ବିଏମ୍‌ସିର ବାତ୍ୟା ଚିନ୍ତା: ମୁଖ୍ୟାଳୟ ଛାଡ଼ି ପାରିବେନି ଅଧିକାରୀ

ଭୟଭୀତ ହୁଅନ୍ତୁ ନାହିଁ: ମେୟର

ଭୁବନେଶ୍ୱର, ୫/୫: ସମ୍ଭାବ୍ୟ ବାତ୍ୟା ମୋଚାର ମୁକାବିଲା ପାଇଁ ବିଏମ୍‌ସି ପ୍ରସ୍ତୁତି ଆରମ୍ଭ କରିଛି। ଆଜି ଏ ନେଇ ବିଏମ୍‌ସି ଏକାମ୍ର ହଲ୍‌ରେ ବସିଥିବା ଏକ ପ୍ରସ୍ତୁତି ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବୈଠକରେ ଅଧ୍ୟକ୍ଷତା କରିବା ଅବସରରେ ମେୟର ସୁଲୋଚନା ଦାସ ଜିରୋ କାଜୁଆଲିଟିଉପରେ ଗୁରୁତ୍ବାରୋପ କରିଛନ୍ତି। ପ୍ରତ୍ୟେକ ଜୋନ୍‌ ଓ ମୁଖ୍ୟାଳୟରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି। ତାସହିତ କୌଣସି ଅଧିକାରୀ କିମ୍ବା କର୍ମଚାରୀ ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ମୁଖ୍ୟାଳୟ ଛାଡ଼ି ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି। ୱାର୍ଡସ୍ତରରେ ମଧ୍ୟ ବୈଠକ କରି ପ୍ରସ୍ତୁତ ରହିବାକୁ କୁହାଯାଇଛି।

ବାତ୍ୟା ସଂପର୍କରେ ସୂଚନା ପ୍ରଦାନ ପାଇଁ ବିଏମ୍‌ସି ମୁଖ୍ୟାଳୟର ଟୋଲ ଫ୍ରି ନମ୍ବର ୧୯୨୯ ସେବାରେ ଅଧିକ ତିନିଜଣଙ୍କୁ ଦାୟିତ୍ୱ ଦିଆଯାଇଛି। ଜୋନ୍‌ ଅଫିସଗୁଡିକରେ ସ୍ୱତନ୍ତ୍ର ହ୍ୱାଟ୍‌ସଆପ୍ ନମ୍ବର ଜାରି କରାଯିବ। ଆସନ୍ତା ୧୦ ଦିନ ଯାଏଁ ଏ ସବୁ ପ୍ରସ୍ତୁତ ରହିବ। ହ୍ୱାଟ୍‌ସଆପ୍ ନମ୍ବର ଜାରି ହେବା ପର୍ଯ୍ୟନ୍ତ ୧୯୨୯କୁ କଲ୍‌ କରିବାକୁ କୁହାଯାଇଛି। ବିପଦସଂକୁଳ ଅବସ୍ଥାରେ ରହିଥିବା କୋଠାଘର, ଗଛ, ବିଦ୍ୟୁତ୍‌ଖୁଣ୍ଟ, ତଳିଆ ଅଞ୍ଚଳରେ ଥିବା କଚ୍ଚା ଘର ଓ ଜଳମଗ୍ନ ହେଉଥିବା ବସ୍ତିଗୁଡିକୁ ଚିହ୍ନଟ କରିବାକୁ କୁହାଯାଇଛି। ଘରୋଇ ଓ ବିଏମ୍‌ସି କଲ୍ୟାଣ ମଣ୍ଡପ, ବିଦ୍ୟାଳୟ, କମ୍ୟୁନିଟି ସେଣ୍ଟରଗୁଡିକୁ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳ ଭାବେ ବ୍ୟବହାର କରାଯିବ। ଏଣୁ ଏ ସବୁ ଯାଞ୍ଚ କରିବାକୁ କୁହାଯାଇଛି। ସେଠାରେ ପାଇଖାନା, ପାନୀୟ ଜଳ, ଜେନେରେଟର, ଶୁଖିଲା ଖାଦ୍ୟ, ଔଷଧ ଆଦି ଉପଲବ୍ଧ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟା ପରେ ରାସ୍ତାଉପରେ ପଡ଼ିଥିବା ଗଛଗୁଡିକୁ କାଟିବା ପାଇଁ ଆବଶ୍ୟକ କଟର, ଗାଡ଼ି ଇତ୍ୟାଦି ପ୍ରସ୍ତୁତ ରଖିବା ସହ ଅଗ୍ନିଶମ କର୍ମଚାରୀମାନେ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି। ବିଏମ୍‌ସି ପ୍ରସ୍ତୁତ ରହିଛି, କେହି ଭୟଭୀତ ହୁଅନ୍ତୁ ନାହିଁ ବୋଲି ଜନସାଧାରଣଙ୍କୁ ମେୟର ଶ୍ରୀମତୀ ଦାସ ଅନୁରୋଧ କରିଛନ୍ତି।

ବାତ୍ୟା ପୂର୍ବରୁ, ବାତ୍ୟା ସମୟରେ ଓ ବାତ୍ୟା ପରେ ତିନିଟି ସ୍ତରରେ ମୁକାବିଲା ପାଇଁ ବିଏମ୍‌ସି ପ୍ରସ୍ତୁତ ଥିବା କମିସନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି। ଲୋକମାନଙ୍କୁ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବା, ବାତ୍ୟା ସମୟରେ ଖାଦ୍ୟପେୟ ଓ ଔଷଧ ଯୋଗାଇବା, ବତ୍ୟା ପରେ ରାସ୍ତାରେ ପଡ଼ିଥିବା ଗଛଗୁଡିକୁ କାଟିବା ସହ ତୁରନ୍ତ ଜଳ ନିଷ୍କାସନ ପାଇଁ ପ୍ରମୁଖ ଡ୍ରେନ ଜାଲି ସଫେଇ ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଅଗ୍ନିଶମ ବିଭାଗ ଗଛକଟା ମେସିନ ଓ ଗାଡ଼ି ସହ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଆବଶ୍ୟକ ପାଣିଟ୍ୟାଙ୍କର ପ୍ରସ୍ତୁତ ରଖିବାକୁ ୱାଟ୍‌କୋକୁ କୁହାଯାଇଛି। ପ୍ରସ୍ତୁତି ବୈଠକରେ ଡେପୁଟି ମେୟର ମଞ୍ଜୁଲତା କହଁର, ସମସ୍ତ କର୍ପୋରେଟର, ଅତିରିକ୍ତ କମିସନର ଲକ୍ଷ୍ମୀକାନ୍ତ ସେଠୀ, ଶୁଭେନ୍ଦୁ କୁମାର ସାହୁ, ସୂର୍ଯ୍ୟବଂଶୀ ମୟୂର ବିକାଶ ଓ ଡେପୁଟି କମିସନର ଅଶୋକ କୁମାର ଲେଙ୍କା ଓ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Comments are closed.