ଆସନ୍ତାକାଲି ଦେଶର ସମସ୍ତ ରାଜଭବନ ଘେରାଉ କରିବ କଂଗ୍ରେସ

0

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ କଂଗ୍ରେସ କାର୍ଯ୍ୟାଳୟ ଭିତରେ ପଶି ଦଳୀୟ କର୍ମୀଙ୍କ ଉପରେ ଗ୍ରହଣ କରିଥିବା କାର୍ଯ୍ୟାନୁଷ୍ଠାନ ବିରୋଧରେ ଆସନ୍ତାକାଲି ଦଳ ପକ୍ଷରୁ ସମଗ୍ର ଦେଶରେ ଥିବା ରାଜ୍ୟ ରାଜଭବନଗୁଡ଼ିକୁ ଘେରାଓ କରାଯିବ ବୋଲି କଂଗ୍ରେସ ନେତା ରଣଦୀପ ସୁର୍ଯେୱାଲା ବୁଧବାର ଦଳର ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଦିଲ୍ଲୀ ପୁଲିସ କଂଗ୍ରେସ କାର୍ଯ୍ୟାଳୟ ମଧ୍ୟକୁ ଅନଧିକାର ପ୍ରବେଶ କରି ଯେପରି ଦଳୀୟ କର୍ମୀମାନଙ୍କୁ ପିଟିଲେ ତାହା ସଂପୂର୍ଣ୍ଣ ଅଗଣତାନ୍ତ୍ରିକ। ଦିଲ୍ଲୀ ପୁଲିସର ଗୁଣ୍ଡାବାଦ ଏହାର ଚରମ ସୀମାରେ ପହଞ୍ଚିଛି। ଏହାକୁ ଆଉ ବରଦାସ୍ତ କରାଯିବ ନାହିଁ ଏବଂ ଏହାର ଜବାବ ଦିଆଯିବ ବୋଲି ସେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
‘ଆମେ ଦିଲ୍ଲୀ ପୁଲିସ ବିରୋଧରେ ଏକ ଏଫଆଇଆର ଦାଖଲ କରିବାକୁ ଦାବି କରୁଛୁ। ସେମାନଙ୍କୁ ନିଲମ୍ବିତ କରାଯିବା ସହ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ ତଦନ୍ତ ଆରମ୍ଭ କରିବାକୁ କଂଗ୍ରେସ ନେତା ରଣଦୀପ ସୁର୍ଯେୱାଲା ଦାବୀ କରିଛନ୍ତି।

ଏହି ଘଟଣାର ପ୍ରତିବାଦରେ ଆସନ୍ତାକାଲି (ଗୁରୁବାର) କଂଗ୍ରେସ ସମଗ୍ର ଦେଶରେ ସମସ୍ତ ରାଜଭବନକୁ ଘେରାଓ କରିବ। ଆସନ୍ତାକାଲି ପରେ ସମସ୍ତ ଜିଲ୍ଲା ସ୍ତରରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସୁର୍ଯେୱାଲା ଘୋଷଣା କରିଛନ୍ତି।

ଅନ୍ୟପକ୍ଷରେ ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର କମିଶନର (ଆଇନ ଶୃଙ୍ଖଳା) ସାଗର ହୁଡା କହିଛନ୍ତି, ପୁଲିସ ଆଇନ୍‌ ବ୍ୟବସ୍ଥା ମଧ୍ୟରେ ରହି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପ୍ରାୟ ୧୫୦ ଜଣଙ୍କୁ ଅଟକ ରଖିଛି। କଂଗ୍ରେସ କର୍ମୀମାନେ ଆଜି ଏକତ୍ରିତ ହେବା ପାଇଁ କୌଣସି ଅନୁମତି ନେଇ ନଥିଲେ। କଂଗ୍ରେସ କାର୍ଯ୍ୟାଳୟ ସମେତ ସେହି ଅଞ୍ଚଳରେ ୧୪୪ ଧାରା ଲାଗୁ କରା ଯାଇଥିଲା ଏବଂ ଏ ସଂପର୍କରେ ପୂର୍ବରୁ ସମସ୍ତଙ୍କୁ ଅବଗତ କରା ଯାଇଥିଲା। ଏ ସଂପର୍କରେ ଆମେ ଗତକାଲି ରାତିରୁ କଂଗ୍ରେସକୁ ଲିଖିତ ଭାବରେ ଜଣାଇଥିଲୁ ଯେ ୧୪୪ ଧାରା ଲାଗୁ ହୋଇଥିବା ପରିପ୍ରେକ୍ଷୀରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାଳୟ ଏବଂ ଆକବର ରୋଡସ୍ଥିତ କଂଗ୍ରେସ ମୁଖ୍ୟାଳୟରେ କୌଣସି ସମାବେଶ କରାଯିବା ଉଚିତ୍‌ ନୁହେଁ। ଯେତେବେଳେ କିଛି କଂଗ୍ରେସ କର୍ମୀ ଏହାର ଅମାନ୍ୟ କରିଥିଲେ, ସେତେବେଳେ ଆମେ ସେମାନଙ୍କୁ ଅଟକ ରଖିଥିଲୁ ବୋଲି ହୁଡା କହିଛନ୍ତି।

 

Leave A Reply

Your email address will not be published.