ଆସୁଛି ବାତ୍ୟା ‘ଜୱାଦ’

୪ ତାରିଖରେ ସ୍ଥଳ ଭାଗ ଛୁଇଁବ, ୩ ରାତିରୁ ରାଜ୍ୟରେ ଆରମ୍ଭ ‌ହୋଇଯିବ ବର୍ଷା

0

ଭୁବନେଶ୍ଵର, ୩୦/୧୧: ଓଡ଼ିଶାକୁ ପୁଣି ଘନେଇଛି ବାତ୍ୟା ଭୟ। ଆସୁଛି ସମ୍ଭାବ୍ୟ ବାତ୍ୟା ‘ଜୱାଦ୍’। ଦକ୍ଷିଣ ଆଣ୍ଡାମାନ ସାଗରରେ ଆଜି ପୂର୍ବାହ୍ନରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। କାଳକ୍ରମେ ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଆଡ଼କୁ ମୁହାଁଇପାରେ। ୨ ତାରିଖ ସୁଦ୍ଧା ଏହା ଅଧିକ ଘନୀଭୂତ ହୋଇ ଅବପାତ ରୂପ ନେବ ଲଘୁଚାପ। ୩ ସୁଦ୍ଧା ବଙ୍ଗୋପସାଗରରେ ବାତ୍ୟା ରୂପ ନେବା ସମ୍ଭାବନା ରହିଛି। ୪ ତାରିଖରେ ବାତ୍ୟା ଓଡ଼ିଶା ଉପକୂଳ ଛୁଇଁବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ୩ ତାରିଖ ରାତିରୁ ଓଡ଼ିଶା ଉପକୂଳରେ ବର୍ଷା ଆରମ୍ଭ ହୋଇଯିବ। ୪ ତାରିଖରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ତେବେ ବାତ୍ୟା ଜୱାଦ କେଉଁ ସ୍ଥାନରେ ସ୍ଥଳଭାଗ ଛୁଇଁବ ସେନେଇ ସ୍ପଷ୍ଟ କରିନି ପାଣିପାଗ ବିଭାଗ। ବାତ୍ୟା ଆସୁଥିବା ନେଇ ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସ୍ପଷ୍ଟ କରିଛନ୍ତି।
ସୂଚନାନୁଯାୟୀ, ୩ ତାରିଖ ମଧ୍ୟରାତ୍ରରୁ ପବନର ବେଗ ବଢିବ। ୪୫ ରୁ ୫୦ କିମି ବେଗରେ ପବନ ବହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଉଛି। ୪ ତାରିଖ ସକାଳେ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ଉପକୂଳରେ ପହଞ୍ଚିବ ବାତ୍ୟା। ତେବେ ଉପକୂଳରେ ପହଞ୍ଚିଲେ ମଧ୍ୟ ଉପକୂଳ ଅତିକ୍ରମ କରିବ ନାହିଁ ବାତ୍ୟା। ଉପକୂଳରେ ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରିବ ବାତ୍ୟା। ତେଣୁ ଉପକୂଳ ଓଡ଼ିଶାରେ ବାତ୍ୟାର ପ୍ରଭାବ ଅଧିକ ରହିବ। ୪ ତାରିଖରେ ପ୍ରବଳ ବର୍ଷା ହେବ ଏବଂ ୫ ତାରିଖରେ ଅଳ୍ପ କିଛି ଜାଗାରେ ପ୍ରବଳ ବର୍ଷା ହେବ। ପ୍ରଥମେ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ। କାଳକ୍ରମେ ଉତ୍ତର ଉପକୂଳ ଆଡ଼କୁ ବଢିବ। ୩ ରୁ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଜାରି ରହିବ। ତେଣୁ ସମୁଦ୍ରରେ ଥିବା ମତ୍ସଜିବୀଙ୍କୁ ୨ ତାରିଖ ସୁଦ୍ଧା ଫେରିଆସିବାକୁ କହିଛନ୍ତି ଆଇଏମଡି ଡିଜି। ଏହା ସହ ବିଲରୁ ଧାନ କାଟି ସୁରକ୍ଷିତ ସ୍ଥାନକୁ ଆଣିବା ପାଇଁ ପରାମର୍ଶ ଦେଇଛନ୍ତି ଡିଜି।

Leave A Reply

Your email address will not be published.