ସୁନ୍ଦରଗଡ଼ରେ ଏମ୍‌ସ୍‌ ପ୍ରତିଷ୍ଠା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଦାବି ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୨୬।୧୦: ସୁନ୍ଦରଗଡ଼ରେ ଏମ୍‌ସ ପ୍ରତିଷ୍ଠା ପାଇଁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ନିକଟରେ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ସୁନ୍ଦରଗଡ଼ରେ ଏନ୍‌ଟିପିସି ଦ୍ୱାରା ନିର୍ମିତ ହୋଇଥିବା ୫୦୦ ଶଯ୍ୟା, ୧୦୦ ସିଟ୍‌ ବିଶିଷ୍ଟ ମେଡିକାଲ କଲେଜ ଓ ତାଳଚେରର ଏମ୍‌ସିଏଲ୍‌ ମେଡିକାଲ କଲେଜ ଓ ହସ୍ପିଟାଲକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବାକୁ କେନ୍ଦ୍ର ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ନବୀନ ପଟ୍ଟନାୟକ। ଉଭୟଙ୍କ ମଧ୍ୟରେ ସାକ୍ଷାତ ବେଳେ କ୍ଲିନ ଏନର୍ଜି ସେସ୍‌ ନେଇ ଆଲୋଚନା ହୋଇଥିଲା। ଓଡ଼ିଶାରୁ ବର୍ଷକୁ ୫୦ ହଜାର କୋଟି ଟଙ୍କାର କ୍ଲିନ ଏନର୍ଜି ସେସ୍‌ ସଂଗ୍ରହ କରାଯାଉଥିବା ବେଳେ ଏହାର ୬୦ ପ୍ରତିଶତ ଅର୍ଥାତ ୩୦ ହଜାର କୋଟି ଟଙ୍କା ରାଜ୍ୟକୁ ପ୍ରଦାନ କରିବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପୂର୍ବରୁ କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଶ୍ରୀମନ୍ଦିର ଯାଇ ମ‌ହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କରିଥିଲେ। କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ସହ ଥିଲେ ରେଳ ରାଷ୍ଟ୍ରମନ୍ତ୍ରୀ ରାଓ ସାହେବ ଦାନବେ। ଉଭୟ ସିଂହଦ୍ଵାରଠାରେ ପହଞ୍ଚିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା। ଦର୍ଶନ ସମୟରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ସେବାୟତ ଓ ବିଜେପୀ କର୍ମୀମାନେ ଉପସ୍ଥିତ ରହିଥିଲେ। ମହାପ୍ରଭୁଙ୍କ ଦର୍ଶନ ସହ ବିମଳା ଓ ମହାଲକ୍ଷ୍ମୀଙ୍କ ଦର୍ଶନ ସହ ବେଢ଼ା ପରିକ୍ରମା କରିଥିଲେ। ପରେ ଉଭୟ ମନ୍ତ୍ରୀ ମହାପ୍ରଭୁଙ୍କ ମହାପ୍ରସାଦ ସେବନ କରିଥିଲେ।

 

Comments are closed.