ପଞ୍ଚାୟତିରାଜ ଫଣ୍ଡରେ ହାତ ନ ମାରନ୍ତୁ ରାଜ୍ୟ ସରକାର: ଧର୍ମେନ୍ଦ୍ର ପ୍ରଧାନ

0

ଭୁବନେଶ୍ବର, ୧୭।୨: ରାଜ୍ୟ ଓ କେନ୍ଦ୍ରର ମିଳିତ କର୍ମଶାଳାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଶିଶୁ ଓ ମହିଳାଙ୍କ କ୍ଷେତ୍ରରେ ପଞ୍ଚାୟତରାଜି ବିଭାଗର ଭୂମିକା ନେଇ ଭୁବନେଶ୍ୱରରେ ଆୟୋଜିତ ଜାତୀୟ କର୍ମଶାଳା ମଞ୍ଚରେ ପଞ୍ଚାୟତରାଜି ମନ୍ତ୍ରୀ ପ୍ରଦୀପ ଅମାତ ଓ ସଚିବ ସୁଶୀଲ କୁମାର ଲୋହାନୀଙ୍କ ଉପସ୍ଥିତିରେ କେତେକ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ଟାର୍ଗେଟ କରିଛନ୍ତି। ଧର୍ମେନ୍ଦ୍ର କହିଛନ୍ତି, ରାଜ୍ୟ ସରକାର ପଞ୍ଚାୟତରାଜି ଫଣ୍ଡରେ ହାତ ମାରନ୍ତୁ ନାହିଁ।

ପଞ୍ଚଦଶ ଅର୍ଥ କମିସନରୁ ଓଡ଼ିଶାକୁ ୮୫୦୦ କୋଟି ଆସିଛି। ପଞ୍ଚାୟତିରାଜ ବ୍ୟବସ୍ଥାକୁ ସାମ୍ବିଧାନିକ ଅଧିକାର ଦିଆଯାଇଛି। ଦିଲ୍ଲୀରୁ ସିଧା ଅର୍ଥ ପଞ୍ଚାୟତ ପାଇଁ ଆସୁଛି। ହେଲେ କନ୍‌ଭରଜେନ୍ସ ନାଁରେ ଦିଲ୍ଳୀ ପଳାଉଛି। କନ୍‌ଭରଜେନ୍ସ ନାଁରେ ରାଜ୍ୟ ସରକାର ଟଙ୍କା ଉଠାଇ ଦେଉଛନ୍ତି। ହେଲେ ଏହା ଉଚିତ୍ ନୁହେଁ । ଓଡ଼ିଶାରେ ରାଜସ୍ଵର ଅଭାବ ନାହିଁ। ସରପଞ୍ଚ, ଜିଲ୍ଳା ପରିଷଦ, ଅଧ୍ୟକ୍ଷଙ୍କ ପାଣ୍ଠିରେ ରାଜ୍ୟ ସରକାର ହାତ ନମାରିଲେ ଭଲ। ନାଚ ଗୀତରେ ୩ ହଜାର କୋଟି ଖର୍ଚ୍ଚ କରିଦେଲେ। ପଞ୍ଚଦଶ ଅର୍ଥ କମିସନରେ ଅଧିକ ଅର୍ଥ ବରାଦ ହୋଇଥିଲେ ମଧ୍ୟ ପଞ୍ଚାୟତରାଜି ସଂସ୍ଥାଗୁଡ଼ିକ ଦାୟିତ୍ୱ ନନେଲେ କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରୀ ହୋଇପାରିବ ନାହିଁ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ଏଥିପ୍ରତି ଦୃଷ୍ଟି ଦିଅନ୍ତୁ ବୋଲି ଧର୍ମେନ୍ଦ୍ର କହିଛନ୍ତି।

ସେହିଭଳି ଧର୍ମେନ୍ଦ୍ର କହିଛନ୍ତି, କେନ୍ଦ୍ର ସରକାର ଦେଶର ଛାତ୍ରଛାତ୍ରୀଙ୍କୁ ଉନ୍ନତମାନର ଶିକ୍ଷା ପ୍ରଦାନ ପାଇଁ ପିଏମଶ୍ରୀ ସ୍କୁଲ ଯୋଜନା ଆରମ୍ଭ କରିଛନ୍ତି। ଦେଶରେ ପ୍ରାୟ ୧୪ ହଜାର ସ୍କୁଲ ଖୋଲିବାକୁ ଯୋଜନା ରହିଛି । ପ୍ରତି ବ୍ଲକରେ ୨ଟି ଲେଖାଏଁ ସ୍କୁଲ ଖୋଲାଯିବ, ଯାହାକୁ ରାଜ୍ୟ ସରକାର ଚୟନ କରିବେ। ଏହି କ୍ରମରେ ଓଡିଶାରେ ପ୍ରାୟ ୮ଶହ ପିଏମଶ୍ରୀ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଛି ଏବଂ ୧୬ଶହ କୋଟି ଟଙ୍କା ଖର୍ଚ୍ଚ କରାଯିବ। ହେଲେ ରାଜ୍ୟ ସରକାର ଏଥିପାଇଁ ଏମଓୟୁ କରୁନଥିବା ଅଭିଯୋଗ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ଅନ୍ୟପଟରେ ଧର୍ମେନ୍ଦ୍ରଙ୍କ ଆରୋପକୁ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ, ପଞ୍ଚାୟତକୁ ଆସୁଥିବା ଅର୍ଥ ସଂପୂର୍ଣ୍ଣ ସଠିକ ବିନିଯୋଗ ହେଉଛି।

Leave A Reply

Your email address will not be published.