ଲୋକଙ୍କ ପାଇଁ କାମ କର, ନିଜ ସହରକୁ ଶ୍ରେଷ୍ଠ କର

ନବନିର୍ବାଚିତ ମେୟର ଓ ପୌରାଧ୍ୟକ୍ଷଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

0

ଭୁବନେଶ୍ବର, ୨୬।୪: ନିଜ  ନିଜ  ସହରକୁ ଶ୍ରେଷ୍ଠ କରିବା ପାଇଁ ନେତୃତ୍ୱ ନେଇ  ନିଷ୍ଠାର ସହ  କାମ  କର। ଲୋକଙ୍କ ସାଥୀରେ ରୁହ । ସେମାନଙ୍କ ସମସ୍ୟା ସମାଧାନ ପାଇଁ  ନିଷ୍ଠାର ସହ  କାମ  କର। ଆଜି ଲୋକସେବା  ଭବନରେ ନବନିର୍ବାଚିତ  ମେୟର ଓ ପୌରାଧ୍ୟକ୍ଷମାନଙ୍କ ପାଇଁ ଆୟୋଜିତ ‘ପୌର ଶାସନ ପ୍ରଣାଳୀ ଓ ଉନ୍ନୟନ ପଦ୍ଧତି’ ଶୀର୍ଷକ କର୍ମଶାଳାକୁ ଉଦଘାଟନ କରି  ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଏହି ପରାମର୍ଶ  ଦେଇଛନ୍ତି ।

ସହରାଞ୍ଚଳର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଆଜି ଜାତୀୟ ଓ ଅନ୍ତର୍ଜାତୀୟ ସ୍ୱୀକୃତି ହାସଲ କରିଛି ବୋଲି ସୂଚନା ଦେଇ  ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜାଗା ମିଶନ ବିକାଶମୁଖୀ  ଦେଶମାନଙ୍କ ପାଇଁ ଏକ ମଡେଲ  ହୋଇଛି। ସେହିପରି  ଟ୍ୟାପରୁ ବିଶୁଦ୍ଧ ପିଇବା ପାଣି ଯୋଗାଣ ସୁଜଳ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାରେ ଓଡ଼ିଶା ସାରା ଦେଶରେ ଏକ ମାତ୍ର ରାଜ୍ୟ  ହୋଇପାରିଛି। ଜାଗା ମିଶନ, ସୁଜଳ, ପରିମଳ ଓ ବର୍ଜ୍ୟବସ୍ତୁ ପରିଚାଳନା ମୁକ୍ତା ଯୋଜନା, ଆହାର ଏବଂ ସ୍ମାର୍ଟ ଏଲ୍‌ଇଡି ଲାଇଟ୍‌ ଆଦି ସରକାରଙ୍କ ପ୍ରୋଗ୍ରାମ  ଉପରେ  ମୁଖ୍ୟମନ୍ତ୍ରୀ ନିଜ ଭାଷଣରେ ଗୁରୁତ୍ୱାରୋପ  କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବସ୍ତି ବିକାଶ ସମୟରେ  ରାଜ୍ୟ ସରକାର ଜମି  ଅପେକ୍ଷା ଲୋକଙ୍କୁ ଅଧିକ  ଗୁରୁତ୍ୱ ଦେଇ ଜାଗା ମିଶନ ଆରମ୍ଭ  କରିଛନ୍ତି। ଏ ପର୍ଯ୍ୟନ୍ତ ୧.୭୫ ଲକ୍ଷ  ପରିବାରକୁ  ଭୂମି ଅଧିକାର  ଦିଆଯାଇ ଥିବା ବେଳେ  ୫୮୫ ବସ୍ତିକୁ ଆଦର୍ଶ  ବସ୍ତିରେ ପରିଣତ  କରାଯାଇଛି। ସୁଜଳ  କାର୍ଯ୍ୟକ୍ରମରେ ପୁରୀରେ ଟ୍ୟାପରୁ ବିଶୁଦ୍ଧ ପିଇବା ପାଣି ମିଳୁଥିବା ବେଳ ରାଜ୍ୟର କୋଡ଼ିଏଟି ସହରରେ ଏଥିପାଇଁ କାମ  ଚାଲିଛି।

ସେହିପରି  କରୋନା ସମୟରେ  ସହରର  ଗରିବ ଲୋକଙ୍କ ପାଇଁ ଆରମ୍ଭ  ହୋଇଥିବା  ମୁକ୍ତା ଯୋଜନା ଜାରି ରହିବ। ଏଥିପାଇଁ ବଜେଟରେ ୫୦୦ କୋଟି ଟଙ୍କାର ବ୍ୟୟବରାଦ  କରାଯାଇଛି। ମିଶନ  ଶକ୍ତି ଓ ବସ୍ତି ବିକାଶ ସଙ୍ଗଠନ ଜରିଆରେ ଚାଲିଥିବା ଏହି କାର୍ଯ୍ୟକ୍ରମ ବେଶ ଲୋକପ୍ରିୟ ହୋଇପାରିଛି। ଏହାବାଦ ସ୍ୱଚ୍ଛତା ଓ ବର୍ଜ୍ୟବସ୍ତୁ ପରିଚାଳନା  ଉପରେ  ଅଧିକ  ଗୁରୁତ୍ୱ ଦେଇ  କାମ  କରିବାକୁ  ମୁଖ୍ୟମନ୍ତ୍ରୀ ପରାମର୍ଶ  ଦେଇଥିଲେ।

ସହରାଞ୍ଚଳ  ବିକାଶ ନିମନ୍ତେ  ୫-ଟିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାରୁ ପ୍ରତ୍ୟେକ ସ୍ତରରେ ଏହାକୁ ନିଷ୍ଠାର ସହ କାର୍ଯ୍ୟକାରୀ କରି ଲୋକଙ୍କୁ ଉତ୍ତମ ସେବା ଯୋଗାଇ ଦିଅ। ନୂଆ ନେତୃତ୍ୱ ଓ ନୂଆ ପରିଚାଳନା  କୌଶଳ ପୌର ସେବାକୁ  ନୂତନ  ଶିଖରରେ ପହଞ୍ଚାଇବାରେ ସଫଳ  ହେବ  ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ ।

କର୍ମଶାଳାରେ  ଉଦ୍‌ବୋଧନ ଦେଇ  ନଗର ଉନ୍ନୟନ ପଞ୍ଚାୟତିରାଜ ଓ ଆଇନ  ମନ୍ତ୍ରୀ ପ୍ରତାପ ଜେନା ରାଜ୍ୟ ସରକାରଙ୍କ ବିଭିନ୍ନ ସହରାଞ୍ଚଳ ବିକାଶ କାର୍ଯ୍ୟକ୍ରମକୁ ସଫଳ  ଭାବେ କାର୍ଯ୍ୟକାରୀ କରିବା ଦିଗରେ  ନିଷ୍ଠାପର ଉଦ୍ୟମ ଜାରି ରଖିବା ପାଇଁ ପରାମର୍ଶ  ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର  ମହାପାତ୍ର, ନଗର ଉନ୍ନୟନ ବିଭାଗର ପ୍ରମୁଖ  ସଚିବ  ଜି ମାଥୀ ଭାତ୍‌ନାନ୍‌  ଓ ପୌର  ନିର୍ଦେଶକ ସଂଗ୍ରାମଜିତ ନାୟକ  ପ୍ରମୁଖ ଯୋଗ ଦେଇଥିଲେ।

Leave A Reply

Your email address will not be published.