ହର୍‌ନାଜ୍ କୌର୍‌ ସାନ୍ଧୁ ପିନ୍ଧିଲେ ‘ମିସ୍‌ ୟୁନିଭର୍ସ’ ମୁକୁଟ

0

ନୂଆଦିଲ୍ଲୀ, ୧୩।୧୨: ଇଜ୍ରାଏଲ୍‌ର ଏଇଲାଟ୍‌ରେ ଅନୁଷ୍ଠିତ ‘୭୦ତମ ମିସ୍‌ ୟୁନିଭର୍ସ ୨୦୨୧’ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ବ କରିଥିବା ପଞ୍ଜାବର ୨୧ ବର୍ଷୀୟ ହର୍‌ନାଜ୍ କୌର୍ ସନ୍ଧୁ ‘ମିସ୍‌ ୟୁନିଭର୍ସ ୨୦୨୧’ ଟାଇଟଲ୍‌ ଜିଣିଛନ୍ତି। ଦୀର୍ଘ ୨୧ ବର୍ଷ ପରେ ପୁନଶ୍ଚ ଭାରତ ଏହି ଗୌରବ ହାସଲ କରିବାରେ ସମର୍ଥ ହୋଇଛି। ୨୦୦୦ ମସିହାରେ ଲାରା ଦତ୍ତ ଏହି ଟାଇଟ ଲ୍‌ ବିଜୟିନୀ ହୋଇଥିଲେ। ପାରାଗୁଏ ଏବଂ ଦକ୍ଷିଣ ଆଫ୍ରିକାର ପ୍ରତିଦ୍ବନ୍ଦ୍ବୀମାନଙ୍କୁ ପଛରେ ପକାଇ ସେ ‘ମିସ୍ ୟୁନିଭର୍ସ’ ମୁକୁଟ ହାସଲ କରିଛନ୍ତି। ବିଶ୍ବବ୍ୟାପୀ ‘ଲାଇଭ୍‌-ଷ୍ଟ୍ରିମ୍‌’ ହୋଇଥିବା ଏକ କାର୍ଯ୍ୟକ୍ରମରେ ମେକ୍ସିକୋର ପୂର୍ବତନ ‘ମିସ୍‌ ୟୁନିଭର୍ସ ୨୦୨୦’ ଆଣ୍ଡ୍ରିଆ ‌ମି‌ଜା ସନ୍ଧୁଙ୍କୁ ମୁକୁଟ ପିନ୍ଧାଇ ଥିଲେ।
ଉପରୋକ୍ତ ପ୍ରତିଯୋଗିତାରେ ପ୍ରଥମ ଓ ଦ୍ବିତୀୟ ରନର୍ସ-ଅପ୍‌ ହେଉଛନ୍ତି ପାରାଗୁଏ ଏବଂ ଦକ୍ଷିଣ ଆଫ୍ରିକା। ପ୍ରତିଯୋଗିତାର ଚୂଡ଼ାନ୍ତ ତୃତୀୟ ପର୍ଯ୍ୟାୟରେ ପ୍ରତିଦ୍ବନ୍ଦ୍ବୀମାନଙ୍କୁ ପଚରାଯାଇଥିଲା, ଆଜିକାଲି ପଡୁଥିବା ଚାପକୁ କିଭଳି ମୁକାବିଲା କରିବାକୁ ପଡ଼ିବ ବୋଲି ଆପଣମାନେ କାର୍ଯ୍ୟକ୍ରମ ଦେଖୁଥିବା ତରୁଣୀମାନଙ୍କୁ ପରାମର୍ଶ ଦେବେ?
ଉତ୍ତର ଦେବାକୁ ଯାଇ ହର୍‌ନାଜ୍‌ କହିଲେ, ଆଜିର ଯୁବା ସମ୍ମୁଖୀନ ହେଉଥିବା ସବୁଠୁ ବଡ଼ ଚାପ ହେଉଛି, ନିଜକୁ ବିଶ୍ବାସ କରିବା। ଜଣକର ଭିନ୍ନତା ହିଁ ଜଣକୁ ସୁନ୍ଦର କରେ। ନିଜକୁ ଅନ୍ୟମାନଙ୍କ ସହ ତୁଳନା କରିବାରୁ ନିବୃତ ରହିବା ସହ ବିଶ୍ବବ୍ୟାପୀ ଘଟୁଥିବା ଅଧିକ ଗୁରୁତ୍ବପୂର୍ଣ୍ଣ ଘଟଣାବଳୀ ବିଷୟରେ ଆଲୋଚନା କରନ୍ତୁ। ଆଗେଇ ଆସି ନିଜ କଥା ଉପସ୍ଥାପନ କରନ୍ତୁ, କାରଣ ଆପଣ ହିଁ ହେଉଛନ୍ତି ଆପଣଙ୍କ ଜୀବନର ନେତା। ଆପଣ ହିଁ ଆପଣଙ୍କର ମତବ୍ୟକ୍ତକାରୀ। ନିଜ ପ୍ରତି ମୋର ବିଶ୍ବାସ ଥିବାରୁ ଆଜି ମୁଁ ଏଠାରେ ଠିଆ ହୋଇପାରିଛି। ଏଭଳି ବଳିଷ୍ଠ ଉତ୍ତର ହିଁ ତାଙ୍କୁ ‘ମିସ୍‌ ୟୁନିଭର୍ସ’ ଟାଇଟଲ୍‌ ଜିଣିବାରେ ସହାୟକ ହୋଇଥିଲା।
ମଡେଲିଂ ଏବଂ ଅଭିନୟ କରୁଥିବା ହର୍‌ନାଜ୍‌ ୨୦୨୧ ଅକ୍ଟୋବରରେ ‘ମିସ୍‌ ୟୁନିଭର୍ସ ଇଣ୍ଡିଆ ୨୦୨୧’ ମୁକୁଟ ହାସଲ କରିଥିଲେ। ୨୦୧୭ରେ ‘ଟାଇମ୍ସ୍‌ ଫ୍ରେସ୍‌ ଫେସ୍‌’ରୁ ହର୍‌ନାଜ୍‌ ସୁନ୍ଦରୀ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ଆରମ୍ଭ କରିଥିଲେ। ୨୦୧୯ରେ ‘ଫେମିନା ମିସ୍ ଇଣ୍ଡି୍ଆ ପଞ୍ଜାବ’ ଟାଇଟଲ୍‌ ହାସଲ କରିଥିବା ହର୍‌ନାଜ୍‌ ଅନେକ ପଞ୍ଜାବୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ସମ୍ପ୍ରତି ସେ ସାଧାରଣ ପ୍ରଶାସନରେ ସ୍ନାତକୋତ୍ତର କରୁଛନ୍ତି।

Leave A Reply

Your email address will not be published.