ସ୍ଥଳସେନା ଉପମୁଖ୍ୟ ଭାବେ ଦାୟିତ୍ବ ନେଲେ ଲେଫ୍ଟେନାଣ୍ଟ ଜେନେରାଲ୍ ଚଣ୍ଡି ପ୍ରସାଦ

ଭୁବନେଶ୍ବର, ୧।୨: ଆଜି ଭାରତୀୟ ସ୍ଥଳସେନାର ୪୨ତମ ଉପମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କଲେ ଓଡ଼ିଆ ସେନା ଅଧିକାରୀ ଲେଫ୍ଟେନାଣ୍ଟ ଜେନେରାଲ୍ ଚଣ୍ଡି ପ୍ରସାଦ ମହାନ୍ତି । ଏହି ସମ୍ମାନଜନକ ପଦବୀରେ ପହଞ୍ଚିବାରେ ଜେନେରାଲ୍ ମହାନ୍ତି ପ୍ରଥମ ଓ଼ଡିଆ ସେନା ଅଧିକାରୀ।
ଆଜି ଦାୟିତ୍ୱ ଗ୍ରହଣ କରିବା ପରେ ଜେନେରାଲ୍ ମହାନ୍ତି ନୂଆଦିଲ୍ଲୀରେ ଥିବା ଜାତୀୟ ଯୁଦ୍ଧ ସ୍ମାରକୀକୁ ଯାଇ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହାପରେ ସାଉଥ୍ ବ୍ଲକ୍ ଲନ୍ରେ ସେନାରେ ଗାର୍ଡ ଅଫ୍ ଅନର ଗ୍ରହଣ କରିଥିଲେ। ପୂର୍ବରୁ ଜେନେରାଲ୍ ମହାନ୍ତି ସଦର୍ଣ୍ଣ କମାଣ୍ଡର୍ ଭାବେ କାର୍ଯ୍ୟରତ ଥିଲେ।
ଜେନେରାଲ୍ ଚଣ୍ଡୀପ୍ରସାଦ ମହାନ୍ତିଙ୍କ ଘର ଜଗତସିଂହପୁର ଜିଲ୍ଲା ଜୟବଡ଼ରେ। ଡେରାଡୁନ୍ସ୍ଥିତ ରାଷ୍ଟ୍ରୀୟ ମିଲିଟାରି କଲେଜରୁ ପାଠପଢି ସାରିବା ପରେ ସେ ଇଣ୍ଡିଆନ ମିଲିଟାରି ଏକାଡେମିରେ ତାଲିମ ଗ୍ରହଣ କରିଥିଲେ। ୧୯୮୨ ମସିହାରେ ରାଜପୁତ ରେଜିମେଣ୍ଟ୍ରେ କମିସନର ହୋଇଥିଲେ ଜେନେରାଲ ମହାନ୍ତି ।
ଭାରତୀୟ ସେନାରେ ଦୀର୍ଘ ୩୮ ବର୍ଷର ଅଭିଜ୍ଞତା ମଧ୍ୟରେ ଚୀନ୍ ଓ ପାକିସ୍ତାନ ସୀମାରେ ଗୁରୁତ୍ୱପୂର୍ଣ୍ଣ ସାମରିକ ପଦବୀରେ ଦାୟିତ୍ୱ ତୁଲାଇଛନ୍ତି ଚଣ୍ଡିପ୍ରସାଦ। ଜମ୍ମୁ କଶ୍ମୀରରେ କମ୍ପାନୀ କମାଣ୍ଡର ସହ ଏଲ୍ଓସିରେ ବାଟାଲିଅନରେ ସେ କମାଣ୍ଡର ରହିସାରିଛନ୍ତି। ଆସାମରେ ଉଲଫା ଆତଙ୍କବାଦୀ ବିରୋଧୀ- ଅପରେସନ ଅଲ୍ କ୍ଲିୟରରେ ଚଣ୍ଡିପ୍ରସାଦଙ୍କ ବାଟାଲିୟନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲା। ଡୋକଲାମ୍ ଘଟଣା ପରେ ସେ ସିଲିଗୁଡିସ୍ଥିତ ପୂର୍ବ କମାଣ୍ଡର ୩୩ତମ କୋର୍ର କମାଣ୍ଡର ଥିଲେ ଜେନେରାଲ୍ ମହାନ୍ତି। ଏହାବ୍ୟତୀତ ଆଫ୍ରିକୀୟ ରାଷ୍ଟ୍ର କଙ୍ଗୋରେ ଜାତିସଂଘ ଶାନ୍ତିସେନାର ଏକ ବ୍ରିଗ଼େଡର୍ର ନେତୃତ୍ୱ ନେଇଥିଲେ ।

Comments are closed.