ଆଜିଠୁ ୬ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ

ପିପିଲି ଉପନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇବେନି ନବୀନ

0

ଭୁବନେଶ୍ବର, ୨୪।୯: ଆଜିଠୁ ୬ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ୨୯ ତାରିଖରେ ଓଡ଼ିଶା ଫେରିବାର କାର୍ଯ୍ୟକ୍ରମ ରହିଛି। ଫଳରେ ପିପିଲି ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀ ପ୍ରଚାର ମଇଦାନକୁ ଓହ୍ଲାଇବା ସମ୍ଭାବନା କ୍ଷୀଣ। ପିପିଲି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ୩୦ ତାରିଖରେ ହେବାକୁ ଥିବା ବେଳେ ୨୭ ତାରିଖ ସନ୍ଧ୍ୟାରେ ପ୍ରଚାର ଶେଷ ହେବ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୨୯ ତାରିଖ ବୁଧବାର ଅପରାହ୍ନରେ ଭୁବନେଶ୍ୱର ଫେରିବେ। ଦିଲ୍ଲୀ ଗସ୍ତ ସମୟରେ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଅଧ୍ୟକ୍ଷତାରେ ରବିବାର ହେବାକୁ ଥିବା ନକ୍ସଲ ପ୍ରଭାବିତ ୧୦ଟି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକରେ ଯୋଗ ଦେବେ। ଏହାସହିତ ଓଡ଼ିଶାର ବିଭିନ୍ନ ଉନ୍ନୟନମୂଳକ ଯୋଜନା ଓ ପ୍ରକଳ୍ପର ମଧ୍ୟ ସମୀକ୍ଷା କରିବେ। ଦିଲ୍ଲୀ ଗସ୍ତରେ ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ରବିବାର ଦିନ ସେ ନକ୍ସଲ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ଯୋଗ ଦେବେ। ଏହାସହିତ ଦିଲ୍ଲୀରେ ତାଙ୍କର ଅନ୍ୟ ସରକାରୀ କାର୍ଯ୍ୟକ୍ରମ ମଧ୍ୟ ରହିଛି। ଅନ୍ୟପକ୍ଷରେ ବିଜେଡି ସୂତ୍ରରୁ ଜଣାପଡ଼ିଛି ଯେ, ମୁଖ୍ୟମନ୍ତ୍ରୀ ପିପିଲି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣର ଦିନକ ପୂର୍ବରୁ ଭୁବନେଶ୍ୱର ଫେରିବାର ଥିବାରୁ ନିର୍ବାଚନ ମଇଦାନକୁ ଓହ୍ଲାଇବା ସମ୍ଭବପର ନୁହେଁ । ଦଳ ନବୀନଙ୍କ ଭିଡିଓ ସନ୍ଦେଶ ମାଧ୍ୟମରେ ପ୍ରଚାର କରୁଛି ।

ସୂଚନାଯୋଗ୍ୟ, ୨୦୧୯ ଜୁନ୍ ମାସରେ ନୀତି ଆୟୋଗର ପରିଚାଳନା ପରିଷଦ ବୈଠକରେ ଯୋଗ ଦେବାକୁ ଶେଷ ଥର ପାଇଁ ନବୀନ ଦିଲ୍ଲୀ ଗସ୍ତରେ ଯାଇଥିଲେ। ତା’ପରଠୁ ସେ କୋଭିଡ୍ ମହାମାରୀ ଯୋଗୁ ଅଧିକାଂଶ ସମୟ ନବୀନ ନିବାସରେ ବିତାଇଛନ୍ତି। ତେବେ ଗତ କିଛିମାସ ହେଲା କଳାହାଣ୍ଡି, ପୁରୀ, ସୁନ୍ଦରଗଡ଼, ମାଲକାନଗିରି ଓ ବଲାଙ୍ଗୀର ଆଦି ଜିଲ୍ଲାକୁ ସରକାରୀ ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି।

Leave A Reply

Your email address will not be published.