ରାଲିରେ ଏକାଠି ନଜର ଆସିଲେ ଗାନ୍ଧୀ ପରିବାର

ମୋଦି ସରକାର ଉପରେ ବର୍ଷିଲେ

ଜୟପୁର, ୧୨।୧୨: ଦୀର୍ଘ ବ୍ୟବଧାନ ପରେ ରବିବାର ରାଜସ୍ଥାନରେ ଗୋଟିଏ ମଞ୍ଚରେ ଏକତ୍ର ଦେଖିବାକୁ ମିଳିଛି ଗାନ୍ଧୀ ପରିବାରକୁ। ରାଜସ୍ଥାନରେ କଂଗ୍ରେସ ପକ୍ଷରୁ ଆୟୋଜିତ ଏକ ରାଲିରେ କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧୀଙ୍କ ସହ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଏକାଠି ଦେଖିବାକୁ ମିଳିଛି। ରାହୁଲ ଗାନ୍ଧୀଙ୍କୁ ପୁଣି ଥରେ କଂଗ୍ରେସର ନେତା ଭାବେ ମନୋନୀତ କରିବାର ପୂର୍ବ ପ୍ରସ୍ତୁତ ସ୍ୱରୂପ କଂଗ୍ରେସ ଦଳ ପକ୍ଷରୁ ଏହି ରାଲିର ଆୟୋଜନ କରାଯାଇଛି ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ କହିଛନ୍ତି।

ଏହି ରୢାଲିରେ ଗୋଟିଏ ମଞ୍ଚରେ ସୋନିଆ, ରାହୁଲ ଓ ପ୍ରିୟଙ୍କା ଏକାଠି ହୋଇ କେନ୍ଦ୍ର ସରକାରଙ୍କ ଉପରେ ଖୁବ ବର୍ଷିଥିଲେ। ଦରଦାମ ବୃଦ୍ଧିକୁ ନେଇ ସେମାନେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିବା ସହ ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦାୟୀ କରିଥିଲେ। ରାହୁଲ ଗାନ୍ଧୀ ‘ହିନ୍ଦୁତ୍ୱ’କୁ ନେଇ ବିଜେପି ଉପରେ ବର୍ଷିଥିଲେ। ସେ କହିଥିଲେ, ଭାରତ ହେଉଛି ହିନ୍ଦୁଙ୍କ ଦେଶ, କିନ୍ତୁ ହିନ୍ଦୁତ୍ୱବାଦୀଙ୍କ ଦେଶ ନୁହେଁ। ପ୍ରିୟଙ୍କା ଗାନ୍ଧୀ ବି କେନ୍ଦ୍ର ଉପରେ ଖୁବ ବର୍ଷିଥିଲେ। ସେ କହିଥିଲେ, ବିଜେପି ସରକାର କଂଗ୍ରେସର ୭୦ ବର୍ଷର ହିସାବ ନ ମାଗି ୭ ବର୍ଷରେ କଣ କରିଛନ୍ତି ତା’ର ହିସାବ ଦିଅନ୍ତୁ।

ସାଧାରଣ ଖାଉଟି ସାମଗ୍ରୀର ଦରଦାମ ବୃଦ୍ଧି ଲୋକଙ୍କୁ ବାଧୁଥିବା ବେଳେ ଏହାକୁ ପ୍ରସଙ୍ଗ କରି ମୋଦୀ ସରକାରକୁ ଘେରିବାକୁ ଯୋଜନା କରିଛି କଂଗ୍ରେସ। ରୋଷେଇ ଗ୍ୟାସ ଦର ଏବେ ସିଲିଣ୍ଡର ପିଛା ହଜାରେ ଟଙ୍କା ଓ ଖାଇବା ତେଲ ଦର ଲିଟର ପିଛା ୨୦୦ ଟଙ୍କା ଥିବା ବେଳେ ମଧ୍ୟବିତ୍ତ ପରିବାରର ଅବସ୍ଥା ଅସମ୍ଭାଳ ହୋଇ ଉଠିଛି। ତେଣୁ ଏହି ପରିପ୍ରେକ୍ଷୀରେ ଆଗକୁ ଥିବା ବିଧାନସଭା ନିର୍ବାଚନକୁ ଆଖିରେ ରଖି ଲୋକଙ୍କ ଭିତରେ ଥିବା ଅସନ୍ତୋଷକୁ ପ୍ରଭାବିତ କରି ନିଜ ସପକ୍ଷରେ ଜନମତ ସୃଷ୍ଟି କରିବା ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ଯୋଜନା କରିଛି ଦଳ। ରାଜସ୍ଥାନରେ କଂଗ୍ରେସ ଏକ ପ୍ରକାର ରାଲି ଆୟୋଜନ କରି ବିଜେପି ବିରୋଧୀ ଜନମତକୁ ନିଜ ସପକ୍ଷରେ ଆଣିବାକୁ ଚେଷ୍ଟା କରୁଛି ବୋଲିି ରାଜନୈତିକ ଆଲୋଚକମାନେ କହୁଛନ୍ତି। ଆଜିର ଏହି ରାଲିରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ସମେତ ସଚିନ ପାଇଲଟ ଏବଂ ଅନ୍ୟାନ୍ୟ ଦଳୀୟ ନେତା ଉପସ୍ଥିତ ଥିଲେ।

 

 

Comments are closed.