ଅଳ୍ପକେ ବର୍ତ୍ତିଲେ ଇମ୍ରାନ୍‌ ଖାନ୍‌, ଏମରଜେନ୍ସି ଲ୍ୟାଣ୍ଡିଂ କଲା ହେଲିକପ୍ଟର

ଇସଲାମାବାଦ, ୯।୧୦: ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍‌ରାନ୍‌ ଖାନ। ତାଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ପରେ ରାୱଲପିଣ୍ଡିରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ଇମରାନ ଖାନଙ୍କ ତେହରିକ-ଏ-ଇନସାଫ(ପିଟିଆଇ) ପକ୍ଷରୁ ଏନେଇ ଟ୍ୱିଟ୍ କରି ଏହି ସୂଚନା ଦେଇଛି।

ଏଥିରେ କୁହାଯାଇଛି, ବନ୍ୟା ପୀଡିତଙ୍କୁ ରିଲିଫ ବାଣ୍ଟିବା ପାଇଁ ପଖତୁନଖୱା ପ୍ରାନ୍ତରେ ଡେରା ଇସ୍ମାଇଲ ଖାନଠୁ ବାନୀଗାଲା ଯିବା ସମୟରେ ଇମ୍ରାନ ଖାନ୍‌ଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା। ଏହାପରେ ରାୱଲପିଣ୍ଡିର ଅଦିୟାଲା ଗାଁରେ ଜରୁରୀ ଅବତରଣ କରାଯାଇଥିଲା। ପରେ ଇମରାନ ଖାନ ସଡକ ମାର୍ଗ ଦେଇ ଇସଲମାବାଦ ସ୍ଥିତ ନିଜ ବାସଭବନରେ ପହଞ୍ଚିଥିଲେ।

ଉଲ୍ଲେଖଯୋଗ୍ୟ ଯେ, ଏହି ଘଟଣାର ଗୋଟିଏ ଦିନ ପୂର୍ବରୁ ତାଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର କରାଯାଇଥିବା କହି ଅଭିଯୋଗ ଆଣିଥିଲେ ଇମ୍ରାନ ଖାନ୍‌। ଏହାସହ ଯଦି ତାଙ୍କ ସହ କିଛି ଅଘଟଣ ଘଟେ ତେବେ ସେହି ଷଡଯନ୍ତ୍ରକାରୀଙ୍କ ନାଁ ସମସ୍ତଙ୍କ ସାମ୍ନାରେ ଉଜାଗର କରାଯିବ ବୋଲି ସେ ଚେତାବନୀ ମଧ୍ୟ ଦେଇଥିଲେ। ପାକିସ୍ତାନର ପଞ୍ଜାବରେ ଏକ ରାଲିକୁ ସମ୍ବୋଧିତ କରି ସେ ଏହା କହିଥିଲେ। ଏହା ପୂର୍ବରୁ ମଧ୍ୟ ଗତମାସରେ ପାଖ ଖରାପ ଯୋଗୁ ଇମ୍ରାନ୍‌ ଖାନଙ୍କ ହେଲିକପ୍ଟରକୁ ଜରୁରୀ ଅବତରଣ କରିବାକୁ ପଡିଥିଲା।

Comments are closed.