ଜୈସ-ଏ-ମହମ୍ମଦର କମାଣ୍ଡର ଆତଙ୍କବାଦୀ ସଜ୍ଜାଦ ଅଫ୍‌ଗାନୀ ନିହତ

0

ଜମ୍ମୁ କଶ୍ମୀର, ୧୫।୦୩ : ଜମ୍ମୁ-କଶ୍ମୀରର ସୋପିଆଁରେ ଆତଙ୍କବାଦୀ ଓ ସୁରକ୍ଷାବାହିନୀ ମଧ୍ୟରେ ଗୁଳି ବିନିମୟ ଜାରିରହିଛି। ଆଜିକୁ ତିନି ଦିନ ଧରି ଚାଲିଥିବା ଏହି ଏନକାଉଣ୍ଟରରେ ଜୈସ-ଏ-ମହମ୍ମଦର କମାଣ୍ଡର ଆତଙ୍କବାଦୀ ସଜ୍ଜାଦ ଅଫ୍‌ଗାନୀ ନିହତ ହୋଇଛି। ଫଳରେ କାଶ୍ମୀର ଜୋନର ଆଇଜି ବିଜୟ କୁମାର ଏହି ସଫଳତାପୂର୍ବକ ଅପରେସନ ପାଇଁ ସୁରକ୍ଷାବାହିନୀକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ସଜାଦର ମୃତ୍ୟୁ ସୁରକ୍ଷାବାହିନୀ ପାଇଁ ଏକ ବଡ଼ ସଫଳତା। ତେବେ ଏହା ପୂର୍ବରୁ ସୁରକ୍ଷା ବାହିନୀ ଗତକାଲି ଜୈସ୍‌ର ଆତଙ୍କବାଦୀ ନାରପୋରା ନିବାସୀ ଜହାଙ୍ଗୀର ଅହମ୍ମଦକୁ ନିପାତ କରିଥିଲା। ଆତଙ୍କୀ ଜହାଙ୍ଗୀର ନିକଟରୁ ଏକ ଏମ-୪ କାର୍ବାଇନ, ମାଗାଜିନ, ନଗତ ୯ ହଜାର ୬୦୦ ଟଙ୍କା ସମେତ ଅନ୍ୟାନ୍ୟ ଆତଙ୍କୀ ଉପକରଣ ଜବତ କରିଥିଲା ସୁରକ୍ଷାବାହିନୀ। ତେବେ ଏହି ଅପରେଶନରେ ଜଣେ ସୁରକ୍ଷାବାହିନୀ ଓ ଜଣେ ସ୍ଥାନୀୟ ନାଗରିକ ଆହତ ହୋଇଥିଲେ।

ପ୍ରକାଶ ଥାଉକି, ଗତ ଶନିବାର ଦିନ ସନ୍ଧ୍ୟାରେ ରାଓଲପୋରା ଗ୍ରାମରେ ଆତଙ୍କବାଦୀମାନେ ଲୁଚି ରହିଥିବା ଖବର ସୁରକ୍ଷାବାହିନୀକୁ ଗୁଇନ୍ଦା ସୂତ୍ରରୁ ମିଳିଥିଲା। ଏହା ପରେ ସୁରକ୍ଷାବାହିନୀ, ସିଆରପିଏଫ ଯବାନ ଏବଂ ସ୍ଥାନୀୟ ପୁଲିସ ମିଳିତ ଭାବରେ ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେଶନ କରିଥିଲେ। ଏହି ସମୟରେ ରାତି ପ୍ରାୟ ୮ଟା ବେଳେ ଆତଙ୍କବାଦୀମାନେ ସୁରକ୍ଷାବାହିନୀ ଉପରକୁ ଗୁଳି ଚାଳନା କରିଥିଲେ। ଫଳରେ ସୁରକ୍ଷାବାହିନୀ ଏହାର ପ୍ରତିଜବାବ ଦେଇଥିଲା। କେବଳ ସେତିକି ନୁହେଁ ଆତଙ୍କବାଦୀମାନେ ପ୍ରତିଶୋଧ ପରାୟଣ ହୋଇ ୬ ଜଣ ସ୍ଥାନୀୟ ନାଗରିକଙ୍କୁ ବନ୍ଧକ ରଖିଥିଲେ। ତେବେ ସୁରକ୍ଷାବାହିନୀ ସୁରକ୍ଷିତ ଭାବରେ ଏହି ନାଗରିକଙ୍କୁ ରାତିରେ ଉଦ୍ଧାର କରିଥିଲା। ରାତି ହେବା କାରଣରୁ ସର୍ଚ୍ଚ ଅପରେଶନ ବନ୍ଦ କରାଯାଇଥିଲା।

ଏହାପରେ ରବିବାର ସକାଳେ ପୁଣି ଥରେ ଅପରେଶନ ଆରମ୍ଭ କରିଥିଲା ସୁରକ୍ଷାବାହିନୀ। ତେବେ ରାୱଲପୋରାରେ ଚାଲିଥିବା ଅପରେଶନ ସମୟରେ ଗୁଜବ ପ୍ରଚାରକୁ ରୋକିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଇଣ୍ଟରନେଟ ସେବା ବନ୍ଦ କରି ଦିଆଯାଇଥିଲା।

Leave A Reply

Your email address will not be published.