ଗରିବ କଲ୍ୟାଣ ରୋଜଗାର ଅଭିଯାନ ଯୋଜନାରେ 85 ହଜାରରୁ ଅଧିକ ଜଳଅମଳ ପ୍ରକଳ୍ପ ଏବଂ 2.63 ଲକ୍ଷରୁ ଊର୍ଦ୍ଧ୍ଵ ଗ୍ରାମୀଣ ଆବାସ ନିର୍ମାଣ ହୋଇଛି

0

କରୋନ ମହାମାରୀ ବ୍ୟାପିବା ପରେ ଗାଁକୁ ଫେରି ଆସିଥିବା ପ୍ରବାସୀ ଶ୍ରମିକ ଏବଂ ସ୍ଥାନୀୟ କର୍ମଜୀବୀଙ୍କୁ ଜୀବିକା ଊପାର୍ଜନ ପାଇଁ ନିଯୁକ୍ତି ସୁଯୋଗ ଯୋଗାଇଦେବା ନିମନ୍ତେ ଗରିବ କଲ୍ୟାଣ ରୋଜଗାର ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଓଡିଶା, ବିହାର, ଝାଡଖଣ୍ଡ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଉତ୍ତର ପ୍ରଦେଶ  ଭଳି ଅଧିକ ଶ୍ରମିକ ବହୁଳ ଏବଂ ପ୍ରବାସୀ ଶ୍ରମିକପ୍ରବଣ ରାଜ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହେଉଛି । ଏହା ବେଶ୍‌ ଦ୍ରୁତଗତିରେ ଆଗେଇ ଚାଲିଛି । ଏସବୁ ରାଜ୍ୟର ମୋଟ 116ଟି ଜିଲ୍ଲାରେ ଏହା ସଫଳତାର ସହ କାର୍ଯ୍ୟକାରୀ ହେବା ସହିତ ଗ୍ରାମବାସୀମାନଙ୍କୁ ରୋଜଗାର ଯୋଗାଇ ସଶକ୍ତ କରୁଛି ।

ଏହି ଯୋଜନା କାର୍ଯ୍ୟକାରୀ ହେବାର 9ମ ସପ୍ତାହ ସୁଦ୍ଧା 24 କୋଟି ଶ୍ରମ ଦିବସ ସୃଷ୍ଟି କରାଯାଇ ଶ୍ରମିକମାନଙ୍କୁ କାମ ଯୋଗାଇ ଦିଆଯାଇଛି । ଏ ପର୍ଯ୍ୟନ୍ତ ଏହି ଯୋଜନାରେ ବିଭିନ୍ନ କାର୍ଯ୍ୟ ପାଇଁ ମୋଟ 18,862 କୋଟି ଟଙ୍କା ବ୍ୟୟ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଏସବୁ ଜିଲ୍ଲାରେ ବହୁ ସଂଖ୍ୟକ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି । ଏଥିମଧ୍ୟରେ 85786ଟି ଜଳଅମଳ ପ୍ରକଳ୍ପ, 2,63,846 ଗ୍ରାମାଞ୍ଚଳ ଘର, 19,397 ଗୁହାଳ,  12,798 ଚାଷ ପୋଖରୀ ଏବଂ 4,260 ଗୋଷ୍ଠୀ ଶୌଚାଳୟ ଅନ୍ତର୍ଭୁକ୍ତ । ଏହିସବୁ କାମ ମଧ୍ୟରୁ 6342ଟି ଜିଲ୍ଲା ଖଣିଜ ପାଣ୍ଠିଦ୍ୱାରା କାର୍ଯ୍ୟକାରୀ ହେଉଛି । ଏହାଛଡା ଇତିମଧ୍ୟରେ 1002ଟି ଗ୍ରାମ ପଞ୍ଚାୟତକୁ ଇଣ୍ଟରନେଟ ସୁବିଧା ଯୋଗାଇ ଦିଆଯାଇଛି । 13022ଟି କଠିନ ଓ ତରଳ ବର୍ଜ୍ୟ ପରିଚାଳନା କାମ ଏହି ଯୋଜନାରେ ଆରମ୍ଭ କରାଯାଇଛି । ଏହାଛଡା 31,658 ଜଣଙ୍କୁ କୃଷି ବିଜ୍ଞାନ କେନ୍ଦ୍ର ଜରିଆରେ ଦକ୍ଷତା ତାଲିମ ପ୍ରଦାନ କରାଯାଇଛି ।

ଏହି ଅଭିଯାନର ସଫଳତା ପଛରେ କେନ୍ଦ୍ରର 12ଟି ମନ୍ତ୍ରଣାଳୟ ଓ ବିଭାଗ ତଥା ସଂପୃକ୍ତ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସ ରହିଛି । ଏହି ସହଯୋଗ ଫଳରେ ସଂପୃକ୍ତ ଘର ଫେରନ୍ତା ପ୍ରବାସୀ ଶ୍ରମିକ ଓ ଗ୍ରାମୀଣ ସମୁଦାୟ ଅଧିକ ସୁବିଧା ସୁଯୋଗ ପାଉଛନ୍ତି । ଯେଉଁ ଶ୍ରମିକମାନେ ଗାଁରେ ରହି କାମ କରିବାକୁ ଆଗ୍ରହୀ ସେମାନଙ୍କ ପାଇଁ ଏଭଳି ରୋଜଗାର ସୁବିଧା ଅଧିକ ଦିନ ଯୋଗାଇ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

Leave A Reply

Your email address will not be published.