କେନ୍ଦ୍ରୀୟ ଆୟୁର୍ବେଦ ଗବେଷଣା ପ୍ରତିଷ୍ଠାନକୁ ‘ଏନ୍‌ଏବିଏଚ୍‌’ ପ୍ରମାଣପତ୍ର

ବାତ ରୋଗୀଙ୍କ ପାଇଁ ଆଶ୍ବସ୍ତି, ସମ୍ପ୍ରସାରିତ ହେବ ଡାକ୍ତରଖାନା

0

ଭୁବନେଶ୍ବର, ୪।୫: ରାଜଧାନୀ ଭରତପୁରରେ ଥିବା ରାଜ୍ୟର ଏକମାତ୍ର କେନ୍ଦ୍ରୀୟ ଆୟୁର୍ବେଦ ଗବେଷଣା ପ୍ରତିଷ୍ଠାନକୁ ପ୍ରଥମଥର ପାଇଁ ‘ଏନ୍‌ଏବିଏଚ୍‌’ ପ୍ରମାଣପତ୍ର ମିଳିଛି। ଭାରତ ସରକାରଙ୍କ ଗୁଣାତ୍ମକ ପରିଷଦ ଦ୍ବାରା ଗଠିତ ନ୍ୟାସନାଲ ଆକ୍ରେଡେଟେସନ ବୋର୍ଡ ଫର ହସ୍‌ପିଟାଲ ଆଣ୍ଡ ହେଲ୍ଥକେୟାର ପ୍ରୋଭାଇଡର ପକ୍ଷରୁ ଏହି ଅଧିସ୍ବୀକୃତି ୨୦୨୩ ମସିହାରୁ ୨୦୨୬ ମସିହା ପର୍ଯ୍ୟନ୍ତ ଦିଆଯାଇଛି। ଏହାପରେ ଆସନ୍ତା ଏକବର୍ଷ ମଧ୍ୟରେ ପ୍ରତିଷ୍ଠାନ ସ୍ଥିତ ପରୀକ୍ଷାଗାରକୁ ‘ଏନ୍‌ବିଏଲ୍‌’ର ସ୍ବୀକୃତି ମିଳିବା ନେଇ ଆଶା ଉଜ୍ଜୀବିତ ହୋଇଥିବା ସୂଚନା ଦେଇଛନ୍ତି କେନ୍ଦ୍ରୀୟ ଆୟୁର୍ବେଦିକ ଗବେଷଣା ପ୍ରତିଷ୍ଠାନ ଭୁବନେଶ୍ବରର ପରିଚାଳନା ନିର୍ଦେଶକ ଡା. ଗୁରୁଚରଣ ଭୂୟାଁ।

ସୂଚନା ଅନୁଯାୟୀ, ଦେଶରେ ଥିବା ୩୦ଟି କେନ୍ଦ୍ରୀୟ ଆୟୁର୍ବେଦିକ ଗବେଷଣା ପ୍ରତିଷ୍ଠାନ ମଧ୍ୟରୁ ୧୯୭୨ ମସିହାରେ ସ୍ଥାପିତ ଭୁବନେଶ୍ବରର ଏହି ଅନୁଷ୍ଠାନ ଅନ୍ୟତମ। ଏନଏବିଏଚର ଅଧିସ୍ବୀକୃତି ସହିତ ଏହି ପ୍ରତିଷ୍ଠାନକୁ ଅନ୍ତର୍ଜାତୀୟସ୍ତରରେ ମାନ୍ୟତା ମିଳିଛି। ଏଥିଯୋଗୁଁ ଏହି ପ୍ରତିଷ୍ଠାନ ସମ୍ପ୍ରସାରଣର ରାସ୍ତା ଖୋଲିଛି। ଏଠାରେ ୩ଟି ଓପିଡିରେ ଦୈନିକ ୧୫୦ରୁ ୧୬୦ ରୋଗୀ ଚିକିତ୍ସିତ ହେଉଛନ୍ତି। ଆଇପିଡିରେ ୫୦ ଶଯ୍ୟା, ୬ଟି କ୍ୟାବିନର ବ୍ୟବସ୍ଥା ରହିଛି। ସମ୍ପ୍ରସାରଣ ଯୋଗୁଁ ଓପିଡି, ଆଇପିଡି ଏବଂ କ୍ୟାବିନ ସଂଖ୍ୟା ବୃଦ୍ଧି ପାଇବ।

ରାଜ୍ୟର ଏହି କେନ୍ଦ୍ରୀୟ ଆୟୁର୍ବେଦିକ ଗବେଷଣା ପ୍ରତିଷ୍ଠାନ ମୁଖ୍ୟତଃ ପୁରାତନ ବାତରୋଗ ଚିକିତ୍ସାରେ ଲୋକପ୍ରିୟତା ଅର୍ଜନ କରିଛି। ଡାକ୍ତର ଗୁରୁଚରଣଙ୍କ କହିବା ଅନୁସାରେ, ସନ୍ଧିବାତ, ଆମବାତ, ରୁନ୍ଧ୍ରସି ସମେତ ୮୦ ପ୍ରକାର ବାତ ଜଣେ ମଣିଷକୁ କବଳିତ କରିପାରେ। ମାତ୍ର ଏଠାରେ ଥିବା ସ୍ବତନ୍ତ୍ର ମର୍ମ କ୍ଲିନିକ, ପଞ୍ଚକର୍ମ ଦ୍ବାରା ବାତ ରୋଗୀଙ୍କୁ ସୁସ୍ଥ କରାଯାଉଛି।

ଅପରପକ୍ଷରେ କର୍ମଚାରୀ ଅଭାବ ଏହି କେନ୍ଦ୍ରୀୟ ଅନୁଷ୍ଠାନ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ ହୋଇଛି। ଏଠାରେ ଥିବା ସମୁଦାୟ ୧୦୧ରୁ ୭୦ଟି ପଦ ଖାଲି ରହିଛି। ୭୦ ଖାଲି ପଦରେ ୫୦ ଠିକା କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଏଠାରେ ନିର୍ଦେଶକ, ସହକାରୀ ନିର୍ଦେଶକଙ୍କ ସହିତ ୧୦ ଜଣ ଆୟୁର୍ବେଦିକ ଡାକ୍ତର ଗବେଷଣା ଅଧିକାରୀ ଭାବରେ ଅଛନ୍ତି। କିନ୍ତୁ ଏହି ଦୁଇ ଗବେଷଣା ଅଧିକାରୀ ପଦ ଖାଲି ରହିଥିବାରୁ କାର୍ଯ୍ୟ ପ୍ରଭାବିତ ହେଉଛି। ଏଥିପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ କେନ୍ଦ୍ରୀୟ ଆୟୁର୍ବେଦିକ ଗବେଷଣା ପ୍ରତିଷ୍ଠାନ ନୂଆଦିଲ୍ଲୀକୁ ଆୟୁଷ ମନ୍ତ୍ର‌ାଳୟ ଏନବିଏବିଏଚ ଏବଂ ଝାଡ଼ଖଣ୍ଡଙ୍କୁ ଏନଏବିଏଲ ପ୍ରମାଣପତ୍ର ଦେଇଥିଲା।

 

Leave A Reply

Your email address will not be published.