ରାଷ୍ଟ୍ରପତିଙ୍କ ପ୍ରତି ଅଶାଳୀନ ବୟାନ ଦେଇ ଅଡ଼ୁଆରେ ଟିଏମ୍‌ସି ମନ୍ତ୍ରୀ

ମାମଲା ରୁଜୁ କଲେ ରାଇରଙ୍ଗପୁର ବିଧାୟକ

0

ବାରିପଦା,୧୨/୧୧: ଓଡ଼ିଆ ଝିଅ ତଥା ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଅଶାଳୀନ ଓ ଅଭଦ୍ର ବୟାନ ଦେଇଥିବା ଟିଏମ୍‌ସି ନେତାଙ୍କ ବିରୁଦ୍ଧରେ ଏଫ୍‌ଆଇଆର୍‌। ମୟୂରଭଞ୍ଜ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ ରାଇରଙ୍ଗପୁର ଟାଉନ୍ ଥାନାରେ ଏହି ମାମଲା ରୁଜୁ କରିଛନ୍ତି। ସେ ଏଫଆଇଆରରେ ଅଭିଯୋଗ କରିଛନ୍ତି, ରାଷ୍ଟପତି ଦ୍ରୌପଦୀ ମୁର୍ମୁଙ୍କ ସୁନ୍ଦରତା ଉପରେ ପ୍ରଶ୍ନ କରି ସଭାରେ ଅପମାନିତ କରିବାର ହୀନ ପ୍ରୟାସ କରିଛନ୍ତି ପଶ୍ଚିମବଙ୍ଗ ମମତା ସରକାରଙ୍କ ଜେଲ୍ ବିଭାଗ ମନ୍ତ୍ରୀ ଅଖିଳ ଗିରି। ନନ୍ଦିଗ୍ରାମରେ ଜନସଭାରେ ମହାମହିମ ରାଷ୍ଟ୍ରପତିଙ୍କ ବିରୋଧରେ ମହିଳା ସମାଜ ଓ ସାରା ଦେଶର ଭାବାବେଗକୁ ଦୋହଲାଇ ଦେଲା ଭଳି ମନ୍ତବ୍ୟ ଦେଇଛନ୍ତି ଅଖିଳ।

ଜଣେ ଆଦିବାସୀ ଗରିବ ମହିଳାଙ୍କ ସଂଘର୍ଷମୟ ଯାତ୍ରାର ଅନନ୍ୟ ପ୍ରତିବିମ୍ବ ଦ୍ରୌପଦୀ। ଆଜି ଦ୍ରୌପଦୀ ମୁର୍ମୁ କେବଳ ରାଷ୍ଟ୍ରପତି ନୁହନ୍ତି, ସେ ଖଟିଖିଆ, ମେହନତି, ଗରିବ ଓ ସବୁ ବାଧା ବିଘ୍ନକୁ ସାମ୍ନା କରି ଆଗକୁ ବଢ଼ିବାକୁ ଚାହୁଁଥିବା ପ୍ରତି ବ୍ୟକ୍ତିର ଆଦର୍ଶର ପ୍ରତୀକ। ଦ୍ରୌପଦୀ ମୁର୍ମୁ ଆଜି ସାଧାରଣ ଗରିବଙ୍କ ଆଶା, ଆକାଂକ୍ଷା ଏବଂ ବିଶ୍ବାସର ପ୍ରତିକ। ଜୀବନବ୍ୟାପୀ ସଂଘର୍ଷ ଓ ସାଧନା ପରେ ସେ ରାଇରଙ୍ଗପୁରରୁ ରାଇସିନା ହିଲ୍ସ ଯାଏଁ ଯାତ୍ରା କରିଛନ୍ତି। ହେଲେ ଏବେ ତାଙ୍କୁ ତାଙ୍କ ରୂପକୁ ନେଇ ତାଚ୍ଛଲ୍ୟ କରାଯାଇଛି ।

କୁରୁସଭାରେ ବି ସେଦିନ ଦ୍ରୌପଦୀଙ୍କୁ ଅପମାନିତ କରାଯାଇଥିଲା। କୁରୁସଭାରେ ଚୁପ ରହିଥିଲେ ପିତାମହ ଭୀଷ୍ମ, ଦ୍ରୋଣାଚାର୍ଯ୍ୟ, କୃପାଚାର୍ଯ୍ୟ ଭଳି ସମାଜର ପ୍ରତିଷ୍ଠିତ ବୁଦ୍ଧି ଓ ଶକ୍ତିର ବ୍ୟକ୍ତିତ୍ବ । ସେମାନଙ୍କ ନିରବତା ଦୁର୍ଯ୍ୟୋଧନଙ୍କ ମନୋବଳ ବଢ଼ାଇଥିଲା । ମହାଭାରତ ଯୁଦ୍ଧ ହୋଇଥିଲା । ଏବେ ମହାମହିମ ଦ୍ରୌପଦୀ ଅପମାନିତ। ଓଡ଼ିଆ ଝିଅର ଅପମାନ, ଖାଲି ଓଡ଼ିଶା ନୁହେଁ ସାରା ଦେଶରୁ ସୃଷ୍ଟି ହେବ ପ୍ରତିବାଦର ଧ୍ବନି ଓ ପ୍ରତିଧ୍ବନି । ତେଣୁ ଏବେ ସମୟ ତାଙ୍କୁ ଉଚିତ ଶିକ୍ଷା ଦେବାର। ସମୟ ଏବେ ଅହଂକାରୀ ଶକ୍ତିକୁ ସିଧା ସିଧା ବିରୋଧ କରିବାର । ଓଡ଼ିଆ ସ୍ବାଭିମାନ, ଭାବାବେଗ ଓ ସମ୍ମାନବୋଧକୁ ଭୂଲୁଣ୍ଠିତ କରିବାକୁ ଷଡ଼ଯନ୍ତ୍ରକାରୀ ଏହି ଟିଏମସି ନେତାଙ୍କ ବିରୋଧରେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ବୋଲି ବିଧାୟକ ନବ ଚରଣ ମାଝୀ ଏଫାଆଇଆରରେ ଅନୁରୋଧ କରିଛନ୍ତି। 

Leave A Reply

Your email address will not be published.