ଗଣତନ୍ତ୍ର ଦିବସରେ ଭାରତର ଅତିଥି ହେବେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍‌

ନୂଆଦିଲ୍ଲୀ, : ୨୦୨୪ର ଗଣତନ୍ତ୍ର ଦିବସ ଉତ୍ସବରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ମୁଖ୍ୟ ଅତିଥି ଭାବରେ ଯୋଗଦେବେ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଠାଇଥିବା ନିମନ୍ତ୍ରଣ ଗ୍ରହଣ କରିଥିବା ଜଣାପଡ଼ିଛି। ଏହାପୂର୍ବରୁ କେନ୍ଦ୍ର ସରକାର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ କରିଥିଲେ ମଧ୍ୟ ଜାନୁଆରିରେ ସେ ଦିଲ୍ଲୀ ଆସି ପାରିବେ ନାହିଁ ବୋଲି ଜଣାଇଥିଲେ।

ତେବେ ଗଣତନ୍ତ୍ର ଦିବସରେ ଭାରତ ଆସିବାରେ ମାକ୍ରନ୍ ଫ୍ରାନ୍ସର ଷଷ୍ଠ ନେତା ହେବେ। ତାଙ୍କ ପୂର୍ବରୁ ୧୯୭୬ରେ ଫ୍ରାନ୍ସର ପ୍ରଧାନମନ୍ତ୍ରୀ ଜ୍ୟାକ୍ ଶିରାକ, ୧୯୮୦ରେ ରାଷ୍ଟ୍ରପତି ବୈଲେରୀ ଜିସ୍କାର୍ଡ ଡି’ଏଷ୍ଟେଙ୍ଗ, ୧୯୯୮ରେ ରାଷ୍ଟ୍ରପତି ଜ୍ୟାକ୍ସ ଶିରାକ, ୨୦୦୮ରେ ରାଷ୍ଟ୍ରପତି ନିକୋଲସ ସର୍କୋଜି, ୨୦୧୬ରେ ରାଷ୍ଟ୍ରପତି ଫ୍ରାନସୁଆ ଓଲାନ୍ସ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବରେ ଭାରତ ଆସିଥିଲେ।

ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଜୁଲାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ସମ୍ମାନ ‘ଗ୍ରାଣ୍ଡ୍‌ କ୍ରସ ଅଫ୍‌ ଦି ଲିଜିଅନ୍ ଅଫ୍‌ ଅନର’ ପ୍ରଦାନ କରାଯାଇଥିଲା। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ମୋଦୀ ଫ୍ରାନ୍ସର ଏହି ସମ୍ମାନ ପାଇଥିଲେ। ଅତୀତରେ ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ନେଲସନ ମଣ୍ଡେଲା, ୱେଲ୍ସର ତତ୍କାଳୀନ ପ୍ରିନ୍ସ କିଙ୍ଗ ଚାର୍ଲସ, ଜର୍ମାନୀର ପୂର୍ବତନ ଚାନସେଲର ଆଞ୍ଜେଲା ମର୍କେଲ, ଜାତିସଂଘର ପୂର୍ବତନ ମହାସଚିବ ବୁଟ୍ରସ ଘାଲି ପ୍ରମୁଖ ଖ୍ୟାତନାମା ବ୍ୟକ୍ତିଙ୍କୁ ଉକ୍ତ ସମ୍ମାନ ମିଳିଥିଲା।

ଉକ୍ତ ସମ୍ମାନ ପାଇବା ଫଳରେ ମୋଦୀଙ୍କ ଅନ୍ତର୍ଜାତୀୟ ସମ୍ମାନ ତାଲିକାରେ ଆଉ ଏକ ସଫଳତାର ଫର୍ଦ୍ଦ ଯୋଡ଼ି ହୋଇଥିଲା। ଚଳିତବର୍ଷ ଜୁନରେ ମୋଦୀ ଇଜିପ୍ଟର ସର୍ବୋଚ୍ଚ ସମ୍ମାନ ଅର୍ଡର ଅଫ ଦି ନାଇଲ, ମେ’ ରେ ପପୁଆ ନ୍ୟୁ ଗିନିର ସର୍ବୋଚ୍ଚ ସମ୍ମାନ ଅର୍ଡର ଅଫ ଲୋଗୋହୁ ଏବଂ ଫିଜିର କମ୍ପାନିଅନ ଅଫ ଦି ଅର୍ଡର, ପଲାଉର ଇବାକଲ ଆୱାର୍ଡ ପାଇଥିଲେ। ପୂର୍ବରୁ ୨୦୨୧ରେ ଭୁଟାନର ଡ୍ରକ ଗ୍ୟାଲପୋ, ୨୦୨୦ରେ ଆମେରିକାର ଲିଜିଅନ ଅଫ୍ ମେରିଟ, ୨୦୧୯ରେ ବାହାରିନର କିଙ୍ଗ୍‌ ହମାଦ ଅର୍ଡର ଅଫ୍‌ ଦି ରେନେସାଁ ସମ୍ମାନରେ ମୋଦୀ ସମ୍ମାନିତ ହୋଇଥିଲେ।

 

Comments are closed.