କର୍ତ୍ତୃପକ୍ଷ ତାହା ଯୋଗାଇ ଦେବେ।

ଯେଉଁମାନେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ସେମାନଙ୍କୁ ହଷ୍ଟେଲ୍‌/ମେସ୍‌ର ଗୋଟିଏ ରୁମ୍‌ରେ ଆଇସୋଲେସନ୍‌ କରି ରଖାଯିବ। ସେମାନଙ୍କ ଉପରେ ଇନ୍‌ଷ୍ଟିଚ୍ୟୁଟ୍ କର୍ତ୍ତୃପକ୍ଷ କଡ଼ା ନଜର ରଖିବେ। କୋଭିଡ୍ ନିୟମ ମାନି ଇନ୍‌ଷ୍ଟିଚ୍ୟୁଟ୍ କର୍ତ୍ତୃପକ୍ଷ ସେମାନଙ୍କ ପାଇଁ ଖାଦ୍ୟପେୟର ବ୍ୟବସ୍ଥା କରିବେ।

 

Leave A Reply

Your email address will not be published.