ଆସନ୍ତାକାଲି ବରଗଡ଼ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଲୋକାର୍ପଣ ଓ ଶିଳାନ୍ୟାସ କରିବେ ଉନ୍ନୟନମୂଳକ ପ୍ରକଳ୍ପ

0

ଭୁବନେଶ୍ବର, ୧୮।୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି (ଫେବ୍ରୁଆରି ୧୯) ଦିନିକିଆ ବରଗଡ଼ ଗସ୍ତରେ ଯିବେ। ଏହି ଗସ୍ତକାଳରେ ମୁଖ୍ୟମନ୍ତ୍ରୀ ପଦ୍ମପୁର, ପାଇକମାଳ ଓ ଝାରବନ୍ଧରେ ଏକାଧିକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ। ସେହିପରି ମିଶନ ଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକ ଚେକ୍‌ ହସ୍ତାନ୍ତର କରିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ପୁଲିସ ମୁତୟନ ହେବେ ବୋଲି ଜଣାପଡ଼ିଛି।

ମୁଖ୍ୟମନ୍ତ୍ରୀ ପୂର୍ବାହ୍‌ଣ ୧୧ଟାରେ ପଦ୍ମପୁରସ୍ଥିତ ସତୀଭଟା ଏୟାରଷ୍ଟ୍ରିପ୍‌ରେ ପହଞ୍ଚିବେ। ସେଠାରୁ ସେ ହେଲିକପ୍ଟର ଯୋଗେ ଝାରବନ୍ଧ ଅଭିମୁଖେ ବାହାରିବେ। ଝାରବନ୍ଧର ଶକ୍ତି ଛକ ହେଲିପେଡ୍‌ରେ ଅବତରଣ କରି କାର୍ଯ୍ୟକ୍ରମସ୍ଥଳୀକୁ ଯିବେ। ମୁଖ୍ୟମନ୍ତ୍ରୀ ଝାରବନ୍ଧ ବ୍ଲକରେ ନିର୍ମାଣ ହୋଇଥିବା କିଛି ପ୍ରକଳ୍ପର ଲୋକାର୍ପଣ କରିବେ ଏବଂ କିଛି ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିବେ।  କାର୍ଯ୍ୟକ୍ରମସ୍ଥଳୀରେ ବଡମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର ସ୍ବାଗତ ଭାଷଣ ଦେବେ। ଏହି ଅବସରରେ ଝାରବନ୍ଧ ବ୍ଲକରେ ନିର୍ମାଣ ହୋଇଥିବା ଉନ୍ନୟନମୂଳକ ପ୍ରକଳ୍ପ ନେଇ ପ୍ରସ୍ତୁତ ଏକ ଭିଡିଓ ପ୍ରଦର୍ଶିତ ହେବ। କାର୍ଯ୍ୟକ୍ରମରେ ପଦ୍ମପୁର ବିଧାୟକ ବର୍ଷା ସିଂହ ବରିହା ତାଙ୍କର ଅଭିଭାଷଣ ରଖିବେ। ଏହି ଅବସରରେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଉପସ୍ଥିତ ରହିବେ। ଭଟଲି ବିଧାୟକ ସୁଶାନ୍ତ ସିଂହ ଧନ୍ୟବାଦ ଜ୍ଞାପନ କରିବେ। ଝାରବନ୍ଧ କାର୍ଯ୍ୟକ୍ରମ ପରେ ମୁଖ୍ୟମନ୍ତ୍ରୀ ୧୨ଟା ୧୫ରେ ହେଲିକପ୍ଟରରେ ପାଇକମାଳ ଅଭିମୁଖେ ବାହାରିବେ।

ପାଇକମାଳ ଏମ୍‌ଇ ସ୍କୁଲ ପଡ଼ିଆରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟରରୁ ଅବତରଣ କରି ସେଠାରୁ କାର୍ଯ୍ୟକ୍ରମସ୍ଥଳୀକୁ ଯିବେ। ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିକ କରିବେ। ଏହି କାର୍ଯ୍ୟକ୍ରମରେ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ପ୍ରତାପ କେଶରୀ ଦେବ ସ୍ବାଗତ ଭାଷଣ ଦେବେ। କାର୍ଯ୍ୟକ୍ରମରେ ହସ୍ତତନ୍ତ୍ର ମନ୍ତ୍ରୀ ରୀତା ସାହୁ, ପରିବହନ ମନ୍ତ୍ରୀ ଟୁକୁନି ସାହୁ, ବିଧାୟକ ବର୍ଷା ସିଂହ ବରିହା ପ୍ରମୁଖ ଉପସ୍ଥିତ ରହିବା ସହ ଜନତାଙ୍କୁ ସମ୍ବୋଧିତ କରିବେ। ମନ୍ତ୍ରୀ ତଥା ଅତାବିରା ବିଧାୟକ ସ୍ନେହାଙ୍ଗିନୀ ଛୁରୀଆ ଧନ୍ୟବାଦ ଜ୍ଞାପନ ଜଣାଇବେ। ଏଠାରେ କାର୍ଯ୍ୟକ୍ରମ ଶେଷ ହେଲା ପରେ ମୁଖ୍ୟମନ୍ତ୍ରୀ ପଦ୍ମପୁର ଅଭିମୁଖେ ଦିନ ୧ଟା ୨୦ରେ ବାହାରିବେ।

ପଦ୍ମପୁରସ୍ଥିତ ଆରଏଲ୍‌ କଲ୍ୟାଣ ମଣ୍ଡପ ପରିସରରେ ମୁଖ୍ୟମନ୍ତ୍ରୀ ୧ଟା ୪୦ରେ ପହଞ୍ଚିବେ। ଏଠାରେ ମଧ୍ୟାହ୍ନରେ ପ୍ରାୟ ୨ ଘଣ୍ଟାର ବିଶ୍ରାମ ନେଲା ପରେ ପଦ୍ମପୁର ହାଇସ୍କୁଲ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମ ସ୍ଥଳକୁ ୩ଟା ୫୫ରେ ପହଞ୍ଚିବେ। କାର୍ଯ୍ୟକ୍ରମରେ ମିଶନ ଶକ୍ତି ସ୍ବୟଂ ସହାୟକ ଗ୍ରୁପ ତରଫରୁ ସମ୍ମାନିତ କରାଯିବ। କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସ୍ବାଗତ ଭାଷଣ ଦେବେ। ଏହା ପରେ ପଦ୍ମପୁରରେ ନିର୍ମାଣ ହୋଇଥିବା ଉନ୍ନୟନ ପ୍ରକଳ୍ପ ନେଇ ପ୍ରସ୍ତୁତ ଏକ ଭିଡିଓ ପ୍ରଦର୍ଶିତ ହେବ। ସେହିପରି ବିକାଶମୂଳକ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ ଓ ଶିଳାନ୍ୟାସ କରିବେ। କାର୍ଯ୍ୟକ୍ରମ ଶେଷରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଧନ୍ୟବାଦ ଜ୍ଞାପନ କରିବେ। ସାଢ଼େ ୪ଟାରେ ମୁଖ୍ୟମନ୍ତ୍ରୀ ନବୀନ ସଡ଼କ ପଥରେ ସତୀଭଟା ଏୟାରଟ୍ରିପ ଅଭିମୁଖେ ବାହାରିବେ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁର ଉପନିର୍ବାଚନ ସମୟରେ ‌ଜନତାଙ୍କୁ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ଏହି ଦିନିକିଆ ଗସ୍ତ କରୁଛନ୍ତି। ପଦ୍ମପୁରବାସୀ ସ୍ବର୍ଗତ ମନ୍ତ୍ରୀ ବିଜୟ ରଂଜନ ସିଂହ ବରିହାଙ୍କ ଝିଅ ବର୍ଷା ସିଂହ ବରିହାଙ୍କୁ ଭୋଟ ଦେଇ ବିପୁଳ ବ୍ୟବଧାନରେ ନିର୍ବାଚନରେ ବିଜୟୀ କରାଇଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଡିସେମ୍ବର ୨ ତାରିଖରେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ଗସ୍ତ କରି ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହାଙ୍କ ପାଇଁ ପ୍ରଚାର କରିଥିଲେ। ପଦ୍ମପୁର ଉପନିର୍ବାଚନ ଡିସେମ୍ବର ୫ ତାରିଖରେ ହୋଇଥିଲା।

Leave A Reply

Your email address will not be published.