ନବ ଦାସ ହତ୍ୟା ମାମଲାରେ ଗୃହରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି : ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ରାଜନୀତି କରିବା ଦୁର୍ଭାଗ୍ୟଜନକ

0

ଭୁବନେଶ୍ବର, ୨୨।୨ : ବଜେଟ୍ ଅଧିବେଶନର ଦ୍ବିତୀୟ ଦିନରେ ପୁଣି ଅଚଳ ହୋଇଛି ବିଧାନସଭା। ନବ ଦାସ ହତ୍ୟା ମାମଲାର ତଦନ୍ତ ନେଇ ଗୃହର ମଧ୍ୟଭାଗକୁ ଆସି ବି‌ରୋଧୀ ଦଳର ବିଧାୟକମାନେ ହୋହଲ୍ଲା କରିଛନ୍ତି। ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ନବ ଦାସ ହତ୍ୟା ମାମଲା ସଂକ୍ରାନ୍ତୀୟ ବିବୃତି ଉପସ୍ଥାପନ କରିଛନ୍ତି। ନିଜ ବିବୃତିରେ ମୁଖ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ପରେ ରାଜ୍ୟ ସରକାର ଏହାର ତଦନ୍ତ କ୍ଷେତ୍ରରେ ଏଯାବତ୍ ଗ୍ରହଣ କରିଥିବା ସମସ୍ତ ପଦକ୍ଷେପ ସଂପର୍କରେ ଗୃହକୁ ଅବଗତ କରିଥିଲେ। ଏଥିସହ ଏହି ସ୍ପର୍ଶକାତର ଘଟଣାର ରାଜନିତୀକରଣ କରାଯାଉଥିବା ନେଇ କ୍ଷୋଭ ପ୍ରକାଶ କରିବା ସହ ବିଜେପି ଉପରେ ବର୍ଷିଥିଲେ।

ମୁଖ୍ୟମନ୍ତ୍ରୀ ତାଙ୍କ ବିବୃତିରେ କହିଥିଲେ ଯେ ଏହା ଅତ୍ୟନ୍ତଦୁଃଖଦାୟକ କି ପୂର୍ବତନ ମନ୍ତ୍ରୀଙ୍କ ହତ୍ୟାକାରୀ ଜଣେ ପୁଲିସ ଅଧିକାରୀ। ତେବେ ଏହି କାରଣରୁ ବିଜେପି ପକ୍ଷରୁ ‌ସମଗ୍ର ପୁଲିସ ବାହିନୀକୁ ଯେଭଳି ଆକ୍ଷେପ କରାଯାଇ ମନ୍ତବ୍ୟ ଦିଆଯାଉଛି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହି ଘଟଣାକୁ ନେଇ ରାଜନୈତିକ ବୟାନବାଜି ହେତୁ ପୂରା ପୁଲିସ ବାହିନୀର ମନୋବଳ ଉପରେ ନକାରାତ୍କମ ପ୍ରଭାବ ପଡ଼ୁଛି। ବିଜେପି ରାଜ୍ୟର ପୁଲିସ ବାହିନୀକୁ ଉଦ୍ଦେଶ୍ୟମୂଳକ ଭାବେ ବଦନାମ କରିବାକୁ ଉଦ୍ୟମ କରୁଛି। ସେହିପରି ସାମ୍ବିଧାନିକ ପଦବୀରେ ଥିବା ଜଣେ ବ୍ୟକ୍ତି ଜଣେ କାର୍ଯ୍ୟରତ ମହିଳା ପୁଲିସ ଅଧିକାରୀଙ୍କୁ ଆକ୍ରମଣ କରିବା ବି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା। ଓଡ଼ିଶା ଏଭଳି ଲଜ୍ଜାଜନକ କାଣ୍ଡକୁ କଦାପି କ୍ଷମାଦେବ ନାହିଁ।

ତାଙ୍କ ବିବୃତିର ଶେଷ ଭା‌ଗରେ କହିଥିଲେ ଯେ ଆମର ବିଭିନ୍ନ ପ୍ରସଙ୍ଗ ଓ ମାମଲାକୁ ନେଇ ଭିନ୍ନ ଭିନ୍ନ ମତ ଥାଇପାରେ। ତାହାକୁ ନେଇ ଆମେ ତର୍କ କରିପାରିବା କିଂବା ଆଲୋଚଚନା କରିପାରିବା। କିନ୍ତୁ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ରାଜନୀତି କରିବା ଆଦୌ ଗ୍ରହଣୀୟ ନୁହେଁ। ମୋ ସରକାରର ଏକମାତ୍ର ଲକ୍ଷ୍ୟ ଏହି ସଙ୍ଗୀନ ଅପରାଧରେ ସଂପୃକ୍ତ ସମସ୍ତଙ୍କୁ ଧରି କଠୋର ଦଣ୍ଡରେ ଦଣ୍ଡିତ କରିବା।

ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ ବିରୋଧୀଙ୍କ ହଟଗୋଳକୁ ଦେଖି ଗୃହର ସୁପରିଚାଳନା ପାଇଁ ବାଚସ୍ପତି କାର୍ଯ୍ୟ ପରାମର୍ଶଦାତା କମିଟି ବୈଠକ ଡକାଇବା ସହ ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରିଛନ୍ତି

Leave A Reply

Your email address will not be published.