ରାଜ୍ୟରେ ଶସ୍ତା ହେବ ମଦ

ବିଦେଶୀ ମଦ ଓ ୱାଇନ୍ ଉପରୁ ଅବକାରୀ ଶୁଳ୍କ ହ୍ରାସ

0

ଭୁବନେଶ୍ବର, ୧।୪: ଆଜି ଏପ୍ରିଲ ପହିଲାରୁ ସମଗ୍ର ରାଜ୍ୟରେ ନୂଆ ମଦ ଦର ଲାଗୁ ହୋଇଛି । ୨୦୨୨-୨୩ ଆର୍ଥିକ ବର୍ଷରେ ରାଜ୍ୟରେ ‘ଠିପିବନ୍ଦ ମଦ ଦୋକାନ’ ଓ ‘ଦେଶୀ ମଦ ଦୋକାନ’ ଖୋଲିବ ନାହିଁ । ତେବେ ପରୀକ୍ଷାମୂଳକ ଆରମ୍ଭ ହୋଇଥିବା ‘ପ୍ରିମିୟମ ଠିପି ବନ୍ଦ ମଦ ଦୋକାନ’କୁ ନେଇ ଲୋକଙ୍କ ମଧ୍ୟରେ ଅଧିକ ଉତ୍ସାହକୁ ଦୃଷ୍ଟିରେ ରଖି ଆଉ ୧୦ଟି ଏଭଳି ଦୋକାନ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।  ଏସବୁ ବ୍ୟତୀତ ପଡ଼ୋଶୀ ରାଜ୍ୟଗୁଡ଼ିକରେ ବିକ୍ରି ହେଉଥିବା ମଦ ଦର ସହ ରହିଥିବା ବିସଙ୍ଗତିକୁ ଦୂର କରିବାକୁ ଓଡ଼ିଶା ସରକାର ଉଚ୍ଚମାନର ବିଦେଶୀ ତିଆରି ବିଦେଶୀ ମଦ(ଏଫଏମଏଫଏଲ) ଓ ୱାଇନ୍ ଉପରୁ ଅବକାରୀ ଶୁଳ୍କ ହ୍ରାସ କରିଛନ୍ତି । ତେବେ ବିୟର ଓ ଭାରତ ତିଆରି ବିଦେଶୀ ମଦ ଉପରେ ଅବକାରୀ ଶୁଳ୍କ ଅପରିବର୍ତ୍ତିତ ରହିଛି ।

ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ଜାରି ୨୦୨୨-୨୩ ଆର୍ଥିକ ବର୍ଷର ‘ନୂଆ ଅବକାରୀ ନୀତି’ରେ ଲାଇସେନ୍ସ ଫି’, ଏମ୍ଜିକ୍ୟୁ(ନିଶ୍ଚିତ ସର୍ବନିମ୍ନ ପରିମାଣ) ଓ ମଦ ତିଆରି ପାଇଁ ଆବେଦନ ଫି’ରେ ସାମାନ୍ୟ ବୃଦ୍ଧି ହୋଇଛି। ତେବେ ପଡ଼ୋଶୀ ରାଜ୍ୟ ଓ ଓଡ଼ିଶାରେ ବିକ୍ରି ହେଉଥିବା ମଦର ଦରରେ ରହିଥିବା ପାର୍ଥକ୍ୟକୁ ଦୂର କରିବା ତଥା ରାଜ୍ୟରେ ଭଲ ବିଦେଶୀ ବ୍ରାଣ୍ଡର ମଦର ବିକ୍ରିକୁ ପ୍ରୋତ୍ସାହିତ କରିବା ନିମନ୍ତେ ଏଫ୍‌ଏମ୍‌ଏଫ୍‌ଏଲ୍ ଉପରେ ଅବକାରୀ ଶୁଳ୍କକୁ ପ୍ରାୟ ୧୫ରୁ ୨୦ ପ୍ରତିଶତ ହ୍ରାସ କରିଛନ୍ତି। ସେହିପରି ୱାଇନ୍ ଉପରେ ୧୦ରୁ ୧୫ ପ୍ରତିଶତ ଶୁଳ୍କ ହ୍ରାସ ହୋଇଥିବା ଜଣାପଡ଼ିଛି। ତେବେ ଭାରତ ତିଆରି ବିଦେଶୀ ମଦ(ଆଇଏମଏଫଏଲ) ଓ ବିୟର ଉପରେ ଅବକାରୀ ଶୁଳ୍କ ଅପରିବର୍ତ୍ତିତ ରହିଛି।

ସେହିପରି ୨୦୨୧-୨୨ ଆର୍ଥିକ ବର୍ଷରେ ଭୁବନେଶ୍ୱର ଓ କଟକରେ ଆରମ୍ଭ ହୋଇଥିବା ‘ପ୍ରିମିୟମ ଠିପି ବନ୍ଦ ମଦ ଦୋକାନ’କୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହକୁ ଦୃଷ୍ଟିରେ ରଖି ସମଗ୍ର ରାଜ୍ୟରେ ୨୦୨୨-୨୩ରେ ଏଭଳି ଆଉ ୧୦ଟି ପ୍ରିମିୟମ ଠିପିବନ୍ଦ ମଦ ଦୋକାନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଏବେ ଭୁବନେଶ୍ୱରରେ ୩ଟି, କଟକରେ ଗୋଟିଏ ଓ ଭୁବନେଶ୍ୱର ବିମାନ ବନ୍ଦର ପରିସରରେ ଗୋଟିଏ ପ୍ରିମିୟମ ଅଫ୍ ସପ୍ ରହିଛି । ୨୦୨୨-୨୩ରେ ଭୁବନେଶ୍ୱରରେ ଆଉ ୩ଟି ଏଭଳି ଦୋକାନ ଖୋଲିବାକୁ ନିଷ୍ପତ୍ତି ହୋଇଛି । ସେହିପରି ବ୍ରହ୍ମପୁର,ସମ୍ବଲପୁର ଓ ରାଉରକେଲା ସମେତ ବାଲୋଶ୍ୱର, ଝାରସୁୁଡ଼ା, ବଡ଼ବିଲ ଓ ଅନୁଗୁଳରେ ଗୋଟିଏ ଲେଖାଏଁ ପ୍ରିମିୟମ ଠିପିବନ୍ଦ ମଦ ଦୋକାନ ଖୋଲାଯିବ । ଏହି ଦୋକାନଗୁଡ଼ିକ ପାଇଁ କୌଣସି ଏମଜିକ୍ୟୁ ରହିବ ନାହିଁ । ଏହି ମଦଦୋକାନ ବିଭିନ୍ନ ସପିଂ ମଲ୍ ଓ ବ୍ୟବସାୟିକ ପେଣ୍ଠସ୍ଥଳୀରେ ଖୋଲିବା ନିମନ୍ତେ ପ୍ରୋତ୍ସାହିତ କରାଯିବ । ସର୍ବନିମ୍ନ ୭୫୦ ବର୍ଗଫୁଟ୍ ଅଂଚଳରେ ଏହି ଦୋକାନ ରହିବ ଓ ସବୁ ପ୍ରିମିୟମ ବ୍ରାଣ୍ଡର ସବୁ ପ୍ରକାରର ମଦ ସେଠାରେ ଉପଲବ୍ଧ ହେବ । ଏହି ଦୋକାନ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଓ ଏହାର ସାଜସଜ୍ଜା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ । ଏହି ଦୋକାନର ୨୦ ପ୍ରତିଶତ ଅଂଚଳରେ ସିଗାର, ଲିକର ଚକୋଲେଟ୍‌, ଆଇସ ବାକ୍ସ, ଭଲ ବ୍ରାଣ୍ଡର ମଦ ପିଇବା ଗ୍ଲାସ, ଉଚ୍ଚମାନର ପେଣ୍ଟିଂ ଆଦି ମଧ୍ୟ ବିକ୍ରି ହେବ ।

ସ୍ୱଳ୍ପ ପରିମାଣର ଆଲକହଲ୍ ପାନୀୟକୁ ପ୍ରୋତ୍ସାହିତ କରିବା ପାଇଁ ମାଇକ୍ରୋବ୍ରିଓରୀ ନୀତିକୁ ପୁନଃସଂଶୋଧନ କରାଯାଇଛି । ଯେଉଁଠି ବିନା ରେଷ୍ଟୁରାଂଟରେ ବାର୍ (ଠିପି ଖୋଲା ଲାଇସେନ୍ସ) ରହିଛି ସେଥିପାଇଁ ସ୍ୱତନ୍ତ୍ର ଫି’ ନିର୍ଦ୍ଧାରଣ କରାଯିବ । ରାଜ୍ୟ ସରକାରଙ୍କ ଫାଇଭ-ଟି କାର୍ଯ୍ୟକ୍ରମ ଅନ୍ତର୍ଗତ ପରମିଟ୍ , ପାସ, ଲାଇସେନ୍ସ ଓ ପେମେଣ୍ଟ ଆଦି ପ୍ରକ୍ରିୟାକୁ ସ୍ୱୟଂଚାଳିତ କରାଯାଇଛି ।

ମହୁଆ ଫୁଲ ଉପଲବ୍ଧ ହେଉଥିବା ସ୍ଥାନରେ ହିଁ ଏହାର ବିକ୍ରି ପାଇଁ ଅନୁମତି ଦିଆଯିବ । ମହୁଆ ଫୁଲର ରପ୍ତାନୀ, ଆମଦାନୀ ଓ ପରିବହନ (ଓଏସ୍ ମ୍ୟାନୁଫାକଚରର) ପାଇଁ କ୍ୱିଣ୍ଟାଲ ପିଛା ଦରକୁ ବୃଦ୍ଧି କରାଯାଇଛି । ମହୁଆ ଫୁଲର ଉପଯୋଗ ଓ ଅନୁପଯୋଗ ଫି’ କ୍ୱିଣ୍ଟାଲ ପିଛା ୧୧୦୦ଟଙ୍କା ଥିବାବେଳେ ତାକୁ ୧୨୫୦ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ମହୁଆ ଫୁଲ୍ ପରିବହନ ଫି’ କ୍ୱିଣ୍ଟାଲ ପିଛା ୫୦ଟଙ୍କା ବଦଳରେ ୬୦ଟଙ୍କା କରାଯାଇଛି ।
ରାଜ୍ୟ ସରକାରଙ୍କ ଏହି ଅବକାରୀ ନୀତି ଆଧାରରେ ରାଜ୍ୟ ମଦ ନିଗମ ପକ୍ଷରୁ ୫୫ପୃଷ୍ଠାର ରେଟ୍ ଚାର୍ଟ ମଧ୍ୟ ଜାରି ହୋଇଛି । ଯାହାକି ୨୦୨୩ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଉଲ୍ଲେଖ ରହିଛି । ଯଦି ଏମ୍‌ଆର୍‌ପି ତୁଳନାରେ କେହି ଅଧିକ ଦାମ୍‌ରେ ମଦ ବିକ୍ରି କରୁଥିବା ପ୍ରମାଣ ମିଳିବ, ତା’ହେଲେ ସେମାନଙ୍କ ଲାଇସେନ୍ସ ନିଲମ୍ବନ କରାଯିବ।

 

 

Leave A Reply

Your email address will not be published.