ପିଆଜ ଦରକୁ ନେଇ ମୁହାଁମୁହିଁ ‌

ଦର ବୃଦ୍ଧି ପାଇଁ କେନ୍ଦ୍ର ଦାୟୀ : ଯୋଗାଣ ମନ୍ତ୍ରୀ | ଦର ନିୟନ୍ତ୍ରଣରେ ଯୋଗାଣ ବିଭାଗ ବିଫଳ : ବିଜେପି

0

ଭୁବନେଶ୍ବର,୨୬/୧୦ : ପିଆଜ ଦର ବୃଦ୍ଧିକୁ ନେଇ ରାଜ୍ୟ ସରକାର ଓ ବିଜେପି ମୁହାଁମୁହିଁ ହୋଇଛନ୍ତି। ୨୩ ତାରିଖରେ ଯୋଗାଣ ମନ୍ତ୍ରୀ ପିଆଜ ଦର ବୃଦ୍ଧି ପାଇଁ ସିଧାସଳଖ କେନ୍ଦ୍ରକୁ ଦାୟୀ କରିଥିଲେ। ଏହାର ୨୪ ଘଣ୍ଟା ନ ପୁରୁଣୁ ବିଜେପି ଏହାର ଜବାବ ଦେବା ସହ ରାଜ୍ୟ ସରକାରଙ୍କୁ ପାଲଟା ଆକ୍ରମଣ କରିଛି। ପିଆଜ ଦର ବୃଦ୍ଧିକୁ ନେଇ ଖାଉଟି ହନ୍ତସନ୍ତ ହେଉଥିଲା ବେଳେ କେନ୍ଦ୍ର ଓ ରାଜ୍ୟ ପରସ୍ପରକୁ ଦୋଷାରୋପ କରି ଏହାକୁ ରାଜନୈତିକ ରୂପ ଦେଉଛନ୍ତି। ଅଥଚ ଦର ନିୟନ୍ତ୍ରଣ ପାଇଁ କୌଣସି ଠୋସ୍ ପଦକ୍ଷେପ ବାହାରୁ ନାହିଁ। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି।

 

ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଥିଲେ, ‌କେନ୍ଦ୍ର ସରକାର ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ ଉଚ୍ଛେଦ କଲେ। ଏବେ ଅତ୍ୟାବଶ୍ୟକ ସାମଗ୍ରୀ ଆଉ ରାଜ୍ୟ ସରକାରଙ୍କ ନିୟନ୍ତରଣ ରହୁ ନାହିଁ। କେନ୍ଦ୍ର ଭୁଲ୍‌ ପାଇଁ ଆଜି ବଜାରରେ ପିଆଜ ଦର ହୁ ହୁ ହୋଇ ବଢ଼ୁଛି। ଆଳୁ ଦର ବି ବଢ଼ିଲାଣି। ସାମ୍ବିଧାନିକ ବିଧି ବ୍ୟବସ୍ଥାରେ ନିତ୍ୟ ବ୍ୟବହାର୍ଯ୍ୟ ଆଳୁ, ପିଆଜ, ତେଲ ଓ ଡାଲିର ଯୋଗାଣ ଓଦର ନିୟନ୍ତ୍ରଣ କ୍ଷମତା ରାଜ୍ୟ ସରକାରଙ୍କ ରହିବା ଉଚିତ। କିନ୍ତୁ ସାରା ଦେଶରୁ ଅତ୍ୟାବଶ୍ୟକ ‌ଦ୍ରବ୍ୟ ଆଇନ ଉଚ୍ଛେଦ ଯୋଗୁ ଏସବୁ ସାମଗ୍ରୀ ଦର ବଢ଼ିବାରେ ଲାଗିଛି। ଆସନ୍ତା ଦୁଇ ମାସ ପର୍ଯ୍ୟନ୍ତ ଆହୁରି ବଢ଼ିବ। ଏବେ ପରିସ୍ଥିତି ଏପରି ହେଲାଣି ଯେ କେନ୍ଦ୍ର ସରକାର ଚାହିଁଲେ ବି ନିୟନ୍ତ୍ରଣ କରିପାରିବେ ନାହିଁ। ତେବେ ଦିଲ୍ଲୀ ଓ କେରଳ ଅପେକ୍ଷା ଓଡ଼ିଶାରେ ପିଆଜ ଓ ଆଳୁ ଦର କମ୍ ରହିଛି। ରାଜ୍ୟ ସରକାର ମହଜୁଦ୍‌କାରୀଙ୍କ ଗୋଦାମରେ ଘନ ଘନ ଚଢ଼ାଉ କରି ନିୟମିତ ଯାଞ୍ଚ୍ କରୁଛନ୍ତି।

କେନ୍ଦ୍ରକୁ ମନ୍ତ୍ରୀଙ୍କ ଦୋଷାରୋପକୁ ହଜମ କରିପାରି ନାହିଁ ବିଜେପି। ମନ୍ତ୍ରୀଙ୍କୁ ଜବାବ ଦେଇ ରାଜ୍ୟ ଯୋଗାଣ ନିଗମର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ମୁଖପାତ୍ର ସୁଦୀପ୍ତ ରାୟ କହିଛନ୍ତି ଯେ ଯୋଗାଣ ମନ୍ତ୍ରୀ ପିଆଜ ଦର କମ୍ କରିବା ପାଇଁ କୌଣସି ପଦକ୍ଷେପ ନ ନେଇ ଦର ଆହୁରି ଦୁଇ ମାସ ବଢ଼ିବ ବୋଲି କହି ଖାଉଟିଙ୍କ ମନରେ ଆତଙ୍କ ସୃଷ୍ଟି କରିଛନ୍ତି। ଏହା ଦ୍ବାରା ଅସାଧୁ ବେପାରୀଙ୍କୁ ଆଗାମୀ ଦୁଇ ମାସ ଯାଏ ଚଢ଼ା ଦରରେ ପିଆଜ ବିକ୍ରି କରିବା ପାଇଁ ମନ୍ତ୍ରୀ ସୁଯୋଗ ସୃଷ୍ଟି କରିଛନ୍ତି। ପିଆଜ ଦର ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାରଙ୍କ ଯୋଗାଣ ବିଭାଗ ସମ୍ପୂର୍ଣ୍ଣ ବିଫଳ ହୋଇଛି। ୨୦୧୫ ମସିହାରେ ରାଜ୍ୟ ସରକାର ଆଳୁ ମିସନ୍ ପରି ପିଆଜ ମିସନ୍ ଆରମ୍ଭ କରିଥିଲେ। ରାଜ୍ୟରେ ପିଆଜ ଉତ୍ପାଦନ କରି ଖାଉଟିଙ୍କ ଚାହିଦା ପୂରଣ ଉଦ୍ଦେଶ୍ୟରେ ଏହି ମିସନ୍ ଆରମ୍ଭ ହୋଇଥିଲା। ଏହା ଭିତରେ ୫ ବର୍ଷ ବିତିଗଲାଣି। ମିସନ୍ କୁଆଡ଼େ ଗଲା ? ଏହା କାହିଁକି ସଫଳ ହୋଇପାରିଲାନି ? ୨୦୧୮-୧୯ ମସିହାରେ ରାଜ୍ୟରେ ୩.୭୩ ଲକ୍ଷ ଟନ୍ ପିଆଜ ଅମଳ ହୋଇଥିଲା। କିନ୍ତୁ ସଂରକ୍ଷଣ ବ୍ୟବସ୍ଥାର ଅଭାବ ଓ ଅମଳ ସମୟରେ ଚାଷୀ ଅଭାବୀ ବିକ୍ରିର ଶିକାର ହୋଇ କମ୍ ମୂଲ୍ୟରେ ପିଆଜ ବିକ୍ରି କରିଥିଲା। ରାଜ୍ୟରେ ଏବେ ୧୨୮ରୁ ୮୦ଟି ଶୀତଳ ଭଣ୍ଡାର ଅଚଳ ହୋଇପଡ଼ିଛି। ପିଆଜ ଚାଷୀଙ୍କୁ ଋଣ ଦେବା ତ ଦୂରର କଥା, ଜମିକୁ ପାଣି ଓ ବିହନର ବ୍ୟବସ୍ଥା କରିପାରି ନ ଥିବାରୁ ପିଆଜ ଚାଷୀ ଆଜି ଚାଷ କରିବାକୁ ପଛଘୁଞ୍ଚା ଦେଉଛି। ମନ୍ତ୍ରୀ ନିଜ ଦାୟିତ୍ବ ଠିକ୍ ଭାବେ ନିର୍ବାହ କରିବାକୁ ବିଜେପି ଆହ୍ବାନ ଦେଇଛି।

Leave A Reply

Your email address will not be published.