ଆସନ୍ତାକାଲି ଖଣି ଓ ଇସ୍ପାତ ମନ୍ତ୍ରୀଙ୍କ ସମ୍ମିଳନୀ

ଭୁବନେଶ୍ବର, ୨୪।୨: ବିଭିନ୍ନ ରାଜ୍ୟର ଖଣି ଓ ଇସ୍ପାତ ମନ୍ତ୍ରୀମାନଙ୍କର ଏକ ସମ୍ମିଳନୀ ଆସନ୍ତାକାଲି କୋଣାର୍କରେ ଅନୁଷ୍ଠିତ ହେବ। ଏହି ଦୁଇଦିନିଆ ସମ୍ମିଳନୀର ପ୍ରଥମ ଦିନ କୋଣାର୍କ ଓ ଦ୍ୱିତୀୟ ଦିନ ଭୁବନେଶ୍ୱରରେ ହେବାର କାର୍ଯ୍ୟକ୍ରମ ରହିଛି। କୋଣାର୍କର ଇକୋ ରିଟ୍ରିଟରେ ଏହି ମନ୍ତ୍ରିସ୍ତରୀୟ ସମ୍ମିଳନୀ ଆୟୋଜିତ ହୋଇଥିବା ବେଳେ ୨୬ ତାରିଖରେ ଭୁବନେଶ୍ୱରରେ ଇସ୍ପାତ ଓ ଶିଳ୍ପ ଜଗତର ପ୍ରତିନିଧିମାନଙ୍କ ସହ ବୈଠକ ହେବାର କାର୍ଯ୍ୟକ୍ରମ ରହିଛି। ଏହି ମନ୍ତ୍ରିସ୍ତରୀୟ ସମ୍ମିଳନୀ ପୂର୍ବରୁ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଆର୍‌ସିପି ସିଂହ ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି।

କେନ୍ଦ୍ର ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ପକ୍ଷରୁ ଫେବୃୟାରୀ ୨୫ ଓ ୨୬ତାରିଖ ଦୁଇଦିନ ଧରି ଏହି ମନ୍ତିସ୍ତରୀୟ ସମ୍ମିଳନୀ ଆୟୋଜନ କରାଯାଉଛି । ଏଥିରେ ୨୫ତାରିଖ ଅର୍ଥାତ୍ ଆସନ୍ତାକାଲି କୋଣାର୍କଠାରେ ମନ୍ତ୍ରିସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହେବ । ଏଥିରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଆରସିପି ସିଂ ଓ ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଫଗନ ସିଂ କୁଲସ୍ତେ ଯୋଗ ଦେବେ । ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରୀଙ୍କ ସମେତ ବିଭିନ୍ନ ରାଜ୍ୟର ଖଣି ଓ ଶିଳ୍ପ ମନ୍ତ୍ରୀ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମେତ ବିଭିନ୍ନ ରାଷ୍ଟ୍ରାୟତ୍ତ କମ୍ପାନୀର ବରିଷ୍ଠ ଅଧିକାରୀ ଓ ପ୍ରତିନିଧିମାନେ ଏହି ବୈଠକରେ ସାମିଲ ହେବେ । ଏଥିରେ ଇସ୍ପାତ ଓ ଖଣି କ୍ଷେତ୍ର ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ବିଶେଷକରି ରାଜ୍ୟମାନଙ୍କ ସମ୍ପର୍କରେ ସ୍ୱତନ୍ତ୍ର ଆଲୋଚନା ହେବ ।

ଏହାପରେ ଫେବୃୟାରୀ ୨୬ତାରିଖରେ ଭୁବନେଶ୍ୱରଠାରେ ସ୍ଥାନୀୟ ଶିଳ୍ପ ଜଗତର ପ୍ରତିନିଧିମାନଙ୍କ ସହ ‘ଇସ୍ପାତ କ୍ଷେତ୍ରରେ ରହିଥିବା ସମସ୍ୟା ଓ ଆବଶ୍ୟକ ନୀତିଗତ ହସ୍ତକ୍ଷେପ’ ପ୍ରସଙ୍ଗରେ ଆଲୋଚନା ହେବ । ବିଶେଷକରି ଇସ୍ପାତ କ୍ଷେତ୍ର ପାଇଁ ପିଏଲଆଇ ଯୋଜନା ଉପରେ ଏକ ଉପସ୍ଥାପନା ଦିଆଯିବ । ସମ୍ମିଳନୀ ପାଇଁ ଅତିଥିମାନେ ଆଜି ଓଡ଼ିଶାରେ ପହଂଚି କୋଣାର୍କ ଓ ପୁରୀ ଶ୍ରୀମନ୍ଦିର ଦର୍ଶନ କରି କୋଣାର୍କ ଇକୋ ରିଟ୍ରିଟରେ ରାତ୍ରିଯାପନ କରିଥିବା ଜଣାପଡ଼ିଛି ।

Comments are closed.