ରାଜ୍ୟରେ ଛେଳିଙ୍କ କୃତ୍ରିମ ପ୍ରଜନନ କାର୍ଯ୍ୟକ୍ରମ ଶୁଭାରମ୍ଭ

ପ୍ରାୟ ୧ ଲକ୍ଷ ୫୦ ହଜାର ଛେଳିଙ୍କ କୃତ୍ରିମ ପ୍ରଜନନ କରାଯିବ

0

ଭୁବନେଶ୍ୱର ୯/୧୨: ଛେଳି ପାଳନ ରାଜ୍ୟର ଗ୍ରାମାଞ୍ଚଳ ଲୋକଙ୍କ ଜୀବିକାର୍ଜନର ଏକ ପ୍ରମୁଖ ମାଧ୍ୟମ ହୋଇଥିବାବେଳେ ଛେଳିଙ୍କ କୃତ୍ରିମ ପ୍ରଜନନ ଉଚ୍ଚ ଗୁଣବତ୍ତା ସଂପନ୍ନ ଛେଳି ଉତ୍ପାଦନରେ ସହାୟକ ହେବ । ଏହା ଦ୍ୱାରା ପ୍ରାଣୀ ସଂପଦର ପ୍ରଭୂତ ବିକାଶ ଘଟିବ ଓ ଛେଳି ଚାଷୀଙ୍କ ଆୟ ବୃଦ୍ଧି ସହିତ ରାଜ୍ୟରେ ମାଂସ ଉତ୍ପାଦନ ବୃଦ୍ଧି ପାଇବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ଆଜି କୃଷି ଭବନଠାରେ ରାଜ୍ୟରେ ଛେଳିଙ୍କ କୃତ୍ରିମ ପ୍ରଜନନ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ମନ୍ତ୍ରୀ ସ୍ୱାଇଁ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦିଗ୍‌ଦର୍ଶନ କ୍ରମେ ଓଡ଼ିଶା ଭାରତବର୍ଷରେ ପ୍ରଥମ ରାଜ୍ୟ ଭାବରେ ଛେଳିଙ୍କ କୃତ୍ରିମ ପ୍ରଜନନ କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ ରୂପରେ ସାରା ରାଜ୍ୟରେ କାର୍ଯ୍ୟକାରୀ କରାଯାଉଛି । କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀ, ତଫସିଲଭୁକ୍ତ ଜାତି ଓ ଉପଜାତିଙ୍କ ହିତ ଓ ଆୟବୃଦ୍ଧି ଦିଗରେ ଛେଳିଙ୍କ କୃତି୍ରମ ପ୍ରଜନନ କାର୍ଯ୍ୟକ୍ରମ ଏକ ସମୟୋଚିତ ପଦକ୍ଷେପ ।

କମ୍‌ସଂଖ୍ୟକ ଛେଳି ପାଳନ କରୁଥିବା ଚାଷୀଙ୍କ ପକ୍ଷରେ ଛେଳିଙ୍କ ପ୍ରଜନନ ନିମନ୍ତେ ବୋଦା ପାଳିବା ସମ୍ଭବପର ହେଉନଥିବାବେଳେ ଛେଳିଙ୍କ ଜେନେଟିକ୍‌ ଉନ୍ନତି ଏବଂ ଉଚ୍ଚ ମାନର ଛେଳିର ଉତ୍ପାଦନ ପାଇଁ ଆଧୁନିକ ଜ୍ଞାନ କୌଶଳ ବ୍ୟବହାର କରି ଛେଳିଙ୍କ କୃତ୍ରିମ ପ୍ରଜନନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ବୋଲି ମନ୍ତ୍ରୀ ସ୍ୱାଇଁ କହିଥିଲେ । ରାଜ୍ୟରେ ଉପଲବ୍ଧ ବ୍ଲାକ୍‌ ବେଙ୍ଗଲ୍‌ ଏବଂ ଗଞ୍ଜାମ ପ୍ରଜାତିର ଛେଳିର ଶୁକ୍ର ବ୍ୟବହାର କରି ୧ ଲକ୍ଷ ୫୦ ହଜାର ଛେଳିଙ୍କ କୃତ୍ରିମ ପ୍ରଜନନ କରାଯିବ । ହିତାଧିକାରୀ ଚୟନ ଓ ଏହାର ସଫଳ ରୂପାୟନ ନିମନ୍ତେ ଜିଲ୍ଲାସ୍ତରରେ ଏକ ପାରଦର୍ଶୀ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବାକୁ ମନ୍ତ୍ରୀ ସ୍ୱାଇଁ କ୍ଷେତ୍ର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

କାର୍ଯ୍ୟକ୍ରମରେ ଯୋଗଦେଇ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ସୁରେଶ କୁମାର ବଶିଷ୍ଠ କହିଲେ ଯେ ରାଜ୍ୟରେ ସମସ୍ତ ଜିଲ୍ଲାରେ ୫୬୫ ଗୋଟି ଫିଲ୍‌ଡ ଏଆଇ ସେଣ୍ଟର ମାଧ୍ୟମରେ ଏହି ଯୋଜନା କାର୍ଯ୍ୟକାରୀ ହେବ । କାର୍ଯ୍ୟକ୍ରମରେ ତଫସିଲଭୁକ୍ତ ଜାତି/ଉପଜାତିର ଛେଳି ପାଳକମାନଙ୍କୁ ପ୍ରାଥମିକତା ଦିଆଯିବ । କୃତ୍ରିମ ପ୍ରଜନନ ପରେ ଛେଳି ମାନଙ୍କ ଚିହ୍ନଟ ପାଇଁ କାନନୋଳି ପିନ୍ଧାଯିବାର ବ୍ୟବସ୍ଥା କରାଯାଇଛି । ଏଥି ସହିତ ଉଭୟ ଛେଳି ଓ ହିତାଧିକାରୀଙ୍କ ସବିଶେଷ ତଥ୍ୟ ସହିତ କୃତ୍ରିମ ପ୍ରଜନନ ମାଧ୍ୟମରେ ଜନ୍ମ ହୋଇଥିବା ଛେଳିମାନଙ୍କର ତଥ୍ୟ ଲିପିବଦ୍ଧ କରାଯିବ ବୋଲି ସଚିବ ବଶିଷ୍ଠ କହିଥିଲେ ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ. ୟେଦୁଲ୍ଲା ବିଜୟ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରାଣୀସଂପଦ ବିକାଶର ବିଭିନ୍ନ ଯୋଜନା ସଂପର୍କିତ ଏକ କମ୍ପେଡିୟମ୍‌ ଓ ପକେଟ୍‌ ବୁକ୍‌ର ଶୁଭ ଉନ୍ମୋଚନ କରିଥିଲେ । କାର୍ଯ୍ୟକ୍ରମରେ ବରିଷ୍ଠ ବିଭାଗୀୟ ଅଧିକାରୀମାନଙ୍କ ସମେତ ରାଜ୍ୟର ଛଅଟି ଜିଲ୍ଲାରୁ ଆସିଥିବା ଛେଳିଚାଷୀ ଭାଇଭଉଣୀମାନେ ଉପସ୍ଥିତ ଥିବାବେଳେ ଅନ୍ୟ ସମସ୍ତ ଜିଲ୍ଲାର କ୍ଷେତ୍ର ଅଧିକାରୀ ଓ ଛେଳିଚାଷୀମାନେ ଭର୍ଚୁଆଲ୍‌ ମାଧ୍ୟମରେ ଯୋଗଦେଇଥିଲେ ।

Leave A Reply

Your email address will not be published.