ବିବାଦୀୟ କୃଷି ଆଇନ୍‌ ପ୍ରତ୍ୟାହାର ଉପରେ ବୁଧବାର ବାଜିବ ମୋହର

ନୂଆଦିଲ୍ଲୀ, ୨୧।୧୧: ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତି ଉପରେ ମୋହର ମାରିବାକୁ ଆସନ୍ତା ୨୪ ତାରିଖ ଅର୍ଥାତ ବୁଧବାର କେନ୍ଦ୍ର କ୍ୟାବିନେଟ ବୈଠକ ବସିବ। ଏହାର ଅଧ୍ୟକ୍ଷତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିବେ। ଏହି ସମୟରେ ୩ଟି ଯାକ କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ପ୍ରସ୍ତାବ ଆସିବ। ଏହାପରେ ସର୍ବସମ୍ମତିକ୍ରମେ ଏହା ପାରିତ ହେବ ବୋଲି ଜଣାପଡ଼ିଛି। କ୍ୟାବିନେଟ ଅନୁମୋଦନ କରିବା ପରେ ଏହାକୁ ନଭେମ୍ବର ୨୯ରୁ ଆରମ୍ଭ ହେଉଥିବା ସଂସଦର ଶୀତ ଅଧିବେଶନ ବେଳେ ଗୃହରେ ଉପସ୍ଥାପନ କରାଯିବ। ଗୃହରେ ବିତର୍କ ଓ ଭୋଟ ଦ୍ୱାରା ବିଧିବଦ୍ଧ ଭାବେ ଆଇନକୁ ପ୍ରତ୍ୟାହାର କରାଯିବ। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧନ କରିବା ବେଳେ କୃଷି ଆଇନଗୁଡ଼ିକୁ ପ୍ରତ୍ୟାହାର କରାଯିବ ବୋଲି ଘୋଷଣା କରିଥିଲେ। ଏଥିସହ ଦୀର୍ଘ ଗୋଟିଏ ବର୍ଷ ହେଲା ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ଘରକୁ ଫେରିଯିବା ପାଇଁ ଅନୁରୋଧ କରିଥିଲେ। କିନ୍ତୁ ଚାଷୀମାନେ ଆଇନ ସଂସଦରେ ପ୍ରତ୍ୟାହାର ନ ହେବା ଯାଏ ଆନ୍ଦୋଳନ ସ୍ଥଳ ଛାଡ଼ିବେ ନାହିଁ ବୋଲି କହିଛନ୍ତି। ଏଥିସହ ଆସନ୍ତାକାଲି ସେମାନେ ଲକ୍ଷ୍ନୌରେ ମହାପଞ୍ଚାୟତ କରିବେ। ସେହିପରି ୨୬ ତାରିଖରେ ଆନ୍ଦୋଳନକୁ ବର୍ଷେ ପୁରୁଥିବାରୁ ବିଭିନ୍ନ ସ୍ଥାନରେ ରାଲି ମଧ୍ୟ କରାଯିବ। ଖାଲି ସେତିକି ନୁହେଁ, ଚାଷୀମାନେ ୨୯ ତାରିଖରେ ସଂସଦ ଅଭିମୁଖଆ ଶୋଭାଯାତ୍ରା ମଧ୍ୟ କରିବେ। ସେମାନେ କୃଷି ଆଇନ ପ୍ରତ୍ୟାହାର ହୋଇଥିଲେ ମଧ୍ୟ ଏମଏସ୍‌ପି ଉପରେ ଆଇନଗତ ମାନ୍ୟତା ଦାବି କରୁଛନ୍ତି।

Comments are closed.