ହାତୀ-ମଣିଷ ଲଢେଇ ନିୟନ୍ତ୍ରଣ ସମ୍ପର୍କିତ ସତ୍ୟପାଠ ହାଇକୋର୍ଟରେ ଦାଖଲ କଲା ବନ ବିଭାଗ

0

କଟକ, ୨୨।୧୨ : ହାତୀ ମୃତ୍ୟୁ ନେଇ ଗୁରୁବାର  ହାଇକୋର୍ଟରେ ଶୁଣାଣି ସମୟରେ ମୁଖ୍ୟ ବନ ସଂରକ୍ଷକ ସିସିଏଫ୍ ହାତୀ-ମଣିଷ ଲଢେଇ ନିୟନ୍ତ୍ରଣ ପାଇଁ ବନ ବିଭାଗ ନେଇଥିବା ପଦକ୍ଷେପର ବିସ୍ତୃତ ବିବରଣୀ ସତ୍ୟପାଠ ଜରିଆରେ ଉପସ୍ଥାପନ କରିଛନ୍ତି। ହାତୀ-ମଣିଷ ଲଢେଇ ନିୟନ୍ତ୍ରଣ ପାଇଁ ମୁଖ୍ୟତଃ ହାତୀ କରିଡର ଗୁଡିକରେ ହାତୀମାନଙ୍କର ଗତିବିଦ୍ଧି ଉପରେ ନଜର ରଖିବା ଓ ନିୟନ୍ତ୍ରଣ କରିବା ପାଇଁ ‘ଗଜସାଥି’,’ଜନ ସୁରକ୍ଷା-ଗଜ ରକ୍ଷା’,’ଇଣ୍ଟିଗ୍ରେଟେଡ ଓ୍ବାଇଲ୍ଡଲାଇଫ୍ ମ୍ୟାନେଜମେଣ୍ଟ ସିଷ୍ଟମ ଏବଂ ଆଇଡବ୍ଲୁଏଲଏମ୍ଏସ୍ ‘ ଆପ୍ ର ଆରମ୍ଭ ସମ୍ପର୍କରେ ଗୁରୁବାର ସତ୍ୟପାଠ ଜରିଆରେ କୋର୍ଟଙ୍କୁ ଅବଗତ କରିଛନ୍ତି ସିସିଏଫ୍।

ସତ୍ୟପାଠ ଅନୁସାରେ ବର୍ତ୍ତମାନ ସୁଦ୍ଧା ହାତୀ ଉପଦ୍ରବ ପ୍ରବଣ ଅଞ୍ଚଳର ୧୧ଶହ ୭୭ଟି ଗାଁରେ   ୫ହଜାର ୪ଶହ ୫୭ ଗଜସାଥୀ ନିୟୋଜିତ ହୋଇଛନ୍ତି। ରାଜ୍ୟରେ ହାତୀ କରିଡର ଭିତରେ ଚିହ୍ନଟ ଅଞ୍ଚଳରେ  ୪ ହଜାର ୮ଶହ ୧୬ଟି ଗ୍ରାମବାସୀଙ୍କୁ ନେଇ ୯ ଶହଟି ପ୍ରୋଟେକସନ୍‌ ସ୍କ୍ବାଡ କରାଯାଇଛି। ଏହି ସ୍କ୍ବାଡ ହାତୀର ଗତିବିଧି ସମ୍ପର୍କରେ ଗ୍ରାମବାସୀ ଓ ବନବିଭାଗ କର୍ମଚାରୀଙ୍କୁ ଜଣାଇବ। ଏହି କାମକୁ ଆହୁରି ସହଜ କରିବା ପାଇଁ ‘ଇଣ୍ଟିଗ୍ରେଟେଡ ଓ୍ବାଇଲ୍ଡ ଲାଇଫ୍ ମ୍ୟାନେଜମେଣ୍ଟ ସିଷ୍ଟମ’ ନାଁରେ ଏକ ନୂଆ ଆପ୍ ଆରମ୍ଭ କରାଯାଇଛି। ଏହି ଆପ ମାଧ୍ୟମରେ ଏବେ ଦିନକୁ ପ୍ରାୟ ୧୨ଶହ ହାତୀ ଚଳପ୍ରଚଳ ତଥ୍ୟ ଅପଲୋଡ଼ କରାଯାଉଛି। ଏହା ସହ ‘ଜନ ସୁରକ୍ଷା-ଗଜ ରକ୍ଷା’ ଯୋଜନାରେ ହାତୀ ଉପଦ୍ରବ ପ୍ରବଣ ଅଞ୍ଚଳରେ ନବେ ପ୍ରତିଶତ ସରକାରୀ ଆର୍ଥିକ ସହାୟତାରେ ସୌର ବାଡ ତିଆରି କାମ ଆରମ୍ଭ ହୋଇଛି। ଢେଙ୍କାନାଳ ଜିଲ୍ଲାର ୪ଟି ଗାଁରେ ଏହି ପାଇଲଟ ପ୍ରୋଜେକ୍ଟ ଆରମ୍ଭ ହୋଇଥିବା ସତ୍ୟପାଠରେ ଉଲ୍ଲେଖ ରହିଛି। ସେହିପରି ବିଦ୍ୟୁତ ଆଘାତଜନିତ ହାତୀ ଓ ଅନ୍ୟ ବନ୍ୟପ୍ରାଣୀ ମୃତ୍ୟୁ ରୋକିବା ପାଇଁ ହାତୀ ଉପଦୃତ ଅଞ୍ଚଳରେ ୨ହଜାର ୩ଶହ ୫୪ କିଲୋମିଟର ଖୋଲା ତାରକୁ କେବୁଲ ଥିବା ତାରରେ ପରିଣତ କରାଯାଇଛି ବୋଲି ସିସିଏଫ୍ ତାଙ୍କ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ସେପଟେ ମାମଲାର ଶୁଣାଣି ବେଳେ ଠିକା ବନ କର୍ମଚାରୀ ତୁରାମ ପୂର୍ତ୍ତି ମୁତ୍ୟୁ ମାମଲାର ଚାର୍ଜସିଟ ଦାଖଲ କରିବା ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧୮ତାରିଖରେ ମାମଲାର ପରବର୍ତ୍ତି ଶୁଣାଣି ହେବ।

Leave A Reply

Your email address will not be published.