ଜଳସମ୍ପଦ ବିଭାଗର ଇ-ଜଳାଶୟ, ଇ-କ୍ୟାଡ୍ ବ୍ୟବସ୍ଥାର ଶୁଭାରମ୍ଭ

0

ଭୁବନେଶ୍ବର, ୧୭।୧୦: ଜଳସମ୍ପଦ ବିଭାଗର ୨ଟି ଓ୍ବେବ ତଥା ମୋବାଇଲ ଆପ୍ଲିକେସନ ଇ-ଜଳାଶୟ ଓ ଇ-କ୍ୟାଡ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି।  ଏହାକୁ ରାଜ୍ୟ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀମତୀ ସାହୁ କହିଥିଲେ ଯେ ଇ- ଜଳାଶୟ ପୋର୍ଟାଲ ଯୋଗୁ ରାଜ୍ୟର ବିଭିନ୍ନ ଜିଲ୍ଲା, ବ୍ଲକ, ଗ୍ରାମ ପଞ୍ଚାୟତ ଓ ଗ୍ରାମ ସ୍ତରରେ ଥିବା ବିଭିନ୍ନ ଜଳାଶୟର ଅବସ୍ଥିତି, ଜଳଧାରଣର କ୍ଷମତା ସମ୍ପର୍କରେ ତଥ୍ୟ ଜଣାଯିବା  ସହିତ ଜଳ ସଞ୍ଚୟର ସ୍ଥିତିକୁ ଦେଖି ସେହି ଅନୁସାରେ ବିନିଯୋଗ କରାଯାଇପାରିବ ।  ସେହିପରି ଜଳ ସୁପରିଚାଳନାରେ ପ୍ରମୁଖ ଭୂମିକା ନିର୍ବାହ କରୁଥିବାର ରାଜ୍ୟର ପ୍ରାୟ ୩୭ ହଜାର ପାଣି ପଞ୍ଚାୟତଗୁଡିକର ସ୍ଥିତି, ସେସବୁର ପରିଚାଳନା ଓ କାର୍ଯ୍ୟ ସମ୍ପର୍କରେ ତଥ୍ୟ ଉପଲବ୍ଧ ହେବାରେ ଇ-କ୍ୟାଡ୍ ବ୍ୟବସ୍ଥା ଏକ ପ୍ରମୁଖ ଡାଟାବେସ ଭାବେ ସହାୟତା ଯୋଗାଇ ଦେବ ବୋଲି ମନ୍ତ୍ରୀ ସାହୁ କହିଥିଲେ।

ଏଥିରେ ଜଳ ସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ  ଯୋଗ ଦେଇ କହିଥିଲେ ଯେ ରାଜ୍ୟରେ ଜଳସମ୍ପଦର ବିକାଶ ଓ ଜଳସଚେନର ସୁବିଧା ପାଇଁ ୫ଟି ଉପକ୍ରମର ବ୍ୟବହାର କରାଯାଉଛି।ଇ-ଜଳାଶୟ ପୋର୍ଟାଲରେ ଜଳସମ୍ପଦ ବିଭାଗ ଅଧୀନରେ ଥିବା ବିଭିନ୍ନ ବ୍ୟବସ୍ଥାରେ ରାଜ୍ୟର ପ୍ରାୟ ୧୯ ହଜାର ଜଳାଶୟର ଜଳଭଣ୍ଡାର ସମ୍ପର୍କରେ ତଥ୍ୟ ଉପଲବ୍ଧ ହୋଇଥିବା ସେ କହିଥିଲେ। ଏହି ଅବସରରେ ବିଭାଗ ତରଫରୁ ଏକ ପତ୍ରିକା ଇ-କାର୍ଡ ଉନ୍ମୋଚନ କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି, ସର୍ବୋଚ୍ଚ ଯନ୍ତ୍ରୀ ପ୍ରୋକ୍ୟୁରମେଣ୍ଟ ମହେନ୍ଦ୍ର କୁମାର ଭୂୟାଁପୂର୍ବତନ ସର୍ବୋଚ୍ଚ ଯନ୍ତ୍ରୀ ତଥା ଆଇଟି ପରାମର୍ଶଦାତା ଧୀରେନ କୁମାର ସାମଲ, ବିଭାଗର ସେବାଞ୍ଚଳ ଉନ୍ନୟନ (କ୍ୟାଡ) ଅତିରିକ୍ତ ଶାସନ ସଚିବ ରଶ୍ମିରଞ୍ଜନ ନାୟକ, ଅତିରିକ୍ତ ଶାସନ ସଚିବ ସୁବ୍ରତ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.