ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡ

ଭୁବନେଶ୍ବର, ୨।୪: ଛତିଶଗଡ଼ ରାୟଗଡ଼ ଜିଲ୍ଲା ଚକ୍ରଧରନଗର ଥାନା ଅଞ୍ଚଳରେ ଘଟିଥିବା ଡବଲ୍‌ ମର୍ଡର ମାମଲାରେ ଆଜି ରାୟ ପ୍ରକାଶ ପାଇଛି। ରାୟଗଡ଼ ସେସନ୍ସ କୋର୍ଟ ମାମଲାକୁ ବିଚାର କରି ବ୍ରଜରାଜ ନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ତେବେ ଅନ୍ୟତମ ଅଭିଯୁକ୍ତ ତଥା ଅନୁପ ସାଏଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ପ୍ରମାଣ ଅଭାବରୁ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

ଛତିଶଗଡ଼ ରାୟଗଡ଼ା ଜିଲ୍ଲା ଚକ୍ରଧରନଗର ଥାନା ଅଞ୍ଚଳରେ କଳ୍ପନା ଦାଶ ଓ ତାଙ୍କ ଝିଅ ବବ୍‌ଲିଙ୍କୁ ଅତି ବୀଭତ୍ସ ଭାବେ ଗାଡ଼ି ମଡ଼ାଇ ହତ୍ୟା କରାଯାଇଥିଲା। ଏହି ମାମଲାରେ ପୁଲିସ୍‌ ଅନୁପ ସାଏ ଓ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ୨୦୨୦ ଫେବ୍ରୁଆରୀ ୧୩ ତାରିଖରେ ଗିରଫ କରିଥିଲା। ତେବେ ଜେଲ୍‌ରେ ଥିବା ବେଳେ ହଠାତ୍‌ ଅନୁପ ଅସୁସ୍ଥ ହୋଇପଡ଼ିଥିଲେ। କିଛି ଦିନ ଚିକିତ୍ସା ପରେ ସେ ପୁଣି ଥରେ ଜେଲ୍‌କୁ ଫେରିଥିଲେ। ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ସାକ୍ଷୀଙ୍କ ବୟାନ୍‌ ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ ରାୟଗଡ ସେସନ୍ସ କୋର୍ଟ ମାମଲାକୁ ବିଚାର କରି ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ତେବେ ତାଙ୍କ ଡ୍ରାଇଭରଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ।

ଅନୁପ ସାଏ ବ୍ରଜରାଜନଗର ବିଧାନସଭା କ୍ଷେତ୍ରରୁ ତିନି ଥର ବିଧାୟକ ନିର୍ବାଚିତ ହୋଇଥିଲେ। ତେବେ ପରବର୍ତ୍ତୀ ସମୟରେ ସେ କଂଗ୍ରେସ ଦଳ ଛାଡ଼ି ବିଜେଡିରେ ଯୋଗଦେଇଥିଲେ। ୨୦୧୪ ନିର୍ବାଚନରେ ସେ ବ୍ରଜରାଜନଗରରୁ ପ୍ରତିଦ୍ୱନ୍ଦ୍ୱିତା କରି ହାରିଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ଦଳୀୟ ଟିକଟରୁ ବଞ୍ଚିତ ହୋଇଥିଲେ। ୨୦୨୦ ଫେବ୍ରୁଆରୀରେ ସେ ଡବଲ୍ ମର୍ଡର ମାମଲାରେ ଛନ୍ଦି ହୋଇ ଜେଲ୍‌ ଯାଇଥିଲେ। ଗିରଫ ହେବା ପରେ ତାଙ୍କୁ ବିଜେଡିରୁ ବହିଷ୍କାର କରାଯାଇଥିଲା। ଏପରିକି ଓଡ଼ିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ପଦବରୁ ମଧ୍ୟ ହଟାଇ ଦିଆଯାଇଥିଲା।

Comments are closed.