ଜାତୀୟ ରାଜପଥ ଟୋଲ ଫି ପ୍ଲାଜାରେ ସମସ୍ତ ପ୍ରକାର ରିହାତି ପାଇବା ପାଇଁ ଫାଷ୍ଟଟ୍ୟାଗ୍‌ ବାଧ୍ୟତାମୂଳକ

0

ଦେଶର ଜାତୀୟ ରାଜପଥଗୁଡିକରେ ଥିବା ପଥକର ଆଦାୟ କେନ୍ଦ୍ର ବା ଟୋଲ ଫି ପ୍ଲାଜାଗୁଡିକରେ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଗାଡି ଚାଳକମାନଙ୍କ ପାଇଁ ଫାଷ୍ଟଟ୍ୟାଗ୍‌ ବ୍ୟବହାରକୁ ବାଧ୍ୟତାମୂଳକ କରିଛନ୍ତି । ଏହାଫଳରେ ଗାଡିଚାଳକମାନେ ଫେରନ୍ତା ଯାତ୍ରାରେ ରିହାତି ସମେତ ଅନ୍ୟ ସମସ୍ତ ପ୍ରକାର ସୁବିଧା ପାଇପାରିବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଏ ସଂପର୍କରେ ପ୍ରକାଶିତ ଏକ ଗେଜେଟ ବିଜ୍ଞପ୍ତି (ନଂ 534-ଇ ଦିନାଙ୍କ 24 ଅଗଷ୍ଟ 2020)ରେ କୁହାଯାଇଛି ଯେ ଜାତୀୟ ରାଜପଥରେ ପଥକର ନିର୍ଦ୍ଧାରଣ ଏବଂ ଆଦାୟ ସଂକ୍ରାନ୍ତ 2008 ମସିହାର ଆଇନରେ ପରିବର୍ତ୍ତନ କରାଯାଇଛି । ତେଣୁ ଏବେ ଯାନବାହନ ଚାଳକମାନଙ୍କୁ ଫେରିବାର 24 ଘଣ୍ଟା ମଧ୍ୟରେ ରିହାତି ସୁବିଧା ହାସଲ କରିବା ଏବଂ ଅନ୍ୟାନ୍ୟ ସମସ୍ତ ସ୍ଥାନୀୟ କରଛାଡ ଏବଂ ଅନ୍ୟାନ୍ୟ ସୁବିଧା ପାଇବା ପାଇଁ ଫାଷ୍ଟଟ୍ୟାଗ୍‌ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି ।

ଜାତୀୟ ରାଜପଥର ଟୋଲ ଫି ପ୍ଲାଜାଗୁଡିକରେ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ପାଇଁ ଏହା ସରକାରଙ୍କ ଆଉ ଏକ ପଦକ୍ଷେପ । ଗାଡି ଚାଳକମାନଙ୍କ ପଥକର ବାବଦରେ ଯେଉଁ ଅର୍ଥ ଦେବାକୁ ହେବ ତାହା ପ୍ରିପେଡ୍‌ ବ୍ୟବସ୍ଥାରେ ହିଁ ହେବ । ସେହି ଦେୟ ଉପରେ ଆବଶ୍ୟକ ରିହାତି ମଧ୍ୟ ଡିଜିଟାଲ ବ୍ୟବସ୍ଥାରେ ହିସାବ କରାଯାଇ ନିୟମ ଅନୁସାରେ ଫେରସ୍ତ କରାଯିବ । ଏସବୁ ଦେଣନେଣ ସ୍ମାର୍ଟକାର୍ଡ ବା ଫାଷ୍ଟଟ୍ୟାଗ୍‌ରେ ହେଉଥିବାରୁ ସବୁ ଗାଡିଚାଳକ ଏଭଳି ବ୍ୟବସ୍ଥାକୁ ବ୍ୟବହାର କରିବାକୁ କୁହାଯାଇଛି ।

ସଂଶୋଧିତ ନିୟମ ଅନୁସାରେ ଗାଡି ଚାଳକମାନଙ୍କୁ ଯେଉଁସବୁ ସୁବିଧା ପ୍ରଦାନ କରାଯିବ ତାହା ନିମ୍ନରେ ଦିଆଯାଇଛି ।

1. ଗାଡି ଚାଳକଙ୍କୁ ଟୋଲ ପ୍ଲାଜାରେ ଫେରନ୍ତା ଯାତ୍ରା ପାଇଁ ଯାତ୍ରାର ୨୪ ଘଣ୍ଟା ମଧ୍ୟରେ ରିହାତି ବ୍ୟବସ୍ଥାର ସୁବିଧା ମିଳିବ । ଏହି ରିହାତି ଫାଷ୍ଟଟ୍ୟାଗ୍‌ ବା ସେହିଭଳି ବ୍ୟବସ୍ଥାରେ ପ୍ରଦାନ କରାଯିବ । ଏହା ସ୍ୱୟଂକ୍ରିୟ ଭାବେ କାର୍ଯ୍ୟ କରିବ ଏବଂ ଏଥିପାଇଁ ପାସ୍‌ର ଆବଶ୍ୟକତା ପଡିବ ନାହିଁ ।

2. ଅନ୍ୟାନ୍ୟ କ୍ଷେତ୍ରରେ ଟୋଲ ପ୍ଲାଜାରେ ରିହାତି ଏବଂ ଅନ୍ୟାନ୍ୟ ସୁବିଧା ପାଇବା ପାଇଁ ବୈଧ ଫାଷ୍ଟଟ୍ୟାଗ୍‌ ବ୍ୟବହାର କରିବାକୁ ପଡିବ ।

ସଂଶୋଧନ ଅନୁସାରେ ଆହୁରି ମଧ୍ୟ ଗାଡି ଚାଳକଙ୍କ ପାଇଁ ଏପରି ସୁବିଧା ପ୍ରଦାନ କରାଯାଇଛି । ଯଦି କେହି ଚାଳକ 24 ଘଣ୍ଟାରେ ଫେରିବା ଲାଗି ଦେୟ ରିହାତି ପାଇଥାଏ ସେଥିପାଇଁ ଆଗୁଆ ରସିଦ କିମ୍ବା ସୂଚନାର କୌଣସି ଆବଶ୍ୟକତା ନାହିଁ । ସେ 24 ଘଣ୍ଟା ମଧ୍ୟରେ ଫେରିଲେ ସ୍ୱୟଂକ୍ରିୟ ବ୍ୟବସ୍ଥାରେ ରିହାତି ପାଇପାରିବେ ।  ଏଥିପାଇଁ ଗାଡିରେ ବୈଧ ଓ କାର୍ଯ୍ୟକ୍ଷମ ଫାଷ୍ଟଟ୍ୟାଗ୍‌ ଲଗାଇବାକୁ ପଡିବ ।

Leave A Reply

Your email address will not be published.