ଅକ୍ଟୋବର ୩୧ ଯାଏ ଅନ୍ତର୍ଜାତୀୟ ବିମାନ ‌ଉଡ଼ାଣ

ନୂଆଦିଲ୍ଲୀ, ୨୮।୯: ମହାମାରୀ କରୋନା ପାଇଁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ଦୀର୍ଘ ଦେଢ଼ ବର୍ଷ ହେଲା ଲାଗିଥିବା କଟକଣାକୁ ଆଉ ମାସେ ବୃଦ୍ଧି କରାଯାଇଛି। ପୂର୍ବରୁ ସେପ୍ଟେମ୍ବର ୩୦ ଯାଏ ବିଦେଶକୁ ବିମାନ ଉଡ଼ି ପାରିବ ନାହିଁ ବୋଲି କୁହାଯାଇଥିଲା। ଆଜି ଡିଜିସିଏ ଏହି ଅବଧିକୁ ଅକ୍ଟୋବର ୩୧ ଯାଏ ବୃଦ୍ଧି କରିଛି। ଏହାର ଅର୍ଥ ଅକ୍ଟୋବର ୩୧ ଯାଏ ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ କରାଯିବନି। ତେବେ ସ୍ୱତନ୍ତ୍ର ଅନୁମତିପ୍ରାପ୍ତ ଓ କାର୍ଗୋ ବିମାନ ଚଳାଚଳ ଉପରେ କୌଣସି କଟକଣା ଲାଗୁହେବନି।

ଡିଜିସିଏ କହିଛି, ଅକ୍ଟୋବର ୩୧ ଯାଏ ଅନ୍ତର୍ଜାତୀୟ ବିମାନ ସେବା ଉପରେ ରୋକ ଲଗାଯାଇଛି। କିନ୍ତୁ ଡିଜିସିଏ ଦ୍ୱାରା ଅନୁମତିପ୍ରାପ୍ତ ଅନ୍ତର୍ଜାତୀୟ ବିମାନ ସେବା ଓ ଅନ୍ତର୍ଜାତୀୟ କାର୍ଗୋ ସେବା ଜାରି ରହିବ। ସେହିପରି ଜରୁରୀ ଓ ମେଡିସିନ ସାମଗ୍ରୀ ନେବା ଆଣିବା କରୁଥିବା ଅନ୍ତର୍ଜାତୀୟ ବିମାନଗୁଡ଼ିକ ମଧ୍ୟ କଟକଣା ମୁକ୍ତ ରହିଛନ୍ତି।

ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତବର୍ଷ ମାର୍ଚ୍ଚ ୨୩ରୁ ଭାରତ ସରକାର ଅନ୍ତର୍ଜାତୀୟ ବିମାନ ସେବା ଉପରେ ରୋକ ଲଗାଇଥିଲେ। ମଙ୍ଗଳବାର ଡିଜିସିଏ ଏହି କଟକଣା ଅବଧିକୁ ଅକ୍ଟୋବର ୩୧ ଯାଏ ବୃଦ୍ଧି କରିଛି। ଅକ୍ଟୋବର ୩୧ ତାରିଖ ରାତି ୧୧.୫୯ ଯାଏ ଏହି ନିୟମ ବଳବତ୍ତର ରହିବ। ଅନ୍ୟପକ୍ଷରେ ଭାରତ ସରକାର ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରଖିଥିଲେ ହେଁ ଗତବର୍ଷ ଠାରୁ ବନ୍ଦେ ଭାରତ ମିଶନ ଜରିଆରେ ଓ ଟ୍ରାଭେଲ ବବଲ୍ସ ଚୁକ୍ତି ଅନୁସାରେ କିଛି ନିର୍ଦ୍ଦିଷ୍ଟ ଦେଶକୁ ବିମାନ ସେବା ଆରମ୍ଭ କରିଛନ୍ତି।

Comments are closed.