ଜୁନ୍ ୧ ଯାଏ ବଢ଼ିଲା ଲକ୍‌ଡାଉନ୍

ସକାଳ ୭ରୁ ୧୧ କୋହଳ, ସପ୍ତାହନ୍ତ ସଟ୍‌ଡାଉନ୍ ଜାରି ରହିବ, ବିବାହ, ବ୍ରତରେ ଭୋଜିଭାତ ମନା

0

ଭୁବନେଶ୍ବର,୧୮/୫:  ରାଜ୍ୟରେ ପୁଣି ବଢ଼ିଲା ଲକ୍‌ଡାଉନ୍। ପ୍ରଥମ ଦଫା ଲକ୍‌ଡାଉନ୍ ୧୯ରେ ସରୁଥିଲା ବେଳେ ଦ୍ବିତୀୟ ଦଫାରେ ଏହାକୁ ଜୁନ୍ ୧ ତାରିଖ ଯାଏ ବଢ଼ାଇ ଦିଆଯାଇଛି। ପ୍ରଥମ ଦଫା ଠାରୁ ଏଥର ଲକ୍‌ଡାଉନକୁ ଅଧିକ କଡ଼ାକଡ଼ି କରାଯାଇଛି। ପୂର୍ବ ପରି ସପ୍ତ‌ାହନ୍ତ ସଟ୍‌ଡାଉନ୍ ଜାରି ରହିବ। ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହି ଘୋଷଣା କରିଛନ୍ତି।

            ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ ଅତ୍ୟାବଶ୍ୟକ ସାମଗ୍ରୀ ସକାଳ ୭ରୁ ୧୧ଟା ଯାଏ ଖୋଲା ରହିବ। ପୂର୍ବରୁ ସକାଳ ୬ଟାରୁ ୧୨ଟା ଯାଏ ଖୋଲା ରହିବ। ଦୈନିକ ଓ ସାପ୍ତାହିକ ହାଟ, ମଲ୍‌, ମାର୍କେଟ୍‌ କମ୍ପ୍ଲେକ୍ସ ବନ୍ଦ ରହିବ। କେବଳ ଗୋଟିକିଆ ଦୋକାନକୁ ପୂର୍ବ ପରି ଅନୁମତି ମିଳିବ। ପ୍ରତି ଦୋକାନ ମଝିରେ ୩୦ ଫୁଟ ବ୍ୟବଧାନ ରହିବ। ଲୋକମାନେ ନିଜର ଆବଶ୍ୟକ ଖାଦ୍ୟପଦାର୍ଥ ପାଖ ଦୋକାନରୁ ଚାଲି ଚାଲି ଯାଇ ଆଣିବେ। ପ୍ରତି ଶନିବାର ଓ ରବିବାର କେବଳ ଔଷଧ ଦୋକାନ ବାଦ୍ ଅନ୍ୟ ସବୁ ଦୋକାନ ବନ୍ଦ ରହିବ। ତେବେ  ‘ହୋମ୍‌‌ ଡେଲିଭରି’ କଟକଣାମୁକ୍ତ ରହିବ। ବିବାହ, ବ୍ରତ ଓ ଅନ୍ତ୍ୟେଷ୍ଟି କ୍ରିୟା କଟକଣାକୁ କଡ଼ାକଡ଼ି କରାଯାଇଛି । ବିବାହ କାର୍ଯ୍ୟରେ ସର୍ବାଧିକ ୨୫ ଲୋକଙ୍କୁ ଅନୁମତି ମିଳିବ। ବ୍ରତ ଓ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ମାତ୍ର ୨୦ ଜଣ ଏକାଠି ହୋଇପାରିବେ। ଏହିସବୁ କାର୍ଯ୍ୟକ୍ରମରେ ଭୋଜିଭାତ କରାଯିବ ନାହିଁ ଓ ଅତିଥିଙ୍କୁ କେବଳ ଖାଦ୍ୟ ପାର୍ସଲ୍‌ ଦିଆଯାଇପାରିବ।

            ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସବୁ ସର୍ବନିମ୍ନ କର୍ମଚାରୀରେ ଚାଲିବ। ଅତ୍ୟାବଶ୍ୟକ ସେବା ଯୋଗାଉ ନ ଥିବା ସବୁ ସରକାରୀ କାର୍ଯ୍ୟାଳୟ ୧୦ ପ୍ରତିଶତ କର୍ମଚାରୀରେ ଚାଲିବ। ଶିଳ୍ପ ସଂସ୍ଥାଗୁଡ଼ିକ ସେମାନଙ୍କ ଉତ୍ପାଦନ କାର୍ଯ୍ୟ ଯଥ‌ାରୀତି ଜାରି ରଖିବେ। ତେବେ ସେମାନଙ୍କ କର୍ପୋରେଟ୍‌ ଅଫିସ୍‌ ୧୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବେ। ଏହି କର୍ମଚାରୀଙ୍କ ତାଲିକା ଓ ଗାଡ଼ି ନମ୍ବରକୁ ସଂସ୍ଥା ପକ୍ଷରୁ ସ୍ଥାନୀୟ ଜିଲ୍ଲାପାଳ କିମ୍ବା ମହାନଗର ନିଗମ କମିସନର୍‌ଙ୍କୁ ଦେବାକୁ ପଡ଼ିବ। ଅନ୍ୟ ବେସରକାର କାର୍ଯ୍ୟାଳୟଗୁଡ଼ିକ ସର୍ବାଧିକ ୩୩% କର୍ମଚାରୀଙ୍କୁ ନେଇ କାମ କରିବେ। ସବୁ କାର୍ଯ୍ୟାଳୟରେ କୋଭିଡ୍‌ ନିୟମାବଳୀ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି। ଟିକା ଓ ଟେଷ୍ଟିଂ କାର୍ଯ୍ୟ ଲକ୍‌ଡାଉନ୍‌ରେ ପ୍ରଭାବିତ ହେବ ‌ନାହିଁଟିକା ପାଇଁ ଅନୁମତିପ୍ରାପ୍ତ ବ୍ୟକ୍ତି ଟିକା କେନ୍ଦ୍ରକୁ ବିନା ବାଧାରେ ଯାଇପାରିବେ। ସେହିପରି କୋଭିଡ୍‌ ଟେଷ୍ଟିଂ ପାଇଁ ବି ନିକଟସ୍ଥ ଟେଷ୍ଟିଂ କେନ୍ଦ୍ରକୁ ଲୋକମାନେ ଯାଇପାରିବେ।

            ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ପ୍ରଥମ ଲକ୍‌ଡାଉନ୍‌ରେ ସୁଫଳ ମିଳିଛି। ଯେଉଁ ହାରରେ କରୋନା ରୋଗୀ ସଂଖ୍ୟା ବୃଦ୍ଧି ପାଉଥିଲା ସେଥିରେ ହ୍ରାସ ଘଟିଛି। ଗତ ୧୫ ଦିନ ହେବ ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ପ୍ରାୟ ସମାନ ସ୍ତରରେ ରହିଛି। ଏପରିକି କିଛି ଜିଲ୍ଲାରେ ଧୀରେ ଧୀରେ କମିବା ଆରମ୍ଭ କରିଛି। ତଥାପି ରାଜ୍ୟରେ ପ୍ରତିଦିନ ୧୦ ହଜାରରୁ ଅଧିକ କୋଭିଡ୍‌ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲକ୍‌ଡାଉନ୍‌ ଅବଧିକୁ ଆଉ ୧୪ ଦିନ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି।

Leave A Reply

Your email address will not be published.