କ୍ୟାପିଟାଲ ହସ୍ପିଟାଲରେ ଶିଶୁ ବଦଳ ଅଭିଯୋଗ : ଆସିଲା ଡିଏନଏ ରିପୋର୍ଟ, ଜନ୍ମ ହୋଇଥିଲା ଝିଅ

0

ଭୁବନେଶ୍ବର,୫।୧: କ୍ୟାପିଟାଲ ହସ୍ପିଟାଲରେ ନବଜାତ ଶିଶୁ ଅଦଳବଦଳ ଘଟଣାର ଡିଏନଏ ରିପୋର୍ଟ ଆସିଛି। ଝିଅ ଜନ୍ମ ହୋଇଥିବା ନେଇ ରିପୋର୍ଟରେ ସ୍ପଷ୍ଟ କରାଯାଇଛି। ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।

ଜଣେ ପ୍ରସୂତିଙ୍କ ଅସ୍ତ୍ରୋପଚାର ହୋଇ ପୁତ୍ର  ସନ୍ତାନ ଜନ୍ମ ହୋଇଥିଲା ବୋଲି କୁହାଯାଇଥିଲା ।  ହେଲେ ପରେ ସନ୍ତାନ ବଦଳ କରି କନ୍ୟା ସନ୍ତାନ  ଦିଆଯାଇଥିଲା ବୋଲି ପ୍ରସୂତିଙ୍କ ସ୍ୱାମୀ ପ୍ରାଣକୃଷ୍ଣ  ବିଶ୍ୱାଳ ଅଭିଯୋଗ କରିଥିଲେ । ଏନେଇ ସେ କ୍ୟାପିଟାଲ ଥାନା ଓ କ୍ୟାପିଟାଲ ହସ୍ପିଟାଲ  ନିର୍ଦ୍ଦେଶକଙ୍କ ପାଖରେ ଲିଖିତ ଅଭିଯୋଗ  କରିଥିଲେ ।

ପ୍ରାଣକୃଷ୍ଣଙ୍କ ଅଭିଯୋଗକୁ ଆଧାର  କରି ନିର୍ଦ୍ଦେଶକ ଡା. ଲକ୍ଷ୍ମୀଧର ସାହୁ ତୁରନ୍ତ  ଘଟଣା ସମ୍ପର୍କରେ ତିନିଜଣିଆ କମିଟି ଗଠନ କରି  ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ହେଲେ ପ୍ରାଣକୃଷ୍ଣଙ୍କ  ପତ୍ନୀ କନ୍ୟା ସନ୍ତାନ ଜନ୍ମ କରିଥିବା ତଦନ୍ତରୁ  ସ୍ପଷ୍ଟ ହୋଇଥିଲା । ତଦନ୍ତରେ ଅସନ୍ତୁଷ୍ଟ ପ୍ରାଣକୃଷ୍ଣ  ଡିଏନଏ ଟେଷ୍ଟ କରିବାକୁ ଦାବି କରିଥିଲେ । ଘଟଣାରେ କ୍ୟାପିଟାଲ ଥାନା ଏକ ମାମଲା ରୁଜୁ କରିଥିଲା ।  କୋର୍ଟ ଙ୍କ ନିର୍ଦ୍ଦେଶ କ୍ରମେ ଡିଏନଏ ଟେଷ୍ଟ କରାଯାଇଥିଲା ।  ପ୍ରାଣକୃଷଙ୍କ ପତ୍ନୀ ଓ ଶିଶୁର ସାମ୍ପୁଲ କୁ ସଂଗ୍ରହ କରାଯାଇଥିଲା। ରିପୋର୍ଟ ଆସିବା ପରେ ପୁରା ସତ୍ୟ ପଦାକୁ ଆସିଛି । ସେପଟେ ଉଭୟ ମା’ ଓ ଛୁଆ ସୁସ୍ଥ ଥିବା କହିଛି ଡାକ୍ତରୀ ଟିମ। ଅନ୍ୟପକ୍ଷରେ କାର୍ଯ୍ୟରେ ଅବହେଳା ଦର୍ଶାଇ ମହିଳା ଆଟେଣ୍ଡାଣ୍ଟ ଙ୍କୁ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ନିଲମ୍ବିତ କରିଥିଲେ ।

 

Leave A Reply

Your email address will not be published.