ରାଜ୍ୟର ୧୫ଟି ସ୍ଥାନରେ କ୍ରିକେଟ ଏକାଡେମି ପ୍ରତିଷ୍ଠା ପାଇଁ ଶିଳାନ୍ୟାସ

ଓଡ଼ିଶା କ୍ରିକେଟର ଭିତ୍ତିଭୂମି ସଜାଡ଼ିବାକୁ ଓସିଏର ପ୍ରୟାସ

0

କଟକ, ୨୦।୭: ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରତିଷ୍ଠା ହେବ କ୍ରିକେଟ ଏକାଡେମି। ଓଡ଼ିଶା କ୍ରିକେଟର ଭିତ୍ତିଭୂମି ସଜାଡ଼ିବା ପ୍ରକ୍ରିୟା ଆରମ୍ଭ କରିଛି ଓଡ଼ିଶା କ୍ରିକେଟ ଆସୋସିଏସନ୍‌(ଓସିଏ)। ଭିଜନ-୨୦୨୪ ଅନୁଯାୟୀ ବିଭିନ୍ନ ଜିଲ୍ଲାରେ ପ୍ରତିଷ୍ଠା ହେବ କ୍ରିକେଟ ଏକାଡେମି । ଏହି ପରିପ୍ରେକ୍ଷୀରେ ଆଜି ଓସିଏ ସହ ଅନୁବନ୍ଧିତ ଥିବା ୧୫ଟି ୟୁନିଟ୍‌ରେ ଏକାଡେମି ପ୍ରତିଷ୍ଠା ନିମନ୍ତେ ଶିଳାନ୍ୟାସ କରାଯାଇଛି। କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ରାଜ୍ୟ ସରକାରଙ୍କ ପ୍ରମୁଖ ଶାସନ ସଚିବ ବିଶାଲ ଦେବ, ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏ ନେଇ ଓସିଏ ସମ୍ମିଳନୀ କକ୍ଷରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହୋଇଥିବା ବେଳେ ବିଭିନ୍ନ ଅନୁବନ୍ଧିତ ୟୁନିଟର କର୍ମକର୍ତ୍ତା ଭର୍ଚୁଆଲ ପ୍ଲାଟଫର୍ମରେ ଯୋଗ ଦେଇଥିଲେ ।

ସମ୍ବଲପୁର, ନୂଆପଡ଼ା, ମୟୂରଭଞ୍ଜ, ଗଜପତି, କଟକ, ବାଲେଶ୍ୱର, ଯାଜପୁର, ଭଦ୍ରକ, ସୁନ୍ଦରଗଡ଼, ଅନୁଗୋଳ, ବଲାଙ୍ଗୀର, ଖୋର୍ଦ୍ଧା, ଢେଙ୍କାନାଳ, ସୋନପୁର ଓ ଭୁବନେଶ୍ୱରରେ ଏକାଡେମି ପ୍ରତିଷ୍ଠା ନିମନ୍ତେ ଶିଳାନ୍ୟାସ କରାଯାଇଛି । ଆସନ୍ତା ୩ ମାସ ମଧ୍ୟରେ ଏକାଡେମି କାର୍ଯ୍ୟ ଶେଷ ହେବା ସହିତ ଏହା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେବ। ଓସିଏ ପକ୍ଷରୁ ଯୋଗାଇ ଦିଆଯିବ ସମସ୍ତ ସହଯୋଗ। ପ୍ରତ୍ୟେକ ଏକାଡେମିରେ ରହିବ ୫ଟି ଟର୍ଫ ୱିକେଟ। ଏଥିରୁ ୩ଟି ଟର୍ଫ ୱିକେଟକୁ ଖେଳାଳିମାନେ ଅଭ୍ୟାସ ନିମନ୍ତେ ବ୍ୟବହାର କରିବା ବେଳେ ବଳକା ୨ଟି ଟର୍ଫ ୱିକେଟରେ ମ୍ୟାଚ୍‌ ଖେଳାଯିବ । ତୃଣମୂଳସ୍ତରରୁ ପ୍ରତିଭାବାନ କ୍ରିକେଟ ଖେଳାଳିଙ୍କୁ ଏବେ ମିଳିବ ସୁଦୃଢ଼ ଭିତ୍ତିଭୂମି । ଓସିଏ ପକ୍ଷରୁ ଆନୁସଙ୍ଗିକ ଖେଳ ଉପକରଣ ମଧ୍ୟ ଯୋଗାଇ ଦିଆଯିବ । କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରମୁଖ ଶାସନ ସଚିବ ବିଶାଲ ଦେବ କହିଥିଲେ ଯେ, ଓସିଏ ଦ୍ୱାରା ହେଉଥିବା ଭିତ୍ତିଭୂମିର ବିକାଶ କେବଳ ରାଜ୍ୟ କ୍ରିକେଟର ବିକାଶ କରିବ ନାହିଁ ବରଂ ପ୍ରତିଭାମାନଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବାକୁ ସୁଯୋଗ ଦେବ ।

ଓଡ଼ିଆ ଖେଳାଳିମାନେ ଆଗାମୀ ଦିନରେ ଜାତୀୟ ଜର୍ସିରେ ଦେଖିବାକୁ ମିଳିବେ ବୋଲି ଆଶା କରାଯାଉଛି । ମନ୍ତ୍ରୀ ତୁଷାରକାନ୍ତି ନିଜ ଅଭିଭାଷଣରେ କହିଥିଲେ ଯେ, ରାଜ୍ୟ କ୍ରିକେଟର ବିକାଶ ପାଇଁ ଓସିଏ ନିରନ୍ତର ଭାବେ ଚେଷ୍ଟା କରୁଛି । ଓଡ଼ିଶାର କ୍ରିକେଟ କିପରି ଶୀର୍ଷରେ ପହଞ୍ଚିବ ସେଥିପାଇଁ ସମସ୍ତ କର୍ମକର୍ତ୍ତା ଚେଷ୍ଟା କରୁଛନ୍ତି । କ୍ରୀଡ଼ା ବିଭାଗ ପକ୍ଷରୁ ଓସିଏକୁ ସମସ୍ତ ସହଯୋଗ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ବେହେରା କହିଛନ୍ତି । ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟ ଖେଳାଳି ପ୍ରଜ୍ଞାନ ଓଝା ଭର୍ଚୁଆଲ ପ୍ଲାଟଫର୍ମରେ ଯୋଡ଼ି ହୋଇ ଓସିଏର ଭିଜନ-୨୦୨୪କୁ ପ୍ରଶଂସା କରିଥିଲେ । ସେ କହିଥିଲେ, ଓସିଏ ସଭାପତି ଓ ସମ୍ପାଦକଙ୍କ ସହ ପୂର୍ବରୁ ଆଲୋଚନା କରିଛି ।

ରାଜ୍ୟ ଖେଳାଳିଙ୍କ ବିକାଶ ପାଇଁ ଏକ ସୁନ୍ଦର ଓ ବିସ୍ତୃତ ଯୋଜନା ପ୍ରସ୍ତୁତ କରାଯାଇଛି । ଓଡ଼ିଶା ଖେଳାଳିମାନେ ଆଗାମୀ ଦିନରେ କିପରି ଜାତୀୟ ଦଳରେ ସ୍ଥାନ ପାଇବେ ତାହାକୁ ଅପେକ୍ଷା କରାଯିବ ବୋଲି ପ୍ରଜ୍ଞାନ କହିଛନ୍ତି । ରାଜ୍ୟର ଖ୍ୟାତନାମା କ୍ରିକେଟ ଖେଳାଳି ଦେବାଶିଷ ମହାନ୍ତି, ଶିବସୁନ୍ଦର ଦାସ ଓ ସଞ୍ଜୟ ରାଉଳ ମଧ୍ୟ ଓସିଏର ଉଦ୍ୟମକୁ ପ୍ରଶଂସା କରିଛନ୍ତି । କାର୍ଯ୍ୟକ୍ରମରେ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ସଞ୍ଜୟ ବେହେରା, ଉପସଭାପତି ଅକ୍ଷୟ କୁମାର ସାମନ୍ତ, ଯୁଗ୍ମ ସମ୍ପାଦକ ମେହତାବ ଖାନ, କୋଷାଧ୍ୟକ୍ଷ ବିକାଶ ପ୍ରଧାନ, ଆପେକ୍ସ କାଉନସିଲ ସଦସ୍ୟ ଶୁଭାଶିଷ ସେନାପତି ଉପସ୍ଥିତ ଥିଲେ ।

Leave A Reply

Your email address will not be published.