ବିଶ୍ବକପ୍‌: ଶ୍ରୀଲଙ୍କା ୩୦୨ ରନ୍‌ରେ ପରାସ୍ତ; ସେମିଫାଇନାଲ୍‌ରେ ଭାରତ, ସାମି ନେଲେ ୫ ୱିକେଟ୍‌

0

ମୁମ୍ବାଇ, ୨/୧୧: ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ଦିନିକିଆ ବିଶ୍ବକପ୍‌-୨୦୨୩ରେ ଗୁରୁବାର ଭାରତୀୟ ଖେଳାଳିମାନେ ଦମଦାର ପ୍ରଦର୍ଶନ କରିଛନ୍ତି। ଭାରତୀୟ ଟିମ୍‌ ଶ୍ରୀଲଙ୍କା ବିପକ୍ଷରେ ଆଜି ବିଶାଳ ବିଜୟ ହାସଲ କରିଛନ୍ତି। ବ୍ୟାଟିଂରେ ବିରାଟ କୋହଲି, ଶୁବମନ୍‌ ଗିଲ ଓ ଶ୍ରେୟସ ଆୟର ଦମଦାର ପ୍ରଦର୍ଶନ କରିଥିବା ବେଳେ ବୋଲିଂରେ ମହମ୍ମଦ ସାମି ୫ଟି ଓ ମହମ୍ମଦ ସିରାଜ ୩ଟି ୱିକେଟ ଅକ୍ତିଆର କରିଛନ୍ତି। ସେହିପରି ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମରା ଶ୍ରୀଲଙ୍କାର ପ୍ରଥମ ୱିକେଟ ନେଇଥିବା ବେଳେ ସ୍ପିନର ରବୀନ୍ଦ୍ର ଜାଡେଜା‌ ଶେଷ ୱିକେଟ ନେଇଛନ୍ତି।

 

ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ୩୫୮ ରନ୍‌ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ଦଳ ୧୯.୪ ଓଭରରେ ସମସ୍ତ ୱିକେଟ ହରାଇ ୫୫ ରନ୍‌ରେ ଅଟକିଯାଇଛି। ଏଥି ସହିତ ଭାରତ ପ୍ରଥମ ଦଳ ଭାବେ ଚଳିତ ବିଶ୍ବକପ୍‌ର ସେମିଫାଇନାଲରେ ପହଞ୍ଚି ପାରିଛି। ଚଳିତ ବିଶ୍ବକପରେ ଭାରତ ଏପର୍ଯ୍ୟନ୍ତ ୭ଟି ମ୍ୟାଚ୍‌ ଖେଳିଛି ଏବଂ ସବୁ ମୁକାବିଲାରେ ବିଜୟ ହାସଲ କରିଛି।

ଶ୍ରୀଲଙ୍କା ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ରୋହିତ ଶର୍ମାଙ୍କ ଭାରତୀୟ ଟିମ୍‌ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ବିରାଟ କୋହଲି-ଶୁବମନ୍‌ ଗିଲଙ୍କ ଶତକୀୟ ଭାଗିଦାରୀ ଓ ଶ୍ରେୟସ ଆୟରଙ୍କ ଅର୍ଦ୍ଧଶତକ ବଳରେ ଭାରତୀୟ ଟିମ୍‌ ନିର୍ଦ୍ଧାରିତ ୫୦ ଓଭରରେ ୮ଟି ୱିକେଟ୍‌ ହରାଇ ୩୫୭ ରନ୍‌ ସଂଗ୍ରହ କରିଥିଲା। ଫଳରେ ଶ୍ରୀଲଙ୍କାକୁ ଏହି ମ୍ୟାଚ୍‌ ବିଜୟ ପାଇଁ ୩୫୮ ରନ୍‌ର ଲକ୍ଷ୍ୟ ମିଳିଥିଲା।

ଶ୍ରୀଲଙ୍କାର ପ୍ରାରମ୍ଭିକ ବ୍ୟାଟର ପଥୁମ ନିଶଙ୍କା ପ୍ରଥମ ବଲରେ ଆଉଟ ହୋଇଥିଲେ। ସ‌େ ଯଶପ୍ରୀତ ବୁମରାଙ୍କୁ ସାମ୍ନା କରିପାର ନଥିଲେ। ସେହିପରି ଦିମୁଥ କରୁଣାରତ୍ନେ, ସଦୀରା ସମରବିକ୍ରମା ଓ କୁସାଲ ମେଣ୍ଡିଜ୍ ଅଧିକ ସମୟ ପର୍ଯ୍ୟନ୍ତ କ୍ରିଜ୍‌ରେ ତିଷ୍ଠି ପାରି ନଥିଲେ। ସମରବିକ୍ରମା ମାତ୍ର ୧ ରନ୍‌ ସଂଗ୍ରହ କରିଥିବା ବେଳେ ଅନ୍ୟ ତିନି ଜଣ ବ୍ୟାଟର ଖାତା ଖୋଲିପାରି ନଥିଲେ। ସେହିପରି ସୁଶାନ ହେମନ୍ତ ଓ ଦୁଷ୍ମନ୍ତ ଚାମିରା ମଧ୍ୟ କୌଣସି ରନ୍‌ ନକରି ପାଭିଲିଅନ ଫେରିଯାଇଥିଲେ। ଶ୍ରୀଲଙ୍କାର ଏକମାତ୍ର ଖେଳାଳି କାସୁନ ରଜିତା ବ୍ୟକ୍ତିଗତ ଭାବେ ସର୍ବାଧିକ ୧୪ ରନ୍‌ ସଂଗ୍ରହ କରିଥିଲେ। ସେ ୧୭ଟି ବଲ୍‌ ଖେଳି ୨ଟି ଚୌକା ମାରିଥିଲେ। ସେହିପରି ଆଞ୍ଜେଲୋ ମାଥ୍ୟୁସ ୨୫ଟି ବଲ୍‌ ଖେଳି ଗୋଟିଏ ଚୌକା ସହାୟତାରେ ୧୨ ରନ୍‌ ଓ ମହେଶ ତୀକ୍ଷଣା ୨୩ଟି ବଲ୍‌ ସାମ୍ନା କରିଥିଲେ। ସେ  ମଧ୍ୟ ୨ଟି ଚୌକା ସହାୟତାରେ ୧୨ ରନ୍‌ କରିପାରିଥିଲେ।

ଭାରତର ପାଳିରେ ଅଧିନାୟକ ରୋହିତ ଶର୍ମା ୨ଟି ବଲ୍‌ ସାମ୍ନା କରି ୪ରନ୍‌ ସଂଗ୍ରହ କରି ପାଭିଲିଅନ୍‌କୁ ଫେରିଯାଇଥିଲେ। ତାଙ୍କର ସ୍ଥାନ ପୂରଣ କରିଥିଲେ ଅଭିଜ୍ଞ ବ୍ୟାଟର ବିରାଟ କୋହଲି। ଯୁବ ବ୍ୟାଟର ଶୁବମନ୍‌ ଗିଲ୍‌ଙ୍କ ସହିତ କୋହଲି ଦ୍ବିତୀୟ ୱିକେଟ୍‌ରେ ଶତକୀୟ ଭାଗିଦାରୀ କରିପାରିଥିଲେ। ଟିମ୍‌ ଇଣ୍ଡିଆ ପାଇଁ ବିରାଟ କୋହଲି ୯୪ଟି ବଲ୍‌ ଖେଳି ୧୧ଟି ଚୌକା ସହାୟତାରେ ୮୮ ରନ୍‌ କରିଥିଲେ। ଶୁବମନ୍‌ ଗିଲ ୯୨ଟି ବଲ୍‌ରୁ ୧୧ଟି ଚୌକା ଓ ୨ଟି ଛକା ବଳରେ ୯୨ ରନ୍‌ କରି ଆଉଟ୍‌ ହୋଇଥିଲେ। ଯୁବ ବ୍ୟାଟର ଆୟର ବ୍ୟକ୍ତିଗତ ଭାବେ ୮୨ ରନ୍‌ କରିଥିଲେ। ସେ ୫୬ଟି ବଲ୍‌ରୁ ୩ଟି ଚୌକା ଓ ୬ଟି ଛକା ମାରିଥିଲେ।

ମଧ୍ୟକ୍ରମ ବ୍ୟାଟର କେଏଲ୍‌ ରାହୁଲ ଦଳ ପାଇଁ ୨୧ ରନ୍‌ ଯୋଡ଼ିଥିଲେ। ସେ ୧୯ଟି ବଲ୍‌ ଖେଳି ୨ଟି ଚୌକା ସହାୟତାରେ ଏହି ରନ୍‌ ସଂଗ୍ରହ କରିଥିଲେ। ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟରୁ ୧୨ ରନ୍‌ ଅମଳ ହୋଇଥିଲା। ଆଉଟ୍‌ ହୋଇ ପାଭିଲିଅନ୍‌ ଫେରିଯିବା ପୂର୍ବରୁ ସୂର୍ଯ୍ୟକୁମାର ୯ଟି ବଲ୍‌ ଖେଳି ୨ଟି ଚୌକା ମାରିଥିଲେ। ଅଲରାଉଣ୍ଡର ରବୀନ୍ଦ୍ର ଦାଜେଦା ୨୪ଟି ବଲ୍‌ ଖେଳି ଗୋଟିଏ ଚୌକା ଓ ଗୋଟିଏ ଛକା ବଳରେ ୩୫ ରନ୍‌ କରିଥିଲେ। ମହମ୍ମଦ ସାମି ୨ରନ୍‌ ଓ ଯଶପ୍ରୀତ ବୁମରା ଅପରାଜିତ ଗୋଟିଏ ରନ୍‌ କରିଥିଲେ।

ଶ୍ରୀଲଙ୍କା ପାଇଁ ଦିଲସାନ ମଧୁଶଙ୍କା ଚମକପ୍ରଦ ବୋଲିଂ କରିଥିଲେ। ସେ ଏକାକୀ ୫ଜଣ ଭାରତୀୟ ଖେଳାଳିଙ୍କୁ ପାଭଲିଅନ ପଠାଇଥିଲେ। ଦୁସ୍ମନ୍ତ ଚାମିରାଙ୍କୁ ଗୋଟିଏ ୱିକେଟ୍‌ ମିଳିଥିଲା ବେଳେ ଭାରତୀୟ ବ୍ୟାଟର ରବୀନ୍ଦ୍ର ଜାଦେଜା ଓ ମହମ୍ମଦ ସାମି ରନ୍‌ ଆଉଟ୍‌ ହୋଇଥିଲେ।

Leave A Reply

Your email address will not be published.