ଲୋକଙ୍କ ଉପରକୁ ଗାଡ଼ି ଚଢ଼ାଇଦେଲେ ଚିଲିକା ବିଧାୟକ, ୨୦ରୁ ଊର୍ଧ୍ବ ଆହତ

ବିଧାୟକଙ୍କୁ ନିର୍ଧୁମ ମାାଡ଼

ଟାଙ୍ଗୀ, ୧୨।୩ : ବାଣପୁର ବ୍ଲକ ନିକଟରେ ଲୋକଙ୍କ ଉପରକୁ ଗାଡ଼ି ଚଢ଼ାଇ ଦେଲେ ବାହୁବଳୀ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ବ୍ଲକ ଅଧ୍ୟକ୍ଷ ନିର୍ବାଚନ ନିମନ୍ତେ ଆଜି ବାଣପୁର ବ୍ଲକ କାର୍ଯ୍ୟାଳୟରେ ଶତାଧିକ ଲୋକ ରୁଣ୍ଡ ହୋଇଥିବା ବେଳେ ହଠାତ୍‌ ଭିଡ଼ ଭିତରକୁ ଗାଡ଼ି ପଶାଇଦେଲେ ବିଧାୟକ । ବିଧାୟକଙ୍କ ଗାଡ଼ି ଚାପାରେ ୨୦ରୁ ଊର୍ଦ୍ଧ୍ୱ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବାଣପୁର ଆଇଆଇସିଙ୍କ ସମେତ ୭ରୁ ଊର୍ଧ୍ବ ପୁଲିସ୍‌ କର୍ମଚାରୀ ଥିବା ଜଣାଯାଇଛି।  ଉତ୍ତ୍ୟକ୍ତ ଲୋକେ ବିଧାୟକଙ୍କୁ ନିର୍ଧୂମ ପିଟି ଲହୁଲୁହାଣ କରିଥିବା ବେଳେ ତାଙ୍କ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ଏହି ଘଟଣା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।

ବାଣପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଆଜି ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଚାଲିଥିବା ବେଳେ ବାହାରେ ପ୍ରାୟ ୫ଶହରୁ ୭ଶହ ଲୋକ ରୁଣ୍ଡ ହୋଇଥିଲେ। ଏଥିସହ ୨ ପ୍ଲାଟୁନ୍‌ ଫୋର୍ସ ବି ମୁତୟନ ହୋଇଥିଲେ। ଏହି ସମୟରେ ହଠାତ୍‌ ବିଧାୟକ ପ୍ରଶାନ୍ତ ଜଗଦେବ ନିଜ ଏସୟୁଭି ଗାଡ଼ି ଚଳାଇ ଦ୍ରୁତ ଗତିରେ ଭିଡ଼ ଆଡ଼କୁ ମାଡ଼ି ଆସିଥିଲେ। ବିଧାୟକଙ୍କ ଗାଡ଼ି ଚାପାରେ ଆସି  ‍ବିଭିନ୍ନ ଦଳର୧୫ ସମର୍ଥକ ଓ ୭ ପୁଲିସ୍‌ କର୍ମଚାରୀ ଗୁରୁତର ହୋଇଛନ୍ତି।

ଏହାଦେଖି ଉତ୍ତ୍ୟକ୍ତ ଲୋକେ ଗାଡ଼ି ଭିତରକୁ ବିଧାୟକଙ୍କୁ ବାହାରକୁ ଘୋଷାରି ଆଣି ନିର୍ଧୂମ ପିଟିଥିଲେ। ଉତ୍ତ୍ୟକ୍ତ ଲୋକଙ୍କ ମାଡ଼ରେ ବିଧାୟକ ଲହୁଲୁହାଣ ହୋଇଥିବା ବେଳେ ତାଙ୍କୁ ପ୍ରଥମେ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି। ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ନିଶାସକ୍ତ ଅବସ୍ଥାରେ ଥିବା ବେଳେ ଏପରି କାଣ୍ଡ ଘଟାଇଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ ।

ବିଧାୟକଙ୍କ ଗାଡ଼ି ଚାପାରେ ଗୁରୁତର ହୋଇଥିବା ସାଧାରଣ ଲୋକ ଓ ପୁଲିସ୍‌ କର୍ମଚାରୀଙ୍କୁ ବାଣପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ଉତ୍ତ୍ୟକ୍ତ ଲୋକେ ବିଧାୟକଙ୍କ ଗାଡ଼ିକୁ ଭଙ୍ଗାରୁଜା କରିବା ସହ ସେଥିରେ ନିଆଁ ଲଗାଇ ଦେଇଥିଲେ। ଆଉ କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଘଟିବା ପାଇଁ ବାଣପୁର ବ୍ଲକ କାର୍ଯ୍ୟାଳୟ ନିକଟରେ ଅଧିକ ସଂଖ୍ୟକ ପୁଲିସ୍‌ ମୁତୟନ କରାଯାଇଛି।

Comments are closed.