ବାବା ରାମ ରହିମଙ୍କୁ ଆଜୀବନ ଜେଲ ଦଣ୍ଡ

ହରିଆଣା, ୧୮।୧୦: ଡେରା ବାବା ରାମ ରହିମ୍‌ଙ୍କୁ ଆଜୀବନ ଜେଲ୍‌ ଦଣ୍ଡରେ ଦଣ୍ଡିତ କରାଯାଇଛି।  ରଣଜିତ୍‌ ସିଂହ ହତ୍ୟା ମାମଲାରେ ରାମରହିମଙ୍କୁ ଏହି ଦଣ୍ଡାଦେଶ ହୋଇଛି। ଏହାସହ ତାଙ୍କର ୫ ଜଣ ସହଯୋଗୀଙ୍କୁ ମଧ୍ୟ ଆଜୀବନ ଜେଲ୍‌ ହୋଇଛି। ସୋମବାର ଦିନ ଡେରା ସୌଚ୍ଚା ସୌଦା ପ୍ରମୁଖ ଗୁରୁମିତ ରାମ ରହିମଙ୍କୁ ହତ୍ୟାର ଏକ ମାମଲାରେ ସିବିଆଇର ସ୍ୱତନ୍ତ୍ର କୋର୍ଟ ଆଜୀବନ ଦଣ୍ଡ ଶୁଣାଇଛନ୍ତି। ୨୦୦୨ ଜୁଲାଇ ୧୦ରେ ରଣଜିତ୍‌ ସିଂହଙ୍କୁ ହତ୍ୟା କରାଯାଇଥିଲା। ଆଜୀବନ ଜେଲ୍‌ ଦଣ୍ଡ ସହ ରାମ ରହିମ୍‌ଙ୍କୁ ୩୧ ଲକ୍ଷ ଟଙ୍କା ଜରିମନା ହୋଇଛି। ଡେରା ଆଶ୍ରମର ମ୍ୟାନେଜର ଥିଲେ ରଣଜିତ୍‌ ସିଂହ।

ସୂଚନା ଅନୁଯାୟୀ, ରାମ ରହିମ୍‌ ଓ ଅନ୍ୟ ସହଯୋଗୀଙ୍କୁ ୨୦୦୨ ମସିହାରେ ପୂର୍ବତନ ଡେରା ପ୍ରବନ୍ଧକ ରଣଜିତ୍‌ ସିଂହଙ୍କର ହତ୍ୟା ମାମଲାରେ ୮ ଅକ୍ଟୋବର ଦିନ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଦଣ୍ଡ ଘୋଷଣା ପୂର୍ବରୁ ହରିଆଣାର ପଞ୍ଚକୁଲା ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା  କଡ଼ାକଡ଼ି କରି ଧାରା ୧୪୪ ଲାଗୁ କରି ଦିଆଯାଇଛି।

ଉଲ୍ଲେଖନୀୟ ଯେ,  ରଣଜିତ୍‌ ସିଂଙ୍କର ୨୦୦୨ ମସିହାର ୧୦ ଜୁଲାଇରେ ହତ୍ୟା କରାଯାଇଥିଲା। ଏହି ମାମଲାର ତଦନ୍ତ ସିବିଆଇ କରିଥିଲା ଏବଂ ପୂରା ମାମଲା ସିବିଆଇର ସ୍ପେଶାଲ କୋର୍ଟରେ ହିଁ ଚାଲିଥିଲା। ଘଟଣାର ୧୯ ବର୍ଷ ବିତିଗଲା ପରେ ଏହି ମାସର ଆରମ୍ଭରେ ରାମ ରହିମ୍‌ଙ୍କ ସମେତ ୫ଜଣ ଲୋକଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ମାମଲାର ପୂରା ବିତର୍କ ୧୨ ଅଗଷ୍ଟରେ ପୂରା କରାଯାଇଥିଲା। ସିବିଆଇ ୩ ଡିସେମ୍ୱର, ୨୦୦୩ରେ ଉକ୍ତ ମାମଲାରେ ଏଫ୍ଆଇଆର୍‌ ରୁଜୁ କରିଥିଲେ। ରାମ ରହିମ୍‌ଙ୍କୁ ଜଣେ ସାମ୍ୱାଦିକ ରାମଚନ୍ଦ୍ର ଛତ୍ରପତିଙ୍କର ହତ୍ୟା ମାମଲାରେ ଆଜୀବନ ଦଣ୍ଡ ଶୁଣାଯାଇଛି। ସେ ରୋହତକର ସୁନାରିଆ ଜେଲ୍‌ରେ ଦଣ୍ଡ ଶୁଣାଯିବା ପରେ ହିଁ ବନ୍ଦୀ ଜୀବନ ବିତାଉଛନ୍ତି।

Comments are closed.