ଜୀବ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡ. ଅଜୟ ପରିଡ଼ାଙ୍କ ପରଲୋକ

0

ଭୁବନେଶ୍ଵର, ୧୯/୦୭ : ଆଇଏଲ୍‌ଏସ୍ ନିର୍ଦ୍ଦେଶକ ଡାକ୍ତର ଅଜୟ ପରିଡ଼ାଙ୍କ ପରଲୋକ। ଗୌହାଟୀରେ ଅଜୟ ପରିଡ଼ାଙ୍କ ଦେହାନ୍ତ ହୋଇଥିବା ଆଇଏଲଏସ୍ ପକ୍ଷରୁ ସୂଚନା ଦିଆଯାଇଛି। ସେ ଗୌହାଟୀକୁ ଏକ କନଫରେନ୍ସରେ ଯୋଗ ଦେବାକୁ ଯାଇଥିଲେ। ହୃଦ୍‌ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା।

ଜୀବ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡ. ଅଜୟ ପରିଡ଼ାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ବର୍ଗତ ପରିଡ଼ା ଜାତୀୟସ୍ତରରେ ଜଣେ ଉଚ୍ଚକୋଟୀର ବୈଜ୍ଞାନିକ ଥିଲେ। ଗବେଷଣା କ୍ଷେତ୍ରରେ ଓଡିଶାର ଜୀବ ବିଜ୍ଞାନ ପ୍ରତିଷ୍ଠାନକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ସ୍ବୀକୃତି ମିଳିବା କ୍ଷେତ୍ରରେ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। କରୋନା ସମୟରେ ଡ. ପରିଡ଼ା ଓ ଜୀବ ବିଜ୍ଞାନ ପ୍ରତିଷ୍ଠାନ ଗୁରୁତ୍ବପୂର୍ଣ୍ଣ ବୈଜ୍ଞାନିକ ସହାୟତା ଯୋଗାଇ ଦେଇଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ତାଙ୍କ ବିୟୋଗରେ ଦେଶ ଜଣେ ବିଶିଷ୍ଟ ବୈଜ୍ଞାନିକଙ୍କୁ ହରାଇଲା ବୋଲି ପ୍ରକାଶ କରିବା ସହିତ ତାଙ୍କର ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସଂପାଦନ କରାଯିବ ବୋଲି ଘୋଷଣା କରିଛନ୍ତି। ପରଲୋକଗତ ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ସୂଚନା ଥାଉକି, କରୋନା ମହାମାରୀ ସମୟରେ ରାଜ୍ୟରେ କୋଭିଡ୍ ମୁକାବିଲାରେ ଡା. ଅଜୟ ପରିଡ଼ାରଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ଥିଲା।

Leave A Reply

Your email address will not be published.