୧୦ ପିଲା ଥିଲେ ସ୍କୁଲରେ ତାଲା ମାରନି, ପ୍ରତି ତିନି କୋଲିମିଟର ଅଞ୍ଚଳରେ ଗୋଟିଏ ସ୍କୁଲ ରହୁ: ଓଲ୍‌ଷ୍ଟା

0

ଭୁବନେଶ୍ବର, ୨୦।୩: ସ୍କୁଲରେ ୧୫ରୁ ୧୦ ଭିତରେ ପିଲା ଥିଲେ ତାଲା ମାରନ୍ତୁନି। ଏଥିରୁ କ୍ଷାନ୍ତ ରୁହନ୍ତୁ ସରକାର। ନଚେତ୍‌ ଏମିତି ଭାବେ ସ୍କୁଲ ବନ୍ଦ ହେଲେ, ଶିକ୍ଷା ବ୍ୟବସ୍ଥା ଧ୍ୱଂସ ହେବ। ପିଲା ପାଠ ପଢ଼ିବେ କେମିତି? ସ୍କୁଲ ବନ୍ଦ ଓ ମିଶ୍ରଣକୁ ନେଇ ସରକାରଙ୍କୁ ଏଭଳି ପ୍ରଶ୍ନ କରିଛି ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ (ଓଲ୍‌ଷ୍ଟା)। ସ୍କୁଲରେ ୧୫ ପରିବର୍ତ୍ତେ ୧୦ ଜଣ ପିଲା ସଂଖ୍ୟାକୁ ବିଚାରକୁ ନେଇ ବନ୍ଦ ନିଷ୍ପତ୍ତି ହେଉ ବୋଲି ଦାବି କରିଛି ସଂଘ।
ଶ୍ରମିକ ଭବନରେ ସଂଘ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଭାପତି ଜଗବନ୍ଧୁ ଜେନା କହିଛନ୍ତି, ରାଜ୍ୟରେ ପ୍ରାୟ ୨୨ ହଜାରରୁ ଅଧିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଛି। କିନ୍ତୁ ଏହି ସବୁ ସ୍କୁଲରେ ପିଲାଙ୍କ ତୁଳନାରେ ଶିକ୍ଷକ କମ୍‌। ମାତ୍ର ୩୦୦୦ ରୁ ୪୦୦୦ ଶିକ୍ଷକଙ୍କୁ ନେଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଚାଲିଛି। ସେହିପରି ୧୫୨୫ ଅନୁଦାନ ପ୍ରାପ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇଁ ୩୦୫୦ ଜଣ ଶିକ୍ଷକଙ୍କର ଆବଶ୍ୟକତା ଥିବା ବେଳେ ମାତ୍ର ୧୫୦୦ ଶିକ୍ଷକ ପିଲାଙ୍କୁ ପାଠ ପଢ଼ାଉଛନ୍ତି। ଅନେକ ସ୍କୁଲରେ ଜଣେ ଶିକ୍ଷକରେ ପାଠପଢ଼ା ହେଉଛି। ସରକାର ଶିକ୍ଷକ ନିଯୁକ୍ତି ନ କରି ନିଜର ଅପାରଗତାକୁ ଲୁଚେଇବାକୁ ଯାଇ ବିଦ୍ୟାଳୟ ମିଶ୍ରଣ ପ୍ରକ୍ରିୟାକୁ ଆପଣେଇଛନ୍ତି । ପିଲାସଂଖ୍ୟା ହ୍ରାସ ଓ ପରୀକ୍ଷା ଫଳ ଖରାପକୁ ପ୍ରଚାର କରି ସ୍କୁଲ ଭାଙ୍ଗିବାର ପ୍ରକ୍ରିୟା ଆରମ୍ଭ କରୁଛନ୍ତି। ଯାହାଦ୍ୱାରା ପିଲାଙ୍କ ପାଠପଢ଼ା କ୍ଷତି ହେବ। ଦୂର ସ୍ଥାନକୁ ପଢ଼ିବାକୁ ପିଲା ଯିବେ ବୋଲି ସେ ପ୍ରକାଶ କରିଛନ୍ତି।

ସରକାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇଁ ଶିକ୍ଷା ଅଧିକାର ଆଇନରେ ଥିବା ବ୍ୟବସ୍ଥାକୁ ମାନନ୍ତୁ। ଏହା ସହ ପୂର୍ଣ୍ଣ ଓ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକୁ ସରକାରୀ ଘୋଷଣା କରନ୍ତୁ। ବିଦ୍ୟାଳୟ ବନ୍ଦ ପାଇଁ ପିଲା ସଂଖ୍ୟା ୧୫ ପରିବର୍ତ୍ତେ ୧୦ ଜଣରେ ସୀମିତ କରନ୍ତୁ। ଏହା ସତ୍ତ୍ବେ ଯଦି ପିଲା ସଂଖ୍ୟା କିମ୍ବା ପରୀକ୍ଷା ଫଳ ଖରାପ ହୁଏ, ତେବେ ସେହି ବିଦ୍ୟାଳୟକୁ ବନ୍ଦ କରନ୍ତୁ। କିନ୍ତୁ ଶିକ୍ଷକଙ୍କ ଦରମା ଓ ଚାକିରୀକୁ ସୁରକ୍ଷିତ କରି ଅନ୍ୟ ନିକଟସ୍ଥ ସରକାରୀ ବିଦ୍ୟାଳୟରେ ଅବସ୍ଥାପିତ କରନ୍ତୁ । ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଖାଲିଥିବା ସ୍ଥାନରେ ତୁରନ୍ତ ଶିକ୍ଷକ ନିଯୁକ୍ତି କରିବାର ବ୍ୟବସ୍ଥା କରନ୍ତୁ ବୋଲି ଶ୍ରୀ ଜେନା କହିଛନ୍ତି । ସମ୍ମିଳନୀରେ ସାଧାରଣ ସଂପାଦକ ସୁକାନ୍ତ କୁମାର ବେହେରା, କୋଷାଧ୍ୟକ୍ଷ ଜୟପ୍ରକାଶ ପଣ୍ଡାଙ୍କ ସମେତ ଶିକ୍ଷକ ନେତା କିଶୋର ମହାରଥା, ମାଧବାନନ୍ଦ ପଣ୍ଡା, କବିରାଜ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

 

Leave A Reply

Your email address will not be published.