କୋଭିସିଲ୍ଡ ଓ କୋଭାକ୍ସିନ୍‌ର ମିଶ୍ରିତ ଡୋଜ୍‌ ପ୍ରଭାବଶାଳୀ: ଆଇସିଏମ୍‌ଆର୍‌ର ପ୍ରାଥମିକ ଗବେଷଣା

0

ଭୁବନେଶ୍ବର, ୮।୮: ଶରୀରରେ କରୋନା ଟିକା କୋଭାକ୍ସିନ୍‌ ଓ କୋଭିସିଲ୍ଡର ମିଳିତ ଡୋଜ୍‌ ଅଧିକ ପ୍ରଭାବଶାଳୀ। ଦୁଇଟି ଭିନ୍ନ ଭିନ୍ନ କରୋନା ଟିକାର ମିଶ୍ରିତ ଡୋଜ୍ କିପରି ଶରୀରରେ କାର୍ଯ୍ୟ କରୁଛି, ଏ ନେଇ ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମଆର) ଗବେଷଣା ଚଳାଇଥିବା ବେଳେ ଏଭଳି ତଥ୍ୟ ସାମ୍‌ନାକୁ ଆସିଛି। ୧୮ ଜଣ ସ୍ୱେଚ୍ଛାସେବୀଙ୍କୁ ନେଇ ଏହି ପରୀକ୍ଷା କରାଯାଇଛି। ଏହି ସ୍ବେଚ୍ଛାସେବୀମାନଙ୍କୁ ପ୍ରଥମେ କୋଭିସିଲ୍ଡ ଡୋଜ୍ ଦିଆଯାଇଥିବା ବେଳେ ଦ୍ୱିତୀୟ ଡୋଜ୍ କୋଭାକ୍ସିନ୍ ଦିଆଯାଇଥିଲା। ସେହିପରି ଏହି ପରୀକ୍ଷାରେ ଭାଗ ନେଇଥିବା ଅନ୍ୟ ୪୦ ଜଣ ସ୍ୱେଚ୍ଛାସେବୀଙ୍କୁ କୋଭିସିଲ୍ଡର ଦୁଇଟି ଡୋଜ୍ ଦିଆଯାଇଥିଲା। ସେହିଭଳି ଆଉ ୪୦ ଜଣ ସ୍ବେଚ୍ଛାସେବୀ ନେଇଥିଲେ କୋଭାକ୍ସିନ୍‌ର ୨ ଡୋଜ୍।

ତିନିଟି ବିଭାଗରେ ସ୍ୱେଚ୍ଛାସେବୀଙ୍କୁ ବିଭକ୍ତ କରି ଗବେଷଣା କରିଥିଲା ଆଇସିଏମଆର। ଗବେଷଣାରୁ ଜଣାପଡିଛି, ତିନିଟି କ୍ଷେତ୍ରରେ ପାର୍ଶ୍ବ ପ୍ରତିକ୍ରିୟା ସମାନ ରହିଛି। ଅର୍ଥାତ୍ କୋଭିସିଲ୍ଡ ଓ କୋଭାକ୍ସିନର ମିଶ୍ରିତ ଡୋଜ୍ ନିରାପଦ ବୋଲି ଗବେଷଣାରୁ ଜଣାପଡ଼ିଛି । ମିଶ୍ରିତ ଡୋଜ୍ କେବଳ ନିରାପଦ ନୁହେଁ, ଆଇସିଏମ୍‌ଆର୍‌ର ଗବେଷଣା କହୁଛି ସମାନ ଟିକାର ଡୋଜ୍ ଅପେକ୍ଷା ମିଶ୍ରିତ ଟିକା ଶରୀରରେ ଅଧିକ ଆଂଟିବଡି ସୃଷ୍ଟି କରୁଛି।

ତେବେ ଆଇସିଏମଆର ଏହି ପ୍ରାଥମିକ ଗବେଷଣାକୁ ବିଶେଷଜ୍ଞ ଟିମ୍ ଏ ପର୍ଯ୍ୟନ୍ତ ସମୀକ୍ଷା କରିନାହିଁ। ଆଉ ଏହି ଗବେଷଣା ଦୁର୍ବଳତମ ଦିଗଟି ହେଉଛି ଗୋଟିଏ ଛୋଟ ଗ୍ରୁପରେ ଏହାକୁ ପରୀକ୍ଷା କରାଯାଇଛି। କାରଣ ସ୍ବେଚ୍ଛାସେବୀମାନେ ମିଶ୍ରିତ ଟିକା ଡୋଜ୍ ନେବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି।

ପ୍ରଥମେ କୋଭିସିଲ୍ଡ ଟିକା ପରେ କୋଭାକ୍ସିନ୍ ଟିକା ଡୋଜ ଦିଆଯାଇ ଏହି ଗବେଷଣା କରିଛି ଆଇସିଏମଆର। ଏହାକୁ ପରିବର୍ତନ କରି ଗବେଷଣା କରାଯାଇନାହିଁ। ତେବେ ଏହି ଗବେଷଣା ଏକ ବଡ଼ ଗ୍ରୁପରେ କରାଯାଇ ଅନୁଧ୍ୟାନ କରାଗଲେ, ଟିକାକରଣରେ ଏହା ପ୍ରଭାବଶାଳୀ ହୋଇପାରିବ ।

Leave A Reply

Your email address will not be published.