ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ଶଯ୍ୟା ସଂଖ୍ୟା ୧୦୦୦କୁ ବଢ଼ିବ

୧୫୦କୁ ବଢ଼ିବ କ୍ୟାପିଟାଲ ହସ୍ପିଟାଲ ଆଇସିୟୁ

0

ଭୁବନେଶ୍ବର, ୧୭/୬ : କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜ, ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ଓ କ୍ୟାପିଟାଲ ହସ୍ପିଟାଲର ରୂପରେଖ ବଦଳିବ। ଏହି ୩ଟି ପ୍ରମୁଖ ହସ୍ପିଟାଲର ପୁନଃବିକାଶ ପାଇଁ ରାଜ୍ୟ ସରକାର ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରିଛନ୍ତି। ହସ୍ପିଟାଲଗୁଡ଼ିକରେ ରୋଗୀଙ୍କ ଚାପକୁ ନଜରରେ ରଖି ଶଯ୍ୟା ସଂଖ୍ୟା ବୃଦ୍ଧି କରିବା ସହିତ ରୋଗୀ ସଂପର୍କୀୟଙ୍କ ରହଣି କେନ୍ଦ୍ର ଓ ଭବିଷ୍ୟତ ସଂପ୍ରସାରଣ ଯୋଜନାକୁ ନଜରରେ ରଖି ନକ୍ସା ପ୍ରସ୍ତୁତ କରାଯାଇଛି।

ନିକଟରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗରେ ଏ ସଂକ୍ରାନ୍ତରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନ(ଏଏଚ୍‌ପିଜିଆଇସି) ଶଯ୍ୟା ସଂଖ୍ୟା ହଜାରେକୁ ବୃଦ୍ଧି କରିବା ଉପରେ ନିଷ୍ପତ୍ତି ହୋଇଛି। ବର୍ତ୍ତମାନ ଏଏଚ୍‌ପିଜିଆଇସିର ଶଯ୍ୟା ସଂଖ୍ୟା ୨୮୧ ରହିଛି। ଏଥିରେ। ୨୫୦ ଶଯ୍ୟା ବିଶିଷ୍ଟ ଅଡିଟୋରିୟମ୍‌ ଓ ୫୦ଶଯ୍ୟା ବିଶିଷ୍ଟ ଦୁଇଟି ଲେକ୍‌ଚର ହଲ୍‌ ରହିବ। କର୍କଟ କେନ୍ଦ୍ର ପରିସରରେ ଅଲଗା ହଷ୍ଟେଲ ସୁବିଧା ରହିବ ନାହିଁ। ଏସ୍‌ସିବି କ୍ୟାମ୍ପସ ପରିସରରେ ଥିବା ଆବାସିକ ଜୋନ୍‌ରେ ଅତିକମ୍‌ରେ ୨୫୦ ଛାତ୍ରଙ୍କ ରହିବା ଭଳି ବ୍ୟବସ୍ଥା କରାଯିବ। ଏସ୍‌ସିବି ପରିସରରେ ଅଲଗା ଗେଷ୍ଟ ହାଉସ ବ୍ଲକ୍ ରହିବ। ଉଭୟ ଏସ୍‌ସିବି ଓ ଆଚାର୍ଯ୍ୟ ହରିହର କେନ୍ଦ୍ରର ବ୍ୟବହାର ଯୋଗ୍ୟ ୫ଟି ଭିଆଇପି ରୁମ ଓ ୨୦ଟି ସୁଟ୍‌ ରୁମ୍‌ର ବ୍ୟବସ୍ଥା କରାଯିବ। ଏହାସହ ଏସ୍‌ସିବି ମେଡିକାଲ କଲେଜର ଏମ୍‌ସିଏଚ୍‌ କମ୍ପ୍ଲେକ୍ସର ଶଯ୍ୟା ସଂଖ୍ୟା ୫ଶହକୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ହୋଇଛି। ୨ଶହ କ୍ଷମତା ବିଶିଷ୍ଟ ସେମିନାର ହଲ୍‌ ନିର୍ମାଣ କରାଯିବା ସହିତ ଏହାକୁ ୧୦୦ ଶଯ୍ୟା‌ରେ ଦୁଇ ଭାଗରେ ବିଭକ୍ତ କରାଯିବ।

ସେହିପରି କ୍ୟାପିଟାଲ ହସ୍ପିଟାଲ ଓ ପିଜି ଇନଷ୍ଟିଚ୍ୟୁଟ୍‌ ଉପରେ ମଧ୍ୟ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ଏହି ଦୁଇ କେନ୍ଦ୍ର ଏକ ସମ୍ବେଦନଶୀଳ ସ୍ଥାନରେ ରହିଥିବାରୁ ସ୍ନାତକ ଶିକ୍ଷା ପାଇଁ ସେଠାରେ କୌଣସି ବ୍ୟବସ୍ଥା କରାଯିବ ନାହିଁ। କ୍ୟାପିଟାଲ ହସ୍ପିଟାଲ, ପିଜି ଇନଷ୍ଟିଚ୍ୟୁଟ୍‌ ଓ ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ(ଓୟୁଏଚ୍‌ଏସ୍‌)କୁ ନଜରରେ ରଖି ଏକ ମିଳିତ ୫ଶହ ଶଯ୍ୟା ବିଶିଷ୍ଟ ଅଡିଟୋରିୟମ୍‌ର ନିର୍ମାଣ କରାଯିବ। ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିଭାବେ କ୍ୟାପିଟାଲ ହସ୍ପିଟାଲରେ ଆଇସିୟୁ ସଂଖ୍ୟା ୧୫୦କୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ହୋଇଛି। ଏହାସହ ‌ବିଶେଷଜ୍ଞ ଭିତ୍ତିକ ସୁପର ସ୍ପୋଶାଲିଟି ଆଇସିୟୁ ପ୍ରତିଷ୍ଠା ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି। କ୍ୟାପିଟାଲ ହସ୍ପିଟାଲ ଓ କ୍ୟାପିଟାଲ ହସ୍ପିଟାଲ ପିଜି ପ୍ରତିଷ୍ଠାନ ପାଇଁ ୩୦ ଶଯ୍ୟା ବିଶିଷ୍ଟ ଗେଷ୍ଟ ହାଉସ୍‌ର ନିର୍ମାଣ ହେବ। ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟର ପଶ୍ଚିମ ପାର୍ଶ୍ବରେ ପିଜି, କ୍ୟାପିଟାଲ ହସ୍ପିଟାଲ ଓ ବିଶ୍ବବିଦ୍ୟାଳୟ ପାଇଁ ହଷ୍ଟେଲ ନିର୍ମାଣ କରାଯିବା ସହିତ ହସ୍ପିଟାଲ କ୍ୟାମ୍ପସରେ ଥିବା ଖାଲି ସ୍ଥାନରେ ରୋଗୀ ଆଟେଣ୍ଡାଣ୍ଟ୍‌ଙ୍କ ପାଇଁ ରହଣି ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ହୋଇଛି। ତେବେ ଭବିଷ୍ୟତରେ କୌଣସି ପ୍ରକାର ସଂପ୍ରସାରଣ ପାଇଁ ଖାଲି ସ୍ଥାନ ରଖିବାକୁ ନିର୍ଦେଶ ଦିଆଯାଇଛି। କ୍ୟାପିଟାଲ ହସ୍ପିଟାଲ, ଓଡ଼ିଶା ସେତୁ ନିର୍ମାଣ ନିଗମ(ଓବିସିସି) ଓ ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟର କର୍ତୃପକ୍ଷ ହସ୍ପିଟାଲର ପୁନଃବିକାଶ ପାଇଁ ଯେଉଁସବୁ ନିଷ୍ପତ୍ତି ହୋଇଛି ତାହାର ସମୀକ୍ଷା କରିବା ଲାଗି ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।

 

Leave A Reply

Your email address will not be published.