କାଶୀ ବିଶ୍ୱନାଥ କରିଡର୍ ପ୍ରକଳ୍ପର ଲୋକାର୍ପଣ କାଲି

0

ବାରଣାସୀ, ୧୨।୧୨: ବହୁ ପ୍ରତୀକ୍ଷିତ ବାରଣାସୀର ପ୍ରସିଦ୍ଧ କାଶୀ ବିଶ୍ୱନାଥ କରିଡର୍ ଶୁଭାରମ୍ଭ ପାଇଁ ଆରମ୍ଭ ହେଲାଣି କାଉଣ୍ଟଡାଉନ୍। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବହୁ ପ୍ରତିକ୍ଷିତ ପ୍ରକଳ୍ପର ଲୋକାର୍ପଣ କରିବେ। ଏଥିପାଇଁ ସଜେଇ ହୋଇଛି ବାରଣାସୀ ସହର। ଅଯୋଧ୍ୟାରେ ଦୀପାବଳି ପର୍ବ ପାଳନ ଭଳି ଏଠି ବି ହେବ ଗ୍ରାଣ୍ଡ ସେଲିବ୍ରେସନ୍।  ପ୍ରଧାନମନ୍ତ୍ରୀଙ୍କ ଏହା ହେଉଛି ଡ୍ରିମ୍ ପ୍ରୋଜେକ୍ଟ । ୨୦୧୪ ନିର୍ବାଚନରେ ଏହାକୁ ମୁଖ୍ୟ ପ୍ରସଙ୍ଗ କରାଯାଇଥିଲା। ଏଣିକି କାଶୀ ବିଶ୍ୱନାଥ ମନ୍ଦିରରୁ ସିଧାସଳଖ ଗଙ୍ଗା ନଦୀ ଯାଏ ଶ୍ରଦ୍ଧାଳୁ ଯାଇପାରିବେ। ୫ ହଜାର ହେକ୍ଟର ଜମିରେ ୮ଶହ  କୋଟି ଟଙ୍କା ଖର୍ଚ୍ଚରେ ଏହି ପ୍ରକଳ୍ପ ନିର୍ମାଣ ହୋଇଛି।

ମନ୍ଦିର ଆଖପାଖ ଅଞ୍ଚଳରେ ଥିବା ଶହ ଶହ ଘର ଓ ବଜାରକୁ ହଟାଯାଇଛି। କାଶୀ ବିଶ୍ୱନାଥ ମନ୍ଦିର ପାଖରେ ଏକାଧିକ ଛକ, ଫଟୋ ଗ୍ୟାଲେରି, ମ୍ୟୁଜିୟମ୍, ଅଡିଟୋରିୟମ୍ ଓ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ସ୍ଥାନ ରହିବ। ଏହାସହ କାଶୀ ବିଶ୍ୱନାଥ ମନ୍ଦିର ଛକରେ ମରାଠା ରାଣୀ ମହାରାଣୀ ଅହଲ୍ୟାବାଇ ହୋଲକର୍‌ଙ୍କ ପ୍ରତିମୂର୍ତ୍ତି ବି ରହିଛି। କାଶୀ ବିଶ୍ୱନାଥ ମନ୍ଦିରକୁ ଅହଲ୍ୟାବାଇ ହିଁ ପୁନଃ ନିର୍ମାଣ କରିଥିଲେ।

୮୦୦ କୋଟି ଟଙ୍କାର ଏହି  ପ୍ରକଳ୍ପର ଉଦ୍‌ଘାଟନ ପାଇଁ ୨୪ ଘଣ୍ଟାରୁ କମ୍ ସମୟ ବାକି ଅଛି।  ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି କାଶୀ ବିଶ୍ୱନାଥ କରିଡରକୁ ପ୍ରମୁଖ ପ୍ରସଙ୍ଗ କରିପାରିବ।  କୁହାଯାଉଛି ଦଳର ବରିଷ୍ଠ ନେତା ତଥା ସମସ୍ତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଏଠାକୁ ଆମନ୍ତ୍ରଣ କରାଯାଇଛି। ଏହି ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ ମଉକାରେ ବିଜେପି ଶକ୍ତି ପ୍ରଦର୍ଶନ ମଧ୍ୟ କରିବ। ଆସନ୍ତା ବର୍ଷ ଉତ୍ତରପ୍ରଦେଶରେ ବିଧାନ ସଭା ନିର୍ବାଚନ ରରହିଛି।  ଏହାକୁ ଦୃଷ୍ଟିରେ ରଖି  ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ଗୋଟିଏ ପରେ ଗୋଟିଏ ନିର୍ବାଚନୀ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ଯେଉଁ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇ ବିରୋଧୀଙ୍କୁ ଟାର୍ଗେଟ କରିବାକୁ କୌଣସି ସୁଯୋଗ ହାତଛଡ଼ା କରୁ ନାହାନ୍ତି।

Leave A Reply

Your email address will not be published.