ଆଇଆଇଏମ୍ ଲକ୍ଷ୍ନୌରେ ଓଡ଼ିଆ ପ୍ରଫେସରଙ୍କୁ ବଡ଼ ଦାୟିତ୍ବ

0

ଭୁବନେଶ୍ବର,୨୬/୧୦: ବିଶିଷ୍ଟ ଶିକ୍ଷାବିତ୍‌ ତଥା ଆଇଆଇଏମ୍‌-ଲକ୍ଷ୍ନୌର ମାର୍କେଟିଂ ପ୍ରଫେସର ସତ୍ୟଭୂଷଣ ଦାଶଙ୍କୁ ଏକ ଗୁରୁତ୍ବପୂର୍ଣ୍ଣ ପଦବିରେ ନିଯୁକ୍ତି ମିଳିଛି। ତାଙ୍କୁ ବିପିସିଏଲ୍‌ ଚେୟାର ପ୍ରଫେସର ଇନ୍ କଷ୍ଟୁମର୍ କେୟାର ଭାବେ ନିଯୁକ୍ତି ଦିଆଯାଇଛି। ଚେୟାର ପ୍ରଫେସର ଭାବେ ଶ୍ରୀ ଦାଶ କଷ୍ଟମର୍‌ କେୟାର୍‌ରେ ଗବେଷଣା କାର୍ଯ୍ୟକୁ ପ୍ରୋତ୍ସାହନ ଦେବେ। ତାଙ୍କ ନେତୃତ୍ବରେ ଆଇଆଇଏମ୍‌ରେ ବିଶ୍ବସ୍ତରୀୟ କଷ୍ଟମର୍‌ କେୟାର ସେଣ୍ଟର୍‌ ପ୍ରତିଷ୍ଠା ହେବ। ପ୍ରଫେସର ଦାଶ ଏହା ପୂର୍ବରୁ ସମ୍ମାନଜନକ ଡକ୍ଟର୍‌ ଈଶ୍ବର ଦୟାଲ୍‌ ଚେୟାର ପ୍ରଫେସରସିପ୍ ହାସଲ କରିଛନ୍ତି। ବର୍ତ୍ତମାନ ସେ ଆଇଆଇଏମ୍‌-ଲକ୍ଷ୍ନୌରେ ଏମର୍ଜିଂ ଇକୋନୋମିସ୍‌ରେ ସେଣ୍ଟର୍‌ ଅଫ୍ ମାର୍କେଟିଂରେ ଅଧ୍ୟକ୍ଷ ଅଛନ୍ତି। ତାଙ୍କ ଦ୍ବାରା ରଚିତ ବହୁ ଗବେଷଣାତ୍ମକ ନିବନ୍ଧ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତିକ ପତ୍ରିକାରେ ପ୍ରକାଶ ପାଇଛି। ମାର୍କେଟିଂ ରିସର୍ଚ୍ଚରେ ବାଇବେଲ୍‌ ଭାବେ ବିବେଚିତ ହେଉଥିବା ଟେକ୍ସଟ୍‌ ବୁକ୍ ‘ମାର୍କେଟିଂ ରିସର୍ଚ୍ଚ : ଆନ୍ ଆପ୍ଲାଏଡ୍‌ ଓରିଏଣ୍ଟେସନ୍’‌ର ସେ ସହ ଲେଖକ ଅଛନ୍ତି। ଏହି ପୁସ୍ତକଟି ଛାତଛାତ୍ରୀ, ଶିକ୍ଷାବିତ୍‌ ଓ ବୃତ୍ତିଧାରୀମାନଙ୍କ ପାଇଁ ବେଶ୍‌ ଉପାଦେୟ ଅଟେ।

ନୂଆ ନିଯୁକ୍ତି ପରେ ନିଜ ପ୍ରତିକ୍ରିୟାରେ ପ୍ରଫେସର ଦାଶ କହିଛନ୍ତି ଯେ ଆଇଆଇଏମ୍‌-ଲକ୍ଷ୍ନୌ ପକ୍ଷରୁ ମୋତେ ଏପରି ଏକ ଗୁରୁତ୍ବପୂର୍ଣ୍ଣ ସୁଯୋଗ ଦିଆଯାଇଛି। ଏହି କେନ୍ଦ୍ରରେ ହେବାକୁ ଥିବା ଗବେଷଣା ନିଶ୍ଚିତ ଭାବେ ଭବିଷ୍ୟତର କଷ୍ଟମର୍‌ କେୟାର ଓ କଷ୍ଟମର୍‌ କୈନ୍ଦ୍ରିକ ବ୍ୟବସାୟ ସଂସ୍କୃତି‌ରେ ନୂଆ ଦିଶା ଦେଖାଇବ। ପ୍ରଫେସର ଦାଶ ହେଉଛନ୍ତି ନିମାପଡ଼ା କଲେଜର ପୂର୍ବତନ ଅଧ୍ୟକ୍ଷ କୈଳାସ ଚନ୍ଦ୍ର ଦାଶ ଓ ଜ୍ୟୋତ୍ସ୍ନାମୟୀ ଦାଶଙ୍କ ପୁତ୍ର। ସୂଚନାଯୋଗ୍ୟ ଭାରତ ସରକାରଙ୍କ ମହାରତ୍ନ ପିଏସ୍‌ୟୁ ଭାରତ ପେଟ୍ରୋଲିୟମ୍ ପକ୍ଷରୁ କଷ୍ଟମର୍‌ କେୟାର୍‌ ‌କ୍ଷେତ୍ରରେ ଅଧିକ ଗବେଷଣା ପାଇଁ ବିପିସିଏଲ୍‌ ଚେୟାର ପ୍ରତିଷ୍ଠା କରାଯାଇଛି।

Leave A Reply

Your email address will not be published.