ଆଜିଠୁ ପୁଣି କୋଭିଡ ଟିକାକରଣ

ଭୁବନେଶ୍ୱର,୧୯/୦୧: ଆଜିଠୁ ରାଜ୍ୟରେ ପୁଣି ଥରେ ଆରମ୍ଭ ହେବ କରୋନା ଟିକାକରଣ। ନିର୍ଦ୍ଦିଷ୍ଟ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପୂର୍ବ ପରି ଦିଆଯିବ କୋଭିଡ ଟିକା। ଏଥିପାଇଁ କୋଭିସିଲ୍ଡ ଟିକା ଆସିସାରିଛି। ଯେଉଁମା‌ନେ କୋଭିସିଲ୍ଡ ନେଇଥିବେ ସେମାନେ ପୁଣି ଦ୍ୱିତୀୟ ଓ ପ୍ରିକସନ୍ ଡୋଜରେ ଏହାକୁ ନେଇ ପାରିବେ।

ଲୋକେ ଜିଲ୍ଲା, ସହରାଞ୍ଚଳ, ଗୋଷ୍ଠୀ, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ଟିକା ନେଇପାରିବେ। ବର୍ତ୍ତମାନ ସୁଦ୍ଧା ମାତ୍ର ୪୦ ପ୍ରତିଶତ ଲୋକ ବୁଷ୍ଟର ଡୋଜ୍ ନେଇଛନ୍ତି। ଏବେ ସଂକ୍ରମଣ ବଢୁଥିବାରୁ ସମସ୍ତେ ବୁଷ୍ଟର ଡୋଜ୍ ନେବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ। କେନ୍ଦ୍ର ସରକାରଙ୍କ କୋଭିଡ୍ ଟିକାକରଣ ଯୋଜନାରେ ୧ଲକ୍ଷ ଡୋଜ୍ ଟିକା ଓଡ଼ିଶାକୁ ଆସିଥିଲା। ଏହି ଟିକା ପ୍ରଥମ ପ୍ରର୍ଯ୍ୟାୟରେ ଆବଶ୍ୟକତା ଅନୁସାରେ ସମସ୍ତ ଜିଲ୍ଲାକୁ ପଠାଯାଇଛି।

ସୂଚନାଯୋଗ୍ୟ, କେନ୍ଦ୍ର ସରକାର ଦେଉଥିବା କୋଭିଡ୍ ଟିକା ନଭେମ୍ବର ୨୮ରେ ଶେଷ ହୋଇଯାଇଥିଲା। ଏହାପରେ ରାଜ୍ୟ ସରକାର କୋଭିଡ୍ ଟିକା ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ । ଗତକାଲି ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ କରି କହିଥିଲା ଯେ, ଯେଉଁମାନେ ନିଜର ଦ୍ୱିତୀୟ ଓ ବୁଷ୍ଟର ଡୋଜ୍ ନେଇନାହାନ୍ତି ସେମାନେ ନିଜର ପାଖ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସବଡିଭିଜନାଲ ହସ୍ପିଟାଲ, ସିଏଚସି ଓ ପିଏଚସିକୁ ଯାଇ ଏହି ଟିକା ନେଇପାରିବେ। ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୮.୧୪କୋଟି ଡୋଜ୍ ଟିକା ଦିଆଯାଇ ସାରିଛି। ୩.୫୨କୋଟି (୯୭%) ଲୋକ ପ୍ରଥମ ଡୋଜ୍ ନେଇଥିବା ବେଳେ ୩.୩୦କୋଟି ଲୋକ ଦ୍ୱିତୀୟ ଡୋଜ୍ ନେଇଛନ୍ତି।

Comments are closed.