ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କ ଐତହାସିକ ବିଜୟ

0

ନୂଆଦିଲ୍ଲୀ, ୨୧।୭: ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କ ଐତିହାସିକ ବିଜୟ। ବିପୁଳ ଭୋଟରେ ରାଷ୍ଟ୍ରପତି ନିର୍ବାଚନ ଜିତିଛନ୍ତି ଦ୍ରୌପଦୀ ମୁର୍ମୁ। ସେ ତାଙ୍କ ନିକଟତମ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ଏକତରଫା ଭାବେ ପରାସ୍ତ କରିଛନ୍ତି। ଆସନ୍ତା ୨୫ ତାରିଖରେ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଶ୍ରୀମତୀ ମୁର୍ମୁ ଶପଥ ଗ୍ରହଣ କରିବେ। ଏହାପରେ ସେ ପ୍ରଥମ ଓଡ଼ିଆ ଓ ପ୍ରଥମ ଆଦିବାସୀ ମହିଳା ଭାବେ ଦେଶର ରାଷ୍ଟ୍ରପତି ହେବାର ରେକର୍ଡ ସୃଷ୍ଟି କରିବେ। ସେହିପରି ଦେଶର ଦ୍ୱିତୀୟ ମହିଳା ରାଷ୍ଟ୍ରପତି ହେବାର କୀର୍ତ୍ତିମାନ ତାଙ୍କ ନାଁରେ ଯୋଡ଼ି ହୋଇଯିବ। ମୁର୍ମୁଙ୍କ ପୂର୍ବରୁ ପ୍ରତିଭା ପାଟିଲ ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ହୋଇଥିଲେ।

ମୋଟ ୪ ରାଉଣ୍ଡ ଭୋଟ ଗଣତି ପରେ ଦ୍ରୌପଦୀ ମୁର୍ମୁଙ୍କୁ ୨୮୨୪ ଜଣ ସାଂସଦ ଓ ବିଧାୟକଙ୍କ ଭୋଟ ମିଳିଛି। ଏହାର ମୂଲ୍ୟ ୬,୭୬,୮୦୩। ରାଷ୍ଟ୍ରପତି ଭାବେ ନିର୍ବାଚନ ଜିତିବା ପାଇଁ ଜଣେ ପ୍ରାର୍ଥୀଙ୍କ ଭୋଟ ମୂଲ୍ୟ ୫,୨୮, ୪୯୧ ହେବାର ଆବଶ୍ୟକ ଥିଲା। ହେଲେ ଦ୍ରୌପଦୀ ମୁର୍ମୁଙ୍କ ଭୋଟ ମୂଲ୍ୟ ୬ ଲକ୍ଷରୁ ଅଧିକ।

ସେହିପରି ଯଶୱନ୍ତ ସିହ୍ନା ୧୮୭୭ ଖଣ୍ଡ ଭୋଟ ପାଇଛନ୍ତି। ଏହାର ମୂଲ୍ୟ ୩,୮୦,୧୭୭। ଦ୍ରୌପଦୀଙ୍କ ଭୋଟ ମୂଲ୍ୟ  ଯଶୱନ୍ତଙ୍କ ଠାରୁ ଅଧିକ ଥିବାରୁ ରିଟର୍ଣ୍ଣିଂ ଅଫିସର ପିସି ମୋଡୀ ରାତି ପ୍ରାୟ ୯.୪୦ରେ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ବିଜେତା ଘୋଷଣା କରିଛନ୍ତି।

ତାଙ୍କ ସୂଚନା ଅନୁସାରେ, ୪୭୫୪ ଭୋଟ ରାଷ୍ଟ୍ରପତି ନିର୍ବାଚନରେ ପଡ଼ିଥିଲା। ଏହା ମଧ୍ୟରୁ ୪୭୦୧ ବୈଧ ଭୋଟ ହୋଇଥିବା ବେଳେ ୫୩ ଖଣ୍ଡ ଭୋଟ ନାକଚ ହୋଇ ଯାଇଛି। ଏହା ମଧ୍ୟରେ ୧୩ ଜଣ ସାଂସଦଙ୍କ ଭୋଟ ମଧ୍ୟ ରହିଛି। ୪ର୍ଥ ରାଉଣ୍ଡ ଭୋଟ ଗଣତି ଫଳାଫଳ ଆସିବା ପୂର୍ବରୁ ହିଁ ଶ୍ରୀମତୀ ମୁର୍ମୁ ଜିତିବା ପାଇଁ ଆବଶ୍ୟକ ୫୦%ରୁ ଅଧିକ ଭୋଟ ପାଇ ସାରିଥିଲେ। ତେଣୁ ସେ ଗୋଟିଏ ରାଉଣ୍ତ ପୂର୍ବରୁ ହିଁ ନିର୍ବାଚନ ଜିତି ସାରିଥିବା ଖବର ପ୍ରକାଶ ପାଇଥିଲା। ଏହାପରେ ରିଟର୍ଣ୍ଣିଂ ଅଫିସର ୪ର୍ଥ ରାଉଣ୍ଡ ଭୋଟ ଗଣତି ପରେ ତାଙ୍କୁ ବିଧିବଦ୍ଧ ଭରବେ ବିଜେତା ଘୋଷଣା କରିଛନ୍ତି।

ଦୁଇ ରାଉଣ୍ଡ ଗଣତି ସୁଦ୍ଧା ଦ୍ରୌପଦୀ ମୁର୍ମୁଙ୍କ ଭୋଟ ମୂଲ୍ୟ ,୮୩,୨୯୯ ରହିଥିଲା। ତୃତୀୟ ରାଉଣ୍ଡରେ ଆଉ ୧୦ ରାଜ୍ୟର ବିଧାୟକଙ୍କ ଭୋଟ ଗଣତି କରାଯାଇଥିଲା। ଏହି ରାଉଣ୍ଡରେ କର୍ଣ୍ଣାଟକା, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ମିଜୋରାମ, ନାଗାଲ୍ୟାଣ୍ଡ, ଓଡ଼ିଶା ଓ ପଞ୍ଜାବର ବିଧାୟକଙ୍କ ଭୋଟ ଗଣତି କରାଯାଇଥିଲା। ତୃତୀୟ ରାଉଣ୍ଡର ମୋଟ ୧୩୩୩ ବୈଧ ଭୋଟ ଥିବା ବେଳେ ଏହାର ମୂଲ୍ୟ ୧,୬୫,୬୬୪। ଏହା ମଧ୍ୟରୁ ଦ୍ରୌପଦୀ ମୁର୍ମୁ ୮୧୨ ଖଣ୍ଡ ଓ ଯଶୱନ୍ତ ସିହ୍ନା ୫୨୧ ଖଣ୍ଡ ଭୋଟ ପାଇଥିଲେ। ଏହାକୁ ମିଶାଇଲେ ତୃତୀୟ ରାଉଣ୍ଡ ସୁଦ୍ଧା ମୋଟ ବୈଧ ଭୋଟ ହେଉଛି ୩୨୧୯ ଓ ଏହାର ମୂଲ୍ୟ ୮,୩୮,୮୩୯। ଏହା ମଧ୍ୟରୁ ଦ୍ରୌପଦୀ ମୁର୍ମୁ ୨୧୬୧ ଖଣ୍ଡ ଭୋଟ ଓ ଯଶୱନ୍ତ ସିହ୍ନା ୧୦୫୯ ଖଣ୍ଡ ଭୋଟ ପାଇଥିଲେ।

Leave A Reply

Your email address will not be published.