ସମସ୍ତ କଲେଜ ବନ୍ଦ କରିବାକୁ ବିଏମ୍‌ସିର ନିର୍ଦ୍ଦେଶ

ଭୁବନେଶ୍ବର, ୭।୪: ରାଜଧାନୀ ଭୁବନେଶ୍ୱରରେ ଗତ ଏକ ମାସ ମଧ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦ଗୁଣ ବୃଦ୍ଧି ପାଇଥିବା ବେଳେ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ଆଜି ରାଜଧାନୀର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ ଖାଲି ଅବା କୋଭିଡ୍ ନିୟମ କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶନାମା ଜାରି କରିଛି।

ଆଜି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଏକ ନିର୍ଦ୍ଦେଶନାମା ଜାରି କରି ରାଜଧାନୀର ସମସ୍ତ ଯୁକ୍ତ ଦୁଇ କଲେଜ, ଡିଗ୍ରୀ କଲେଜ ସମେତ ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନରେ କୋଭିଡ୍ ନିୟମକୁ କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆଉ ଯେଉଁ ପିଲାମାନଙ୍କର ପରୀକ୍ଷା ଶେଷ ହୋଇଯାଇଛି ସେମାନେ ତୁରନ୍ତ ହଷ୍ଟେଲ ଖାଲି କରିବାକୁ ବିଏମସି କମିଶନର ନିିର୍ଦ୍ଦେଶ ଦେଇଛନ୍ତି।
ବିଏମସି ପକ୍ଷରୁ ଜାରି ଗାଇଡଲାଇନ୍ ଅନୁସାରେ, ଯେଉଁ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇସାରିଛନ୍ତି ଓ ସେମାନଙ୍କର ଆଉ କୌଣସି ପରୀକ୍ଷା ବାକି ନାହିଁ ସେମାନେ ତୁରନ୍ତ ହଷ୍ଟେଲ ପରିସର ଖାଲି କରିବେ।

କଲେଜ କର୍ତ୍ତୃପକ୍ଷ ଏନେଇ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ପିତାମାତାଙ୍କୁ ଅବଗତ କରାଇବେ। ଯେଉଁ ଛାତ୍ରଛାତ୍ରୀଙ୍କର ପରୀକ୍ଷା ବାକି ଅଛି ସେମାନେ ପରୀକ୍ଷା ସରିବା ମାତ୍ରେ ହଷ୍ଟେଲ ଛାଡ଼ିବେ ଓ ତା’ପୂର୍ବରୁ ନିଜ ପିତାମାତାଙ୍କୁ ଅବଗତ କରିବେ। ଯେଉଁ ପିଲାମାନେ ପରୀକ୍ଷା ପାଇଁ ହଷ୍ଟେଲରେ ରହିବେ ସେମାନେ କୋଭିଡ୍ ନିୟମ ପାଳନ କରି ଏକାକୀ ରହିବାକୁ ଚେଷ୍ଟା କରିବେ। ସବୁ ସମୟରେ ମାସ୍କ, ସାମାଜିକ ଦୂରତ୍ୱ ଓ ହାତ ପରିଷ୍କାର କରିବା ସହ ହଷ୍ଟେଲର ମେସ, କରିଡର ଓ କମନରୁମରେ ମଧ୍ୟ କୋଭିଡ୍ ନିୟମ ପାଳନ କରିବେ।ଏହାସହିତ କୋଭିଡ୍ ନିୟମ ପାଳନକୁ ସୁନିଶ୍ଚିତ କରିବା ଓ ଛାତ୍ରଛାତ୍ରୀଙ୍କ ସୁସ୍ଥ ରହିବାକୁ ସୁନିଶ୍ଚିତ କରାଇବା ପାଇଁ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କ ଦାୟୀ ରହିବେ ବୋଲି ବିଏମସି କମିଶନର ଶ୍ରୀ ଚୌଧୁରୀ କହିଛନ୍ତି।

ସୂଚନାଯୋଗ୍ୟ, ଆଜି ରାଜଧାନୀ ଭୁବନେଶ୍ୱରରେ ମୋଟ  ୧୦୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ଓ ଗତକାଲି ୧୦୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲା।

Comments are closed.