ତିର୍ତ୍ତୋଲ ବିଧାୟକଙ୍କ ନାମରେ ଠକେଇ ଓ ପ୍ରତାରଣା ଅଭିଯୋଗ

ଏତଲା ଦାୟର କଲେ ପ୍ରେମିକା

ଭୁବନେଶ୍ବର, ୧୮/୬: ପ୍ରତିଶ୍ରୁତି ଦେଇ ବିବାହ ପାଇଁ ନ ଆସିବାରୁ ତିର୍ତ୍ତୋଲର ବିଧାୟକ ବିଜୟ ଶଙ୍କର ଦାସଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି ତାଙ୍କ ପ୍ରେମିକା ସୋମାଲିକା ଦାଶ।  ଜଗତସିଂହପୁର ଥାନାରେ ସୋମାଲିକା ବିଧାୟକଙ୍କ ନାଁରେ ଆଜି ଏତଲା ଦେଇଛନ୍ତି। ଏତଲାରେ ସୋମାଲିକା ବିଧାୟକଙ୍କ ନାଁରେ ଠକେଇ ଓ ପ୍ରତାରଣା ଆଦି ଅଭିଯୋଗ ଆଣିଛନ୍ତି। ଏହାସହ ବିଧାୟକଙ୍କ ସଂପର୍କୀୟ ତାଙ୍କୁ ଧମକଚମକ ଦେଉଥିବା ସେ ଅଭିଯୋଗ କରିଛନ୍ତି। ଅଭିଯୋଗ ଭିତ୍ତିରେ ଜଗତସିଂହପୁର ପୁଲିସ ବିଧାୟକ ବିଜୟ ଶଙ୍କର ଦାସ, ତାଙ୍କ ଦାଦା ମାନସ ଦାସ, ସଂପର୍କୀୟ ଭାଇ ଦିଲ୍ଲୀପ କୁମାର ଦାସ, ସୁଜିତ କୁମାର ଦାସ, ତୁଷାର ବିଶ୍ୱାଳ, ସରୋଜ ସ୍ୱାଇଁ, ବସନ୍ତ ମହାପାତ୍ର ଏବଂ ଜଗତସିଂହପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ ଭୋଇଙ୍କ ବିରୋଧରେ ଏତଲା ଦାୟର କରିଛନ୍ତି।

ଗତକାଲି ଜଗତସିଂହପୁର ସବ୍‌-ରେଜିଷ୍ଟ୍ରୀ କାର୍ଯ୍ୟାଳୟକୁ ବିଜେଡି ବିଧାୟକ କୋର୍ଟ ମ୍ୟାରେଜ କରିବାକୁ ଆସିନଥିଲେ। ବିଜୟ ଶଙ୍କର ନ ଆସିବାରୁ ପ୍ରାୟ ୩ ଘଣ୍ଟା ଅପେକ୍ଷା କରି ସୋମାଲିକା ଓ ତାଙ୍କ ପରିବାର ସଦସ୍ୟ ଘରକୁ ଫେରିଥିଲେ। ବିଜୟ ଶଙ୍କର ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ଆସିନଥିବାରୁ ସୋମାଲିକା ଜଗତସିଂହପୁର ଥାନାରେ ତାଙ୍କ ନାଁରେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ବିଜୟ ଶଙ୍କର ମୋତେ ଗତକାଲି ନ ଆସିବାକୁ ପୂର୍ବରୁ କିଛି କହିନଥିଲେ।

ବିବାହ ବନ୍ଧନରେ ବାନ୍ଧିହେବା ପାଇଁ ଗତ ମେ’ ୧୭ ତାରିଖରେ ବିଜୟ ଶଙ୍କର ଓ ସୋମାଲିକା ନିଜ ନିଜ ଓକିଲଙ୍କ ସହିତ ସବ୍‌-ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଆବଶ୍ୟକୀୟ କାଗଜପତ୍ର ସହିତ ବିବାହ ପଞ୍ଜୀକରଣ ପାଇଁ ଆବେଦନ କରିଥିଲେ। ଉଭୟଙ୍କ ଆବେଦନକୁ ସବ୍‌-ରେଜିଷ୍ଟ୍ରାର ଗ୍ରହଣ କରି ୩୦ ଦିନ ସମୟ ଦେଇଥିଲେ। ଏହା ପରେ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇ ଜୁନ ୧୭ ଅର୍ଥାତ ଗତକାଲି ବିବାହ ପଞ୍ଜୀକରଣ ଓ ସନ୍ଧ୍ୟାରେ ନିର୍ବନ୍ଧ ପାଇଁ ସ୍ଥିର ହୋଇଥିଲା।

Comments are closed.