ପଞ୍ଚମ ପର୍ଯ୍ୟାରୟ ଆଲୋଚନା ବି ବିଫଳ: ୯ରେ ପୁଣି ଏକ ବୈଠକ

0

ନୂଆଦିଲ୍ଲୀ, ୫।୧୨: ନୂଆ କୃଷି ଆଇନ ସମ୍ପର୍କରେ ସରକାର ଓ କୃଷକ ସଂଗଠନମାନଙ୍କ ମଧ୍ୟରେ ଚାଲିଥିବା ୫ମ ପର୍ଯ୍ୟାୟ ଆଲୋଚନାରେ କୌଣସି ନିଷ୍କର୍ଷ ବାହାରିପାରିନାହିଁ ।  ତେବେ କଥାବାର୍ତ୍ତା ଜାରି ରଖିବାକୁ ଉଭୟ ପକ୍ଷ ରାଜି ହୋଇଛନ୍ତି । ଆସନ୍ତା ୯ ତାରିଖରେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ହେବ । ଏହି ସମୟ ମଧ୍ୟରେ ସରକାର ନିଜ ଚୂଡ଼ାନ୍ତ ପ୍ରସ୍ତାବ କୃଷକମାନଙ୍କ ଆଗରେ ରଖିବେ ।

ତେବେ ଏହି ଆଲୋଚନା ସମୟରେ କୃଷକ ସଂଗଠନଗୁଡ଼ିକ ନିଜର ଆଭିମୁଖ୍ୟକୁ ଆହୁରି କଠୋର କରିଦେଇଛନ୍ତି । କେନ୍ଦ୍ର ସରକାର ପ୍ରଣୟନ କରିଥିବା ନୂତନ କୃଷି ଆଇନରେ  ସଂଶୋଧନ ନୁହେଁ, ଏହାର ପ୍ରତ୍ୟାହାର ପାଇଁ ସେମାନେ ଅଡ଼ି ବସିଛନ୍ତି । ଏପରିକି ଆଜିର ବୈଠକରେ କୃଷକନେତା ମାନେ ମୌନବ୍ରତ ଧାରଣ କରିଥିବା ଦେଖାଯାଇଥିଲା ।  ସେମାନଙ୍କ ଦାବି ସମ୍ପର୍କରେ ସରକାରଙ୍କ ଠାରୁ କେବଳ ହଁ ବା ନାହିଁ ରେ ଉତ୍ତର ଚାହିଁଥିଲେ । ସେମାନେ ‘ୟେଏସ୍/ ନୋ’ ଲେଖାଥିବା କାଗଜ ମଧ୍ୟ ଧରିଥିବା ଦେଖିବାକୁ ମିଳିଥିଲା।

ମିଳିଥିବା ସୂଚନା ଅନୁସାରେ ସରକାର ବିଦ୍ୟୁତ (ସଂଶୋଧନ) ବିଲ ୨୦୨୦ର ପ୍ରତ୍ୟାହାର ଓ ବିକ୍ଷୋଭ କରିଥିବା ଚାଷୀଙ୍କ ବିରୋଧରେ ରୁଜ୍ଜୁ ମାମଲା ପ୍ରତ୍ୟାହାର ପାଇଁ ସରକାର ରାଜି ହୋଇଛନ୍ତି ।

ଅନ୍ୟପକ୍ଷରେ କେତେକ କୃଷକ ସଂଗଠନ ମଧ୍ୟ ସରକାରଙ୍କ ସହିତ ଚାଲିଥିବା ଆଲୋଚନାରେ ଅଗ୍ରଗତି ହେଉଥିବା ପ୍ରକାଶ କରିଛନ୍ତି । ଆଗାମୀ ୯ ତାରିଖରେ ହେବାକୁ ଥିବା ଆଲୋଚନାରେ ସମାଧାନର ପନ୍ଥା ବାହାରିବ ବୋଲି ଆଶା ପ୍ରକଟ କରିଛନ୍ତି । ସରକାର ନିଜ ନିଷ୍ପତ୍ତିରେ ଅଟଳ ନ ରହି ଚାଷୀଙ୍କ ଦାବି ପ୍ରତି ସମ୍ବେଦନଶୀଳ ହୋଇଛନ୍ତି।

 

Leave A Reply

Your email address will not be published.