ସୋଆ ପକ୍ଷରୁ ବାର୍ଷିକ ବିଜ୍‌ନେସ୍‌ କନ୍‌କ୍ଲେଭ୍‌ ‘ସ୍କେଲର୍ଜ’, ଭବିଷ୍ୟତକୁ ଦେଖି ଛାତ୍ରଛାତ୍ରୀ ଜ୍ଞାନ ବଢ଼ାନ୍ତୁ

0

ଭୁବନେଶ୍ୱର,୧୧/୧୨: ଆମେ ବର୍ତ୍ତମାନ ଏଭଳି ଏକ ଯୁଗ ଦେଇ ଗତି କରୁଛୁ ଯାହାର ନୂଆ ନାମ ହେଉଛି ଅଘଟଣ । ଏକ ଆଶଙ୍କାମୟ ଭବିଷ୍ୟତ ଆଡ଼କୁ ଆମେ ଯାଉଛୁ । ଏଭଳି ସମୟରେ ଅନିଶ୍ଚିତ ଭବିଷ୍ୟତକୁ ସାମ୍ନା କରିବା ନିମନ୍ତେ ଛାତ୍ରଛାତ୍ରୀ ବହି ପାଠ ସହ ନିଜର ଜ୍ଞାନକୁ ବୃଦ୍ଧି କରିବା ନିହାତି ଆବଶ୍ୟକ ବୋଲି କେପିଏମ୍‌ଜିର ସିନିୟର ଆସୋସିଏଟ୍‌ ଡାଇରେକ୍ଟର ସାହିଲ ନାୟାର୍‌ କହିଛନ୍ତି ।

ଶନିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ ବାର୍ଷିକ ବିଜନେସ୍‌ କନ୍‌କ୍ଲେଭ୍‌ “ସ୍କେଲର୍ଜ-୨୦୨୨’ରେ ଆୟୋଜିତ ହୋଇଥିଲା । ଏଥିରେ ଅତିଥି ଭାବେ ଯୋଗଦେଇ ଶ୍ରୀ ନାୟାର କହିଲେ, ପ୍ରତିଦିନ ଦେଶରେ ନୂଆ ନୂଆ କଲେଜ ଏବଂ ବିଶ୍ୱବିଦ୍ୟାଳୟ ଆରମ୍ଭ ହେଉଛି । ଏଥିରୁ ବାହାରୁ ଥିବା ଛାତ୍ରଛାତ୍ରୀମାନେ କର୍ମ ନିଯୁକ୍ତି ପାଇ ପାରୁନାହାନ୍ତି । ଚାହିଦା ଓ ଯୋଗାଣ ମଧ୍ୟରେ ତାଳମେଳ ନରହିବା ଫଳରେ ଛାତ୍ରଛାତୀମାନେ ଉପଯୁକ୍ତ ନିଯୁକ୍ତି ପାଇବାରୁ ବଞ୍ଚିତ ହେଉଛନ୍ତି । ତେଣୁ ଛାତ୍ରଛାତ୍ରୀମାନେ ଚାକିରି କ୍ଷେତ୍ରରେ ଉପଯୁକ୍ତ ହେବା ନିମନ୍ତେ ସେମାନେ ନିଜର ଜ୍ଞାନକୁ ପ୍ରସାରିତ କରିବାର ଆବଶ୍ୟକତା ରହିଛି ।

ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ ଅବସରରେ ଶ୍ରୀ ନାୟାର କହିଥିଲେ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ଯେଉଁ ଦକ୍ଷତା ରହିଛି ତାହା ହିଁ ଭବିଷ୍ୟତରେ ଆବଶ୍ୟକ ହେବ । ଏହି ବିଶ୍ୱବିଦ୍ୟାଳୟଗୁଡ଼ିକ ବିଭିନ୍ନ ଲାଇଭ୍‌ ପ୍ରୋଜେକ୍ଟ ହାତକୁ ନେବା ଉଚିତ୍‌ । ଯାହାଦ୍ୱାରା ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ବୃଦ୍ଧି ପାଇବ । ଚାକିରି କ୍ଷେତ୍ରରେ କ୍ଲାସ୍‌ରୁମ୍‌ ପାଠପଢ଼ା ମାତ୍ର ୧୦ ପ୍ରତିଶତ ଆବଶ୍ୟକ ପଡୁଥିବାବେଳେ ବାକି ୯୦ ପ୍ରତିଶତ ନିଜର ଦକ୍ଷତା ଉପରେ ନିର୍ଭର କରେ ।

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ଅମିତ ବାନାର୍ଜୀ କହିଲେ, ବର୍ତ୍ତମାନ ସମୟରେ ମ୍ୟାନେଜ୍‌ମେଣ୍ଟ ଡିଗ୍ରୀ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ । ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ବିଜିନେସ୍‌ ଆଣ୍ଡ କମ୍ଫ୍ୟୁଟର ଷ୍ଟଡିଜ୍‌ (ଆଇବିସିଏସ୍‌)ର ଡିନ୍‌ ପ୍ରଫେସର ଅନୁପ୍‌ ସାମନ୍ତରାୟ ଏବଂ ଇଣ୍ଡଷ୍ଟ୍ରି ଏନଗେଜ୍‌ମେଣ୍ଟର ମୁଖ୍ୟ ରିପ୍ତି ରଞ୍ଜନ ଦାସ ମଧ୍ୟ ବକ୍ତବ୍ୟ ରଖିଥିଲେ । ସୋଆର ଛାତ୍ରମଙ୍ଗଳ ଡିନ୍‌ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଉପସ୍ଥିତ ଥିଲେ । ଏଚ୍‌ସିଏଲ୍‌ ଟେକ୍‌ର ୟୁନିଭର୍ସିଟି ରିଲେସନ୍ସ ଆଣ୍ଡ ରିକ୍ର‌୍ୟୁଟ୍‌ମେଣ୍ଟର ମୁଖ୍ୟ ଆଶିଷ ଭାଲ୍ଲା ବକ୍ତବ୍ୟ ରଖିଥିଲେ ।

କାର୍ଯ୍ୟକ୍ରମରେ ଟାଟା ଟେକ୍ନୋଲୋଜିର ଇଣ୍ଡିଆ ଲିଡ୍‌-ୟୁନିଭର୍ସିଟି ରିଲେସନ୍ସ ସୁଶାନ୍ତ କୁମାର, ଡାବର ଇଣ୍ଡିଆ ଲିମିଟେଡ୍‌ର ନ୍ୟାସ୍‌ନାଲ୍‌ ମ୍ୟାନେଜର ଏଚ୍‌ଆର୍‌ ଦେବାର୍ଘ ଦେବ, ଏପିଏସି-ଏବିକ୍ସ ଆଇଏନ୍‌ସିର ଟିଏଜି ଲିଡର ହର୍ଷରାଜ ଜୈନ୍‌, ଏରିକ୍ସନ୍‌ର ନିର୍ଦ୍ଦେଶକ, ହେଡ ଅଫ୍‌ ଟିଏ ଡେଲିଭରି ମୃଣାଳ ଦାସ, କ୍ୟୁୟରବେ ଟେକ୍ନୋଲୋଜିସ୍‌ର ପିପୁଲ୍‌ ଏକ୍ସପେରିଏନ୍ସ ଆର୍କିଟେକ୍ଟ ଅନିନ୍ଦିତା ମହାପାତ୍ର, ଏଚ୍‌ଟି-ଏଣ୍ଡୋ ଇଣ୍ଟରନ୍ୟାସ୍‌ନାଲ୍‌ ପିଏଲ୍‌ସି ଉପସଭାପତି ତଥା ମୁଖ୍ୟ ଡ. ତନୟା ମିଶ୍ର, ଟିଏ-ୟୁବିଏସ୍‌ର ଆସୋସିଏଟ୍‌ ଡାଇରେକ୍ଟର ବୀଣା ରାମଦାଶାନୀ, ଏମ୍ଫାସିସ୍‌ର ଇଣ୍ଡିଆ କ୍ୟାମ୍ପସ୍‌ ଲିଡ୍‌ ଯଶୁଆ ଡେଭିଡ୍‌, ଟାଲେଣ୍ଟ ଆକ୍ୟୁଜିସନ୍‌ ଦି ମ୍ୟାଥ୍‌ କମ୍ପାନୀର ଆସୋସିଏଟ୍‌ ପ୍ରିନ୍ସିପାଲ୍‌ ରାହୁଲ ପି, ରିଲାଏନ୍ସ ଜିଓର ଡେପୁଟି ଜେନେରାଲ୍‌ ମ୍ୟାନେଜର, ଏଚ୍‌ଆର୍‌ ଉଜ୍ୱଲ ସେନ୍‌ଗୁପ୍ତା ଏବଂ କେପିଆଇଟି ଟେକ୍ନୋଲୋଜିସ୍‌ର ମୁଖ୍ୟ ଅବିନାଶ ମହାପାତ୍ର ପ୍ୟାନେଲ୍‌ ଆଲୋଚନାରେ ନିଜର ବକ୍ତବ୍ୟ ରଖିଥିଲେ।

 

Leave A Reply

Your email address will not be published.