କେନ୍ଦ୍ରୀୟ ବିଦ୍ୟାଳୟରେ ନାମଲେଖା ପ୍ରକ୍ରିୟା ଆରମ୍ଭ, ୨୭ରୁ ପ୍ରଥମ ଶ୍ରେଣୀ ପାଇଁ ହେବ ପଞ୍ଜୀକରଣ

0

ଭୁବନେଶ୍ୱର,୨୬/୦୩: କେନ୍ଦ୍ରୀୟ ବିଦ୍ୟାଳୟରେ ୨୦୨୩-୨୪ ଶିକ୍ଷା ବର୍ଷ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ୨୭ ତାରିଖରୁ ନାମଲେଖା ପାଇଁ ପଞ୍ଜିକରଣ ଆରମ୍ଭ ହେବ । ଏ ନେଇ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପକ୍ଷରୁ ଏକ କାର୍ଯ୍ୟସୂଚୀ ପ୍ରକାଶ ପାଇଛି।

ଆସନ୍ତା ୨୭ ତାରିଖରୁ ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ପଞ୍ଜିକରଣ କରିବେ। ଏପ୍ରିଲ୍‌ ୧୭ ସଂଧ୍ୟା ୭ଟା ଯାଏ ପଞ୍ଜିକରଣ କରିପାରିବେ । ଏପ୍ରିଲ୍‌ ୨୦ରେ ପଞ୍ଜିକୃତ ଛାତ୍ରଛାତ୍ରୀଙ୍କ ଚୟନ ତାଲିକା ସହ ୱେଟିଂ ଲିଷ୍ଟ ମଧ୍ୟ ପ୍ରକାଶ ପାଇବ। ଏହାପରେ ଚୟନ ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀମାନଙ୍କର ଏପ୍ରିଲ୍‌ ୨୧ରୁ ନାମଲେଖା ଆରମ୍ଭ ହେବ।

ଏହାପରେ ୨୮ତାରିଖରେ ବଳକା ସିଟ୍‌ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ନାମ ଲେଖାଯିବ। ଯଦି ସିଟ୍‌ ବଳକା ରୁହେ ତେବେ ମେ ୫ତାରିଖରେ ତୃତୀୟ ସିଲେକ୍ସନ୍‌ ଲିଷ୍ଟ ଦ୍ୱାରା ନାମ ଲେଖାଯିବ । ଯଦି ଅନ୍‌ଲାଇନ୍‌ରେ ଆବଶ୍ୟକ ସଂଖ୍ୟକ ଆବେଦନକାରୀ ଆବେଦନ ନ କରନ୍ତି ତେବେ, ଅଫଲାଇନ୍‌ ନାମଲେଖା ପାଇଁ ମେ ୩ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ଏଥିରେ ଆର୍‌ଟିଇ ପ୍ରୋଭିଜନ୍‌, ଏସ୍‌ସି, ଏସ୍‌ଟି, ଓବିସି(ଏନ୍‌ସିଏଲ୍‌) ଶ୍ରେଣୀର ପିଲାମାନେ ଆବେଦନ କରିବେ। ଏଥିପାଇଁ ମେ ୪ତାରିଖରୁ ୧୧ତାରିଖ ପର୍ଯ୍ୟନ୍ତ ଅଫଲାଇନ୍‌ ପଞ୍ଜିକରଣ କରାଯିବ। ମେ ୧୮ରୁ ୨୫ ତାରିଖ ମଧ୍ୟରେ ନାମ ଲେଖାଯିବ।

ସେହିପରି ଦ୍ୱିତୀୟ ଶ୍ରେଣୀରୁ ଦଶମ ଶ୍ରେଣୀ ପାଇଁ ଏପ୍ରିଲ୍‌ ୩ରୁ ପଞ୍ଜିକରଣ ଆରମ୍ଭ ହୋଇ ଏପ୍ରିଲ୍‌ ୧୩ରେ ଶେଷ ହେବା ସହ ୧୭ ତାରିଖରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରକାଶ ପାଇବ। ଏପ୍ରିଲ୍‌ ୧୮ରୁ ୨୯ ତାରିଖ ପର୍ଯ୍ୟନ୍ତ ନାମଲେଖା ଚାଲିବ । ଏକାଦଶ ଶ୍ରେଣୀରେ ନାମଲେଖା ପାଇଁ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସେମାନଙ୍କ ଦଶମ ଶ୍ରେଣୀ ରେଜଲ୍ଟ ବାହାରିବାର ୧୦ ଦିନ ମଧ୍ୟରେ ପଞ୍ଜିକରଣ କରିପାରିବେ। ରେଜଲ୍ଟ ବାହାରିବାର ୨୦ ଦିନ ମଧ୍ୟରେ ଏକାଦଶ ଶ୍ରେଣୀ ପାଇଁ ନାମ ଲେଖାଇବେ।

କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ନାମଲେଖା ସରିବା ପରେ ଅନ୍ୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ। ସିବିଏସ୍‌ଇ ରେଜଲ୍ଟ ବାହାରିବାର ୩୦ ଦିନ ମଧ୍ୟରେ ନାମଲେଖା ସରିବ ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି। ନାମଲେଖା ପ୍ରକ୍ରିୟାର ସମସ୍ତ ବିବରଣୀ କେନ୍ଦ୍ରୀୟ ବିଦ୍ୟାଳୟ ୱେବସାଇଟ୍‌ରେ https://kvsangathan.nic.inରେ ଉପଲବ୍ଧ ରହିଛି।

Leave A Reply

Your email address will not be published.